Latest Odisha News

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ବାତିଲ ହେଲା ବିମାନ ଉଡ଼ାଣ, ୫ କୋଟି ଲୋକ ପ୍ରଭାବିତ

ୱାଶିଂଟନ: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଘୂର୍ଣ୍ଣିବଳୟ ସମେତ ଭୟଙ୍କର ଝଡ଼ ଏଠାରେ କୋଟି କୋଟି ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ବାତ୍ୟା ଯୋଗୁଁ ନ୍ୟୁୟର୍କରୁ ଅଲବାମା ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଏଠାରେ ଘୂର୍ଣ୍ଣିଝଡ଼ର ଶକ୍ତି ଏତେ ଭୟଙ୍କର ଥିଲା ଯେ ୧ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରି ଦିଆଯାଇଛି। ଏହି ଘୂର୍ଣ୍ଣିବଳୟ ଆମେରିକାର ଅନେକ ସହରରେ ହଇଚଇ ସୃଷ୍ଟି କରିଛି। ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରାୟ ପାଞ୍ଚ କୋଟି ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ପ୍ରାୟ ଅନେକ ଲୋକ ଏବେ ଝଡ଼ କାରଣରୁ ବିଜୁଳି ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି, ମଙ୍ଗଳବାର ସକାଳ ସୁଦ୍ଧା ଉତ୍ତର କାରୋଲିନାରେ ୧ ଲକ୍ଷ ଲୋକ, ପେନସିଲଭେନିଆରେ ୯୫ ହଜାର ଏବଂ ମେରିଲ୍ୟାଣ୍ଡରେ ୬୪ ହଜାର ବାସିନ୍ଦାଙ୍କ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ମଙ୍ଗଳବାର ସକାଳେ ୧୦୦୦ ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ସୋମବାର ନ୍ୟୁୟର୍କ, ଫିଲାଡେଲଫିଆ, ଅଟଲାଣ୍ଟ ଏବଂ ୱାଶିଂଟନ୍ ଡିସିରେ ବିମାନବନ୍ଦର ପାଇଁ ଗ୍ରାଉଣ୍ଡ ଷ୍ଟାପ୍ ଜାରି କରିଛି।

ଦକ୍ଷିଣ କାରୋଲିନାର ଏଣ୍ଡରସନରେ ଝଡ଼ ସମୟରେ ଜଣେ ୧୫ ବର୍ଷର ବାଳକର ମୃତ୍ୟୁ ହୋଇଛି। ସେହିପରି ଫ୍ଲୋରେନ୍ସରେ ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପାଣିପାଗ ବିଭାଗ କହିଛି ଯେ ଆମେରିକାରେ ବଜ୍ରପାତରେ ମୃତ୍ୟୁ ବହୁତ କମ। ଆମେରିକାରେ ପ୍ରତିବର୍ଷ ବଜ୍ରପାତ ଯୋଗୁଁ ହାରାହାରି ୨୦ ଜଣ ପ୍ରାଣ ହରାନ୍ତି।

ପାଣିପାଗ ବିଭାଗ ଏହି ଘୂର୍ଣ୍ଣିବଳୟକୁ ଅନ୍ୟତମ ପ୍ରଭାବଶାଳୀ ପାଣିପାଗ ଘଟଣା ବୋଲି ଚେତାବନୀ ଦେଇଛି। ପ୍ରଥମ ଥର ପାଇଁ ଡିସି ସହରରେ ପାଣିପାଗ ବିଭାଗ ଚାରି-ପାଞ୍ଚ ସ୍ତରର ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ଶୀଘ୍ର ଘରକୁ ପଠାଇଦିଆଯାଇଛି। ରାଜଧାନୀ ୱାଶିଂଟନରେ ସ୍କୁଲ ବନ୍ଦ ରହିଛି। ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ସୂଚନା ଥାଉକି, ସୋମବାର ଆମେରିକାରେ ଘୂର୍ଣ୍ଣିବଳୟ ସମେତ ଭୟଙ୍କର ଝଡ଼ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.