Latest Odisha News

BREAKING NEWS

Puri Rath Yatra 2026: ପୁରୀରେ ପ୍ରବଳ ବର୍ଷା; ଆସନ୍ତାକାଲି ତାଳଧ୍ଵଜ ଓ ନନ୍ଦିଘୋଷର ହେବ ଦକ୍ଷିଣମୋଡ଼

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ୨୪ ତାରିଖରେ ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରି ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଆଗରେ ରଖାଯାଇଛି । ହେଲେ ପୁରୀରେ ପ୍ରବଳ ବର୍ଷା ଯୋଗୁ ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇପାରିନାହିଁ ।

ସୂଚନାଥାଉକି, ଆଜି ଅପରାହ୍ନରେ ପାଗରେ ହଠାତ୍ ପରିବର୍ତ୍ତନ ଆସିଥିଲା। ବର୍ଷାକୁ ଖାତିର ନକରି ସୁରକ୍ଷା ବାହିନୀ ଓ ଶ୍ରଦ୍ଧାଳୁମାନେ ରଥ ଦକ୍ଷିଣ ମୋଡ଼ରେ ସାମିଲ୍ ହୋଇଥିଲେ। ଦର୍ପଦଳନ ରଥ ପରେ ତାଳଧ୍ଵଜ ରଥର ଦକ୍ଷିଣମୋଡ଼ ଆରମ୍ଭ ହେବା ମାତ୍ରେ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସ୍ଥଗିତ ରଖାଯାଇଥିଲା। ଆସନ୍ତାକାଲି ତାଳଧ୍ଵଜ ଏବଂ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ।

ସେପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇ ଭକ୍ତ ନିଜକୁ ଧନ୍ୟ ମନେ କରୁଛନ୍ତି।

ତେବେ ଆସନ୍ତା ୨୩ ତାରିଖ ରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାକୁ ଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୪ ତାରିଖ ବାହୁଡା଼ ପାଇଁ ସଅଳ ନୀତି କାନ୍ତି କରାଯିବ। ବାହୁଡା଼ ଯାତ୍ରା ରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା କରାଯାଇଛି। ବାହୁଡ଼ା ପରଦିନ ଅର୍ଥାତ ଆସନ୍ତା ୨୫ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଆଲୋଚନା ହୋଇଛି।

Comments are closed.