ଜଗତସିଂହପୁର: ନିଶା ମୁକ୍ତ ଓଡିଶା କରିବାକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିରନ୍ତର ଚେଷ୍ଟା ଜାରି ରହିଛି । ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରେ ଚଢାଉ କରି ବହୁଳ ମାତ୍ରାରେ ନିଶା ଦ୍ରବ୍ୟ ନଷ୍ଟ କରିବା ସହ ଅନେକକୁ ଗିରଫ କରାଯାଉଛି । ସେହିଭଳି ଆଉ ଏକ କରିଛି ଜଗତସିଂହପୁର ଜିଲ୍ଲାର ନାଉଗାଁ ପୋଲିସ ।
ଅଭିନବ ଉପାୟରେ ଗଞ୍ଜେଇ କାରବାର କରୁଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଦିନରେ ଫେରିବାଲା ସାଜି ଗାଁ ଗାଁ ବୁଲି ବେପାର କରୁଥିବାବେଳେ, ରାତି ହେଲେ ଗଞ୍ଜେଇ ବେପାର କରୁଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।
ପୋଲିସର ସୂଚନା ଅନୁଯାୟୀ, ନାଉଗାଁ ପୋଲିସର ଏକ ଟିମ ଦେବୀଦୋଳ ବ୍ରିଜ ନିକଟରେ ଚେକିଂ ବେଳେ ୪ ଜଣ ଅଭିଯୁକ୍ତ ଦୁଇଟି ଲୁନାରେ ଗଞ୍ଜେଇ ଆଣି ଆସୁଥିବା ବେଳେ ପୋଲିସକୁ ଦେଖି ଫେରାର ହେବାକୁ ବସିଥିଲେ । ଅତର୍କିତ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଧରିଛି ପୋଲିସ ।
ସେମାନଙ୍କ ନିକଟରୁ ୨୨ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ୪ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ମେଦିନୀପୁରର ସେକ୍ଷ ରଵାନୀ, ଏସକେ ରକିବୁଲ, ଏସକେ ଆୟର ଅଲ୍ଲୀ ଓ ମୁକ୍ତାର ଅଲ୍ଲୀ ସାହା । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଲୁନା ମଧ୍ୟ ପୋଲିସ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ପଶ୍ଚିମବଙ୍ଗରୁ କେଉଁଠୁ ଗଞ୍ଜେଇ ଆଣୁଥିଲେ ଏବଂ କାହାକୁ ଦେଉଥିଲେ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।