Latest Odisha News

BREAKING NEWS

ଉତ୍ତର ଭାରତରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୪୧ ମୃତ, ଫସିଛନ୍ତି ୩,୦୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ: ଉତ୍ତର ଭାରତ ଭାସୁଛି । ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣିର ସୁଅ । ସବୁଆଡେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ । ଯାତାୟାତ ପୂରା ଠପ ।  ଗତ ୨୪ ଘଣ୍ଟା ମଧ୍ୟର ୪୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହଶହ ଲୋକ ପାଣିଘରରେ । ବିଶେଷକରି ହିମାଚଳ ପ୍ରଦେଶ ଅବସ୍ଥା ଶୋଚନୀୟ ହୋଇପଡିଛି ।

ହିମାଚଳ ପ୍ରଦେଶରେ ଏବେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ବି ବର୍ଷା କମିବାର ସମ୍ଭାବନା ନାହିଁ  । ମନାଲି, ଲେହ ଜାତୀୟ ରାଜପଥ ଭୁଶୁଡ଼ି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି । ହିମାଚଳ ପ୍ରଦେଶର ଭୟାନକ ଚିତ୍ର ସାମ୍ନାକୁ ଆସିଛି । ମଣ୍ଡି ଇଲକାର ଏକ  ଶହେ ବର୍ଷର ପୋଲ ବ୍ୟାସ ନଦୀ  ସୁଅରେ ଭାସି ଯାଉଥିବା ଦେଖିବାକୁ ମିଳିଛି । ବ୍ୟାସ ନଦୀରେ ଭୟଙ୍କର ବନ୍ୟାସ୍ଥିତି ଦେଖିବାକୁ ମିଳଛି ।

ସେତିକି ନୁହେଁ, ଅନେକ ଘର , ଅଟ୍ଟାଳିକା ପାଣିର ସ୍ରୋତରେ ଭାଙ୍ଗିଯାଇଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଚାମ୍ବା, କୁଲ, ମଣ୍ଡିିରେ ବାଦଲ ଭଟା ବର୍ଷା ସହ ଭୁସ୍ଖଳନ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ଏଭଳି ସ୍ଥିତିରେ ସେଠାକୁ ଯାଇଥିବା ପାଖାପାଖି ୩୦୦ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କ ସହ ଏନଡିଆରଏଫ୍ ଟିମ୍ ।

କ୍ଷୟକ୍ଷତି ଆକଳନ ୪ ହଜାର କୋଟି ଛୁଇଁଛି ବେଲି କହିଛନ୍ତି  ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ବନ୍ୟା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ପ୍ରଶାସନ । ଆଇଏମଡି ପକ୍ଷରୁ ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଟୁଇଟ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଏକ ୨୪ ଘଣ୍ଟିଆ ଟୋଲ ଫ୍ରି ହେଲପଲାଇନ ନମ୍ବର 1100, 1070, 1077 ଜାରି କରିଛନ୍ତି । ଜରୁରୀ ପରିସ୍ଥିତିରେ ସବୁପ୍ରକାର ସେବା ଯୋଗାଇ ଦେବାକୁ ଏହି ନମ୍ବର ଜାରି କରାଯାଇଛି ।

 

 

Leave A Reply

Your email address will not be published.