ଭୁବନେଶ୍ବର: ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ।
କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥପଶୁପାଳକ କହିଛନ୍ତି, ଗତ କିଛି ଦିନ ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀର ଗତିକୁ ଅତି ଦ୍ରୁତକରିବା ଭଳି କୌଣସି ଶକ୍ତିଶାଳୀ ଲଘୁଚାପ କ୍ଷେତ୍ରକିମ୍ବା ଅବପାତ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇନାହିଁ । ନିକଟରେ ସୃଷ୍ଟି ହେବାର ସଙ୍କେତ ମଧ୍ୟ ମିଳୁନାହିଁ ।
ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ବର୍ଷା ବିଜୁଳି ସହ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।
ସେହିଭଳି ଆସନ୍ତାକାଲି ପାଇଁ ବଜ୍ରପାତ, ପ୍ରବଳ ପବନ ଓ ପ୍ରବଳ ବର୍ଷା ପାଇଁ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେବ । ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ବେଗ ୫୦-୬୦ କିମି ପର୍ଯ୍ୟନ୍ତ ପବନ ବୋହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Comments are closed.