Latest Odisha News

BREAKING NEWS

ଭାରତରେ କାର୍ଯ୍ୟକାରୀ ହେଲା ୩୩% ମହିଳା ସଂରକ୍ଷଣ ଆଇନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ସଂସଦରେ ବିତର୍କ ଭିତରେ ରାତିଅଧିଆ ଲାଗୁ ହେଲା ମହିଳା ସଂରକ୍ଷଣ ଆଇନ୍। ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ପ୍ରଦାନ କରୁଥିବା ମହିଳା ସଂରକ୍ଷଣ ଆଇନ, ୨୦୨୩ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ତେବେ ସଂସଦରେ ଏହି ଆଇନରେ ସଂଶୋଧନକୁ ନେଇ ଚର୍ଚ୍ଚା ଚାଲି ଥିଲା ବେଳେ ସରକାର ଏହାକୁ ଗୁରୁବାର ରାତି ଅଧିଆ କାହିଁକି ଲାଗୁ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସମ୍ବିଧାନ (୧୦୬ତମ) ସଂଶୋଧନ ଆଇନ ୨୦୨୩ର ଧାରା ୧ (୨) ଅନୁସାରେ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ ତାରିଖରୁ ଏହି ଆଇନ କାର୍ଯ୍ୟକାରୀ କରିବାର ତାରିଖ ଧାର୍ଯ୍ୟ କରିଛନ୍ତି । ୨୦୨୩ ସେପ୍ଟେମ୍ବରରେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା । ଯାହା ମହିଳା ସଂରକ୍ଷଣ ଆଇନ ନାମରେ ପରିଚିତ । ମହିଳାଙ୍କ ଭାଗିଦାରୀ ବଢ଼ାଇବା ଏହି ଆଇନ ଅନୁସାରେ ଏକ ବଡ ପଦକ୍ଷେପ । ଏହି ଆଇନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ । ତେବେ ଏହି ଆଇନ ଅନୁସାରେ ସଂରକ୍ଷଣର ଲାଭ ୨୦୨୯ ପୂର୍ବରୁ ମିଳିପାରିବ ନାହିଁ ।

କାରଣ ଏହାକୁ ୨୦୨୭ ଜନଗଣନା ପରେ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସହିତ ଯୋଡ଼ାଯାଇଛି । ବର୍ତ୍ତମାନ ଲୋକସଭାରେ ଯେଉଁ ୩ ବିଲ୍ ଉପରେ ଚର୍ଚ୍ଚା ଚାଲିଛି ତାର ଉଦ୍ଦେଶ୍ୟ ମହିଳା ସଂରକ୍ଷଣ ୨୦୨୯ରେ ଲାଗୁ କରିବା । ସରକାରୀ ତଥ୍ୟ ଅନୁସାରେ ଆଇନ ଲାଗୁ ହେବା ସତ୍ତେ୍ୱ ବର୍ତ୍ତମାନ ଲୋକସଭାରେ ଏହି ସଂରକ୍ଷଣକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । କାରଣ ସଂରକ୍ଷଣ ଲାଗୁ କରିବାକୁ ହେଲେ ପରବର୍ତ୍ତୀ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଜରୁରି । ଆଇନ ରହିଥିବା ବ୍ୟବସ୍ଥା ଅନୁସାରେ ୨୦୩୪ ପୂର୍ବରୁ ସଂରକ୍ଷଣ ଲାଗୁ ସମ୍ଭବପର ନଥିଲା । କିନ୍ତୁ ସରକାର ୨୦୨୯ରେ ଏହାକୁ ଲାଗୁ କରିବା ଲାଗି ସଂଶୋଧନ ଆଣୁଛନ୍ତି ।

Leave A Reply

Your email address will not be published.