ରାୟଗଡ଼ା: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡିଶା ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ କେ ଆର ଲାଇନ ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଉଛି। ଶିକରପାଇ ରେଳ ଷ୍ଟେସନ ନିକଟ ରେଳ ଟ୍ରାକ୍ ଉପରେ ପଥର ଖସିଥିବା କୁହାଯାଉଛି।
ସିକରପାଇରୁ ଭାଲୁମାସ୍କା ମଧ୍ଯରେ କେ ଆର ଲାଇନରେ ଦ୍ଵିତୀୟ ଲାଇନ ରେଳପଥ କାର୍ଯ୍ୟ ଜାରି ରହିଛି। ପଥର ରେଳ ଟ୍ରାକ ଉପରେ ଧସିବା ପରେ ସିକରପାଇ ଷ୍ଟେସନ୍ରେ ଇଣ୍ଟରସିଟି ଏବଂ କେଉଟଗୁଡା ଷ୍ଟେସନରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍। ଘଟଣାସ୍ଥଳରେ ରେଳ ବିଭାଗର ସୁରକ୍ଷା କର୍ମୀ ଓ ଇଂଜିନିଅରିଙ୍ଗ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକା ସମୟ ଧରି ଟ୍ରେନ ଅଟକି ଥିବା ସୂଚନାରୁ ଜଣାପଡିଛି।
ସୂଚନାଯୋଗ୍ୟ ଗତକାଲି ଲେଲିଗୁମା ଓ ରାଉଳି ମଧ୍ୟରେ ମାଟି ଧସି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାୟଗଡା ରେଳ ଡିଭିଜନ ଡି ଆର ଏମ ଅମିତାଭ ସିଂଘଲ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି। ବର୍ଷା ଯୋଗୁଁ ରାୟଗଡା ଆନ୍ଧ୍ରପ୍ରଦେଶ ରାସ୍ତାରେ ଗଛ ପଡିବା ଯୋଗୁଁ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛି। ମେଟୁ କେରଡ଼ା ନିକଟରେ ଗୋଟିଏ ବଡ ଗଛ ପଡିଥିବା ଜଣାପଡିଛି।
ଗତକାଲି ରାୟଗଡ଼ା-ବିଜୟନଗରମ୍ ବ୍ୟସ୍ତବହୁଳ ରାସ୍ତାରେ ଗଛ ପଡିବା କାରଣରୁ ଦୀର୍ଘ ଆଠ ଘଣ୍ଟା ଧରି ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗଛଟି ଟ୍ରକ ଉପରେ ପଡିବାରୁ ଟ୍ରକ କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟାତ ପୁଣି ଥରେ ସ୍ୱାଭାବିକ ହୋଇଥିଲା ।

