ଭୁବନେଶ୍ୱର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ ହେଲାଣି । ୪୦ ଡିଗ୍ରୀ ଉପରେ ୧୪ ସହର । ଆଜି ୧୧ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି ।
୧୮ ତାରିଖ ସୁଦ୍ଧା ପହଞ୍ଚିବ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିବ । ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ସୀମିତ ଅଞ୍ଚଳରେ ବା କାଁ ଭାଁ । ବଡ଼ ବର୍ଷା ସମ୍ଭାବନା ଏବେ କମ୍ । ଗୁରୁବାର ୪୩.୭ ଡିଗ୍ରୀରେ ପହଞ୍ଚିଥିଲା ତାପମାତ୍ରା । ଭବାନୀପାଟଣାରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର, ସମ୍ବଲପୁର ଓ ହୀରାକୁଦରେ ୪୨.୨ ରାଉରକେଲାରେ ୪୧.୬ ଏବଂ ମାଲକାନଗିରି ଓ ତାଳଚେରରେ ୪୦ ଡିଗ୍ରୀ ରହିଥିଲା । ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ପରବର୍ତ୍ତୀ ତିନି ଦିନ ସ୍ଥିର ରହିବ ।
ଅନ୍ୟପଟେ ୧୮ ଓ ୧୯ରେ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ତାରିଖ (ଶୁକ୍ରବାର) ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ପାରଦ ୪୪ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶା ୩୭- ୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି । ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆକଳନ କରାଯାଇଛି । ବର୍ଷା ଘଡ଼ଘଡ଼ି ଏବଂ ପବନ ପାଇଁ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।