Latest Odisha News

BREAKING NEWS

ବୈତରଣୀରେ କମୁଛି ବନ୍ୟା ପାଣି, ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ମାରୁଛି ପାଣି

ଭଦ୍ରକ : ଭଦ୍ରକରେ ଟଳିଲା ବନ୍ୟା ଆଶଙ୍କା । ବୈତରଣୀ ନଦୀର ତଳମୁଣ୍ଡରେ ହ୍ରାସ ପାଉଛି ଜଳସ୍ତର । ଫଳରେ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁରରେ ବନ୍ୟାପାଣି କମିବାରେ ଲାଗିଛି । ଆଜି ପୂର୍ଣ୍ଣିମା ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନରେ ବାଧା ଉପୁଜିଛି । ଗୋଟିଏ ପଟେ ବନ୍ୟା କମିଥିବା ବେଳେ, ଚାଷ ଜମିରେ ଏବେ ବି ଲହଡି ମାରୁଛି ବନ୍ୟାପାଣି ।

ଲଗାତର ୫ ଦିନ ହେଲା ଶହ ଶହ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି । ପାଣି ଜମି ରହିବାରୁ ଧାନ ତଳି ପଚିଯିବା ସହ ବର୍ଷକର ଫସଲ ଉଜୁଡିଯିବ ବୋଲି ଚାଷୀ କହିଛନ୍ତି । ସେହିପରି ବନ୍ୟା ଘେରରେ ଥିବା ବୋଡକ, ମୁଆଁ, ସନ୍ତରା, ଭୂଇଁପୁର, କୋଇଲିଖା ଆଦି ଗାଁର ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି । ସେହିପରି ଅନେକ ନଳକୂପରେ ବନ୍ୟା ପାଣି ପଶିଥିବାରୁ ପିଇବା ପାଣି ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ତଳିଆ ଅଞ୍ଚଳରୁ ଜଳସ୍ତର ହାସ ପାଇଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ବନ୍ୟାଞ୍ଚଳର ସ୍ଥିତି ପରଖିବା ପାଇଁ ଜିଲ୍ଲା ପ୍ରଶାସନ, ଜଳସେଚନ ବିଭାଗ ଅଧିକାରୀ, କୃଷିବିଭାଗ ଅଧିକାରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.