ହେଲେନ୍‌ର ହାହାକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏବେ ବିଶ୍ୱବ୍ୟାପୀ ମହାସଂକଟ । କରୋନା ମହାମାରୀ, ମହାମାନ୍ଦାବସ୍ଥା, ମହାଦୁର୍ଭିକ୍ଷ ମାଡିଆସୁଛି । ଭୋକ ଏଭଳି ଏକ ଶଦ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନିା ଢୋକେ ପିଇ, ଦଣ୍ଡେଜିଇଁ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ । ଶ୍ରମଜୀବୀ ଶ୍ରେଣୀ ଯେତେବେଳେ ଦିନେ, ଦି’ଦିନ ଓପାସ ରହିବେ – ସେ କାହାରିକୁ ମାନିବେ ନାହିଁ – ପ୍ରଳୟ ! ମହାପ୍ରଳୟ ! ଏବେ ଗ୍ରୀସ୍ ଦେଶରେ ଭୟଙ୍କର ଆର୍ଥିକ ସଂକଟ ଉପୁଜିଛି । ଲୋକେ ଓଳିଏ ଖାଇଲେ ଆରଓଳିକୁ ଉପାସ । ଖବରକାଗଜରେ ଏବେ ଆଖିରେ ପଡୁଚି ଚାଂଚଲ୍ୟକର ଶୀର୍ଷକ-ପାଉଁରୁଟି ଦାମରେ ଦେହ ବିକୁଛନ୍ତି ଅଧିକାଂଶ ଗ୍ରୀକ୍ ଯୁବତୀ ! ପୁଞ୍ଜିବାଦର ପାଞ୍ଜିଆକରଣମାନେ ଗ୍ରୀସ୍ ଅର୍ଥନୀତିକୁ ଏକ ପ୍ରକାର ବିପର୍ଯ୍ୟସ୍ତ ବିତୀୟ ବ୍ୟବସ୍ଥାରେ ପରିଣତ କରିଦେଇଛନ୍ତି । ଏହା ଦ୍ୱାରା ଗ୍ରୀସ୍‌ବାସୀ ଗୋଟା ଏକଳା ଅର୍ଥନୀତିର କରୁଣ ଶିକାର ହୋଇସାରିଛନ୍ତି । ଗ୍ରୀସ୍ ପାଲଟିଛି ଭସ୍ମଶଯ୍ୟା – ଯାହା ଉପରେ ମୃତସ୍ୱପ୍ନ ଓ ନଷ୍ଟ କଳ୍ପନାର କବନ୍ଧ ଗଡୁଛି କେବଳ । ବିଶ୍ୱର ସବୁଦେଶର ସରକାର ଓ କ୍ଷମତାସୀନ ଦଳମାନେ ରାଜକୋଷକୁ ଚଳୁ କରିଦେଇ ଜନଗଣଙ୍କ ମୁଣ୍ଡରେ ଆର୍ଥିକ ବୋଝକୁ ଲଦି ଦେଉଛନ୍ତି । ଯାହା କାଳକ୍ରମେ ଭୟଙ୍କର ଅର୍ଥନୈତିକ ଆତଙ୍କବାଦ ପାଇଁ ଫାଟକ ଖୋଲିଦେଇଛି ।

ମାନ୍ଦାବସ୍ଥା !ମାନ୍ଦାବସ୍ଥା !!ମହାମାନ୍ଦାବସ୍ଥା ? ହଁ, ଅର୍ଥନୈତିକ ମାନ୍ଦାବସ୍ଥାର ମଖମଲୀ ମୁଖାତଳେ ଲୁଚି ରହିଛି ଲୋଭୀ ଲୁଟେରା ଆତଙ୍କବାଦୀ ଆମେରିକାର ଅସଲ ଅଭିସନ୍ଧି । ଆତଙ୍କବାଦର ଜଘନ୍ୟ ଜନ୍ମଦାତା ଆମେରିକା ଏବେ ଆରମ୍ଭ କରି ଦେଇଛି ଅଘୋଷିତ ତୃତୀୟ ବିଶ୍ୱଯୁଦ୍ଧ – ଯାହାର ମୁଖ୍ୟ ଆୟୁଧ ହେଉଛି ଅଚଳ ଅର୍ଥନୀତି । ଏହି ଅଚଳ ଅର୍ଥନୀତିର ଉଦ୍ଦେଶ୍ୟ ହେଉଛି ବିଶ୍ୱବଜାରକୁ ବିଶୃଙ୍ଖଳିତ କରାଇ ବିଭିନ୍ନ ରାଷ୍ଟ୍ରରେ ଏକ ପ୍ରକାର କୋକୁଆ ଭୟ ଉପୁଜାଇବା ।

ଦୁଃଖ ଓ ଦୁର୍ଭାଗ୍ୟରକଥା ଯେ – ଆମମିଡିଆ ମଧ୍ୟ ଏହି ଆଭିମୁଖ୍ୟକୁ ଅର୍ଥନୈତିକ ଆତଙ୍କବାଦ ନ କହିମହାମାନ୍ଦାବସ୍ଥା ପରିଭାଷାରେ ପ୍ରଚାରକରିଆସୁଛିବରାବର । ଆଗେ ଅସ୍ତ୍ରରେ, ଏବେ କିନ୍ତୁ ଅସ୍ତ୍ର ନୁହେଁ – ଏବେ ଅର୍ଥରେ, ହଁ, କେବଳ ଅର୍ଥରେ ଆରମ୍ଭ ହୋଇସାରିଛି ଏକପ୍ରକାର ନୂତନ କଳକୌଶଳପୂର୍ଣ୍ଣ ଆତଙ୍କବାଦ । ଅଥର୍ବ ଅର୍ଥନୀତିର ଛଦ୍ମବେଶରେ ହିମଶୀତଳ ଆତଙ୍କବାଦ ।

୨୦୦୯ ଜାନୁଆରୀରେ ଚାରିଆଡେ ହାହାକାରର ହୁରି ପଡିଲା – ମାନ୍ଦା – ମାନ୍ଦା – ମହାମାନ୍ଦା । ଗାଁର ରଇତଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି – ଆର୍ଥିକ ମାନ୍ଦାବସ୍ଥା; କିନ୍ତୁ ଆମେ କହୁଛୁ : ନା- ମାନ୍ଦାବସ୍ଥା ନୁହେଁ – ଏହା ଅର୍ଥନୈତିକ ଆତଙ୍କବାଦ – ମହାତଙ୍କ ! ଏ ସମସ୍ତ ସଂକଟର ମୂଳବୀଜ କେବେ ଠୁଁ ବୁଣାଯାଇଛି ? ବିଶ୍ୱବିତ ବିପର୍ଯ୍ୟୟ ବର୍ଷ ୨୦୦୮ ନୁହେଁ । ବହୁବର୍ଷରୁ ଏହି ବିପର୍ଯ୍ୟୟର ବିଷବୀଜବୁଣା ଯାଇଥିଲା । ଏବେ ସେହି ବିଷାକ୍ତ ଫଳ ଖାଇ ସମସ୍ତେ ବିଭ୍ରାନ୍ତ ବାତୁଳଭଳି ଆଚରଣ କରିବାରେ ଲାଗିପଡିଛନ୍ତି । ବିଶ୍ୱ ଅର୍ଥନୀତି ଓ ରାଜନୀତିରେ ଗଣତନ୍ତ୍ରର ଗୈରିକ ପୋଷାକ ପରିହିତ ସ୍ୱୈରତନ୍ତ୍ର ହିଁ ସବୁସଂକଟର ମୂଳକାରଣ ।

୧୯୨୯ ମସିହାରେ ସମଗ୍ର ବିଶ୍ୱରେ ଆର୍ଥିକ ମହାମାନ୍ଦାବସ୍ଥା ଚାଲିଥିଲା, ସେହି ମାନ୍ଦାବସ୍ଥା ପ୍ରାୟ ୪ ବର୍ଷ କାଳଚାଲିଲା । ସେତେବେଳେ ବିଜ୍ଞାନର ଅଗ୍ରଗତି ବିଶେଷ ହୋଇନଥିଲା, ଏତେ କଳକାରଖାନା ନଥିଲା । ପୁନଶ୍ଚ ସେ ସମୟରେ ସମଗ୍ର ବିଶ୍ୱ ଦୁଇଶିବିରରେ ବିଭକ୍ତ ଥିଲା । ଦୁଇ କିସମର ବିଶେଷମଜାର ମଧ୍ୟ ଥିଲା । ସେପଟେ ଆମେରିକା ନେତୃତ୍ୱରେ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ବଜାର, ଏପଟେ ରୁଷ ନେତୃତ୍ୱରେ ସମାଜବାଦୀ ଶିବିର ଓ ବଜାର ଥିବା ଫଳରେ ତୃତୀୟ ବିଶ୍ୱ ଏବଂ ଭାରତ ସମେତ ଅନୁନ୍ନତ ବିକାଶଶୀଳ ଦେଶମାନେ ଉଭୟଠାରୁ ସାହାଯ୍ୟ ସହଯୋଗ ପାଉଥିଲେ ।

୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗି ପ୍ରାୟ ୫ ବର୍ଷଚାଲିଥିଲା । ତଥାପି ଅବସ୍ଥା ସୁଧୁରିବା ପାଇଁ ୨୫ ବର୍ଷ ଲାଗିଗଲା । ୨୦୨୧ ମହାମାନ୍ଦାବସ୍ଥା କେତେ ବର୍ଷ ଲାଗିରହିବ ଏବେଠୁ କହିହେବନି ।

ଏବେ ବିଶ୍ୱବଜାରର ବଦନାମୀ ଗଳିଠାରୁ ଆରମ୍ଭ କରି ସୌଦାଗରୀ ସଭ୍ୟତାର ବଡଦାଣ୍ଡଯାଏଁ ଅବକ୍ଷୟୀ ପୁଞ୍ଜିବାଦର ଭିନ୍ନଭାଷା, ପୁଞ୍ଜିପତିମାନଙ୍କର ପ୍ରାଣମୂର୍ଚ୍ଛା ପ୍ରେତପ୍ରଳାପ ଆରମ୍ଭ ହୋଇଯାଛି । ଏକ ବିପୁଳ ଆତଙ୍କର ବିଷାକ୍ତ ବାତାବରଣ ସୃଷ୍ଟିକରି ପୁଞ୍ଜିବାଦର ପରୀକ୍ଷାଗାରରେ ମଣିଷକୁ ବନ୍ଦୀ କରିବାର ଶେଷ ହତାଶ ଷଡଯନ୍ତ୍ର ଇଏ !

ପ୍ରାଚୀନ କାଳର ଚଉବର୍ଗ ତତ୍ୱ – ଅର୍ଥାତ୍ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇ ଏକ ଆଧିଭୌତିକ ବିଶ୍ୱାସ ସରଳ ନିରୀହଜନଗଣଙ୍କର ଅସ୍ଥିମଜ୍ଜାଗତ ହୋଇରହିଥିଲା । ମାତ୍ର ପୁଞ୍ଜିବାଦୀ ତତ୍ୱବାଗୀଶ ବର୍ଗ ଏହି ଚଉବର୍ଗୀ ସରଳ ଜନବିଶ୍ୱାସ ପ୍ରତିକୁଠାର ଘାତକରି ନିଜ ମୁନିବମାନଙ୍କ ମୁନାଫାର ମଇଦାନରେ ପ୍ରଥମେ ଧର୍ମକୁ କିଣାକିଙ୍କର କରାଇଦେଲେ । ମାତ୍ରାଧିକ ଔପଚାରିକତା ମଧ୍ୟରେ ଧର୍ମ ଡୁବିଗଲା । ପୁଞ୍ଜିବାଦର ସେବାକରି ନୟାନ୍ତ ହେଲା ପରେ ଶେଷକୁ ଏ ଧର୍ମର ଉପସଂହାର ହେଲା ଦଙ୍ଗା ଓ ଆତଙ୍କବାଦରେ । ଧର୍ମ ପରେ ଅର୍ଥ । ମାତ୍ର ଅଧର୍ମବିତ ବା ବଳକା ଅର୍ଥକୁ ଆଣି ଯେତେ ଭେଳିକି ଲଗାଇଲେ ବି କାମ ଦେଉନି ।

ବାକି ରହିଲା କାମ ଅର୍ଥାତ୍‌ କାମନା-ବାସନା… ଅର୍ଥାତ୍ ଆଧ୍ୟାତ୍ମିକତା ଅବଲମ୍ବନରେ ପ୍ରାଣୀର ନିଜ ପ୍ରବୃତିରୁ ନିବୃତି ବା ମୋକ୍ଷମୁକ୍ତି ।

ମଧ୍ୟଯୁଗୀୟ ପୃଥିବୀର ଏ ସ୍ୱର ନିଆରା । ଲୋକଙ୍କୁ ଅବଚେତନ ଭାବେ ଏକ ଅନ୍ଧାରୀ ଦିଗ ଆଡକୁଠେଳି ଦିଆଯାଉଛି । ଶୂକର ଧର୍ମ-ଘୁଷୁରି ଧର୍ମ-ଘୁଷୁରି ଭଳି ମଣିଷଜାତିକୁ ଗୋଟାଏ ଘଷରା ଜୀବନ ବଂଚିବାକୁ ଅନୁପ୍ରେରିତ କରାଯାଉଛି । ସ୍ଥାଣୁ ଅର୍ଥନୀତିକୁ କିଛି ସମୟ ପାଇଁ ଚଳଚଂଚଳ କରି ରଖିବା ଉଦ୍ଦେଶ୍ୟରେ ପ୍ରବଳ ପ୍ରୟାସର ଏକ ପ୍ରାୟୋଜିତ ପର୍ଯ୍ୟାୟ ଆରମ୍ଭ କରାଯାଉଛି । ଯନ୍ତ୍ରମାନବ, କମ୍ପ୍ୟୁଟର ପ୍ରଚଳନ କରି ପୁଞ୍ଜିର ଐରାବତ ସୃଷ୍ଟିକରି ମଧ୍ୟ ସ୍ୱୟଂ ସୃଷ୍ଟ ସଂକଟ ଜାଲରୁ ପୁଞ୍ଜିବାଦ ମୁକୁଳି ପାରୁନି ।

ମାନବ ସମାଜର ଉନ୍ନତିର ଉତୁଙ୍ଗ ଆକାଂକ୍ଷା ସବୁ ଧୂଆଁ, ପବନରେ ଉଡିଯାଉଛି । ଶୋଷଣର ବିଷାକ୍ତ ହତିଆର ଅକାମୀ ହୋଇ ପଡୁଛି । ସଂକଟଗ୍ରସ୍ତ ବିଶ୍ୱ ଅର୍ଥନୀତି ନିଜର ଅନ୍ତିମ ଅବସ୍ଥାରେ ପହଂଚିଗଲାଣି ବୋଲି ମିଥ୍ୟା ପ୍ରଚାର ଚଳାଇ ମଣିଷକୁ ଥରହର କରି ଦିଆଯାଉଛି । ସବୁ ବନ୍ଦ ହୋଇଯିବ । ଶ୍ରମିକ କର୍ମଚାରୀ ଛଟେଇ ସବୁଠି ଆରମ୍ଭ ହୋଇଯାଇଛି – କେବଳ ଏଇ ଭୟଙ୍କର ଭବିଷ୍ୟତର କଳ୍ପନା କଳନା କରି ! ସାଧାରଣ ମଣିଷ, ଶ୍ରମଜୀବୀ ମଣିଷ କେବଠୁଁ ରାସ୍ତା ହଜେଇ ଦେଇଛନ୍ତି । ଏବେ ପ୍ରାଚୀନ ପନ୍ଥା ହେଲେ ଚଳିବ ନାହିଁ । ନୂଆଚିନ୍ତା ଆବଶ୍ୟକ ।

‘ଅର୍ଥନୈତିକ ମାନ୍ଦାବସ୍ଥା’ – ଆମେରିକା ଦ୍ୱାରା ପ୍ରାୟୋଜିତ ଗୋଟାଏ ପ୍ରୟୋଗାତ୍ମକ ପ୍ରହସନ । ଏ ପ୍ରହସନ ସପକ୍ଷରେ ଆବହାୱା ସୃଷ୍ଟି କରିବା ପାଇଁ ମିଡିଆଠୁ ଆରମ୍ଭ କରି ଭାରତୀୟ ଅର୍ଥନୀତିଜ୍ଞ, ବୁଦ୍ଧିଜୀବୀ ଓ ବିଶାରଦବର୍ଗଙ୍କୁ ବୁଦ୍ଧୁ ବନାଉଛି ଆମେରିକା । ବଜାରୀ ଅର୍ଥନୀତି ଯେମିତି ସରଳ ଖାଉଟି ସମାଜକୁ ନିଜ ପରୀକ୍ଷାଗାରର ଗିନିପିଗ୍‌ କରିବା ଉଦ୍ଦେଶ୍ୟରେ ‘କୃତ୍ରିମ ଅଭାବ’ର ସୂକ୍ଷ୍ମସୂତ୍ର ପ୍ରୟୋଗ କରିଥାଏ, ଏ ଅର୍ଥନୈତିକ ମାନ୍ଦାବସ୍ଥା ଠିକ୍ ‌ସେଇଭଳି ଏକ ବଜାରୀବଜ୍ରପାତ – ବିନା ମେଘର ମୁନାଫାରେ ! ଏ ‘ଅର୍ଥନୈତିକ ମାନ୍ଦାବସ୍ଥା’ ପ୍ରକୃତ ପକ୍ଷରେ ଏକ ଭୟଙ୍କର ଅଭିସନ୍ଧିମୂଳକ ଅର୍ଥନୈତିକ ଅରାଜକତା ।

ଏ ଅର୍ଥନୈତିକ ଆତଙ୍କବାଦକୁ ଚିହ୍ନଟ କରିବାରେ ସେଭଳି କୌଣସି ବିରାଟ ବୌଦ୍ଧିକ କସରତ କରିବାକୁ ପଡିନଥାନ୍ତା ମୋଟେ । ଆଖି ଥାଇସୁଦ୍ଧା ଆମ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ ବର୍ଗତା’ ହେଲେ ଅନ୍ଧ ଭଳି ଅଭିନୟ କରୁଛନ୍ତି କାହିଁକି ? ଖାଲି କ’ଣ ଅନ୍ଧ – ଏମାନେ ମୂକ ଓ ବଧିର ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୋଇଛନ୍ତି । କାହିଁକିନା ଏମାନଙ୍କ ଶ୍ରେଣୀ ଚରିତ୍ର ହେଉଛି ସୌଦାଗରୀ ସଭ୍ୟତାର ସୌଖିନ୍‌ ଶୈଳୀରେ ଅଭ୍ୟସ୍ତ ସୁବିଧାବାଦୀ ଚରିତ୍ର – ଯାହା ବୃହତର ଦଳିତ ଦୁର୍ଗତ ବର୍ଗର ସାମାଜିକ ଓ ସାମୂହିକ ସ୍ୱାର୍ଥ ଅପେକ୍ଷା ନିଜନିଜ ବ୍ୟକ୍ତିକ ବୈଷୟିକ ବ୍ୟବସ୍ଥାରସୁରକ୍ଷା ପ୍ରତି ଏକାନ୍ତ ଲୁବ୍ଧ । ଆପେ ବଂଚିଲେ ବା ପର ନାଁହିଁ ଏମାନଙ୍କରଏକମାତ୍ର ଆଦର୍ଶ । ଏଥିପାଇଁ କୋଟି ଦରିଦ୍ରର କବର ଉପରେ ଗୋଟିଏ ଗୋଟିଏ ଧନତନ୍ତ୍ରର ଧ୍ୱଜା ଉଡାଇବା ଲକ୍ଷ୍ୟରେ ଆମ ଅର୍ଥନୀତିଜ୍ଞ ଓ ଯୋଜନା ପ୍ରଣୟନକାରୀ ଆଇନ୍‌ଜ୍ଞମାନଙ୍କୁ ଏକତରଫା ଅଧିକାର ଦିଆଯାଇଥାଏ । ଆମେରିକାର ଅସରନ୍ତି ଅର୍ଥଭଣ୍ଡାର ଏବେ ପୃଥିବୀ ଉପରେ ମାର୍କିନ୍ ‌ଏକାଧିପତ୍ୟ ବିସ୍ତାର କରିବାର ଅଭିସନ୍ଧିରେ ବିଭିନ୍ନ ରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିସାରି ଯେଉଁ ଅର୍ଥନୈତିକ ଅଘଟଣ ସଂଘଟନ କରିଚାଲିଛି – ତାହା ହିଁ ହେଉଛି ଆଜିର ଏହି ଅର୍ଥନୈତିକ ଆତଙ୍କବାଦର ଅସଲ କ୍ରିୟାତ୍ମକ ଆଭିମୁଖ୍ୟ । ସଂସ୍କୃତି ଓ ଅର୍ଥନୀତି – ଏ ଦୁଇଟି ଭିତରେ ଯଦି ବିରାଟ ଫାଟ ସୃଷ୍ଟିହେଲା, ତା ହେଲେ ମଣିଷ ପାଇଁ ତ୍ରାହି ନାହିଁ । ଇତିହାସରେ ଗ୍ରୀକ୍‌ ସଂସ୍କୃତି ଏକ ଉଳ୍ଲେଖନୀୟ ଅଧ୍ୟାୟ । ଅଥଚ ଆଜିର ଗ୍ରୀକ୍ ଅର୍ଥନୀତି ସେ ସଂସ୍କୃତିକୁ ଢାଙ୍କି ଦେଇଛି କଳାକନାରେ ।

ଟ୍ରୟର ହେଲେନ୍ – ପ୍ରାଚୀନ୍‌ ବିଶ୍ୱର ପରମ ସୁନ୍ଦରୀ ପାଇଁ ଦିନେ ନାହିଁନଥିବା ଯୁଦ୍ଧ ଚାଲିଥିଲା – ସେଦିନ ନାରୀର ସୌନ୍ଦର୍ଯ୍ୟ ଥିଲା ପ୍ରେମ ଓ ଯୁଦ୍ଧର ମୁଖ୍ୟପ୍ରସଙ୍ଗ । ଆଜି କିନ୍ତୁ ସଂସ୍କୃତିର ସେ ସଚିତ୍ର ଦୃଶ୍ୟପଟକୁ ବଦଳାଇଦେଇ ବିକଳ ଅର୍ଥନୀତି ସୃଷ୍ଟି କରିଛିଗୋଟାଏକରାଳ ଅଭାବର କୃତ୍ରିମ କାଠଘୋଡା ! ଯାହା ଅଚଳ, ନିଶ୍ଚଳ – ମାତ୍ର ସଂଶୟ ଓ ବିସ୍ମୟରେ ହତବାକ୍ ‌କରି ଦେଉଚି ଦରିଦ୍ର ଦୁର୍ଗତଜନ ସମୁଦାୟକୁ । ଆଜିର ଏ ଆତଙ୍କପ୍ରଦ ଅର୍ଥନୀତି ହରଣଚାଳ କରି ନେଉଚି ବିଶ୍ୱାସ, ବିବେକ, ମୂଲ୍ୟବୋଧ, ମନୁଷ୍ୟତା – ଅନେକ କିଛି । ବଂଚିବା ଆଜି ଜୀବନଠୁ ଜରୁରୀ । ଏଇ ଅବସ୍ଥାନ୍ତରିତ ଅବବୋଧ ହିଁ ଆଜିର ଅର୍ଥନୀତିତରଫରୁ ଏକ ଉତ୍ପୀଡକ ଅବଦାନ । ସେଥିପାଇଁ ଗୋଟାଏ ସ୍ୟାଣ୍ଡଉଇଚ୍‌ର ଦରରେ ଦେହ ବିକି ବଂଚିବାକୁ ଚାହୁଁଚି ଆଜିର ଗ୍ରୀକ୍‌ କିଶୋରୀ – କାଲିର ହେଲେନ୍ ‌ତା’ ପାଇଁ ହାହାକାର ! ସାରା ଦୁନିଆର ଦେଖଣାହାରିଙ୍କ ଆଗରେ ଆଜି ହେଲେନ୍ ନାହିଁ – ଅଛି କେବଳ ଗୋଟାଏ କରାଳ କୃତ୍ରିମ କାଠଘୋଡା – ଆଜିର ଏ ସଂସ୍କୃତିହୀନ, ମୂଲ୍ୟବୋଧହୀନ ଅର୍ଥନୀତି !

(ଯାଜପୁରରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩)