Latest Odisha News

BREAKING NEWS

ହାପି ବାର୍ଥ ଡେ ସୋଲେ ସୁନ୍ଦରୀ, ଜନ୍ମଦିନରେ ହେମା ମାଳିନୀଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୫ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ ଉଭୟ ଚଳଚିତ୍ର ଏବଂ ରାଜନୀତି ସହିତ ଜଡିତ ଥିବାରୁ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ହେମା ମାଳିନୀ ଚଳଚ୍ଚିତ୍ର ଜଗତରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ହେମା ଦକ୍ଷିଣ ଭାରତର ହୋଇଥିବା ସତ୍ବେ ସେ ହିନ୍ଦୀ ସିନେମାରେ ଏକ ବଡ ନାମ ହାସଲ କରିଥିଲେ । ହିନ୍ଦୀ ସିନେମାରେ ତାଙ୍କର ଏହି କାମ ଏବେ ମଧ୍ୟ ସ୍ମରଣୀୟ । ​ହେମାଙ୍କ ସୁନ୍ଦରତା ଯୋଗୁଁ ବଲିଉଡରେ ସେ ଡ୍ରିମ ଗାର୍ଲ ଭାବେ ପରିଚିତ।

ନିଜ ସୁନ୍ଦରତା ଯୋଗୁଁ ତାଙ୍କୁ ନିଜ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା । କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ। ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କୁ ଲଗାତାର ଫିଲ୍ମରୁ ଅଫର ଆସିଥିଲା। ଏଥିପାଇଁ ସେ ପାଠ ଛାଡ଼ି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ହେମା ମାଳିନୀ ତାଙ୍କ ସମୟର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କ ପାଇଁ କେବଳ ପ୍ରଶଂସକ ନୁହଁନ୍ତି ଅନେକ ହିରୋଙ୍କର ମଧ୍ୟ ହୃଦୟ ଭାଙ୍ଗିଥିଲେ। ହେମା ମାଳିନୀ ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ ଅନେକ ହିଟ୍ ଏବଂ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି । ଅଭିନୟ ସହ ପରେ ରାଜନୀତିକୁ ମଧ୍ୟ ଆସିଥିଲେ। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ। ପରେ ୨୦୧୪ରେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ଉତ୍ତରପ୍ରଦେଶର ମଥୁରାରୁ ସାଂସଦ ଅଛନ୍ତି ।

୧୯୬୮ ରାଜ୍‌ କପୁରଙ୍କ ଚଳଚ୍ଚିତ୍ର ‘ସପ୍ନୋ କା ସୌଦାଗର’ ଜରିଆରେ ହେମା ମାଳିନୀ ପ୍ରଥମେ ବଲିଉଡରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସୁନ୍ଦର ସିନେମା ଫ୍ୟାନ୍ସଙ୍କୁ ଭେଟି ଦେଇଥିଲେ । ସୋଲେ, ତ୍ରିଶୂଲ, ମେରା, କ୍ରାନ୍ତି, ସତ୍ତେ ପେ ସତ୍ତା, ନସିବ, ରଜିଆ ସୁଲତାନ, ବାଗବାନ୍, ଭୀର ଜାରା ଏବଂ ଆରକ୍ଷଣ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଆଜି ବି ଫ୍ୟାନ୍ସଙ୍କ ଡ୍ରିମଗାର୍ଲ ସାଜିଛନ୍ତି ହେମା । ହେମା ମାଳିନୀ ନିଜର ସୁନ୍ଦରତା ଏବଂ ଅଭିନୟର ଯାଦୁରେ ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲେ । ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପ୍ରଥମ ସିନେମା ଥିଲା ‘ ତୁମ୍ ହସିନ୍ ମେ ଜବାଁ ’। ଏହି ସିନେମା ସେ ସମୟରେ ବେଶ୍ ସୁପରହିଟ୍ ହୋଇଥିଲା । ସିନେମାରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି ହେମା ମାଳିନୀ । ‘ସୀତା ଔର୍ ଗୀତା’(୧୯୭୨) ପାଇଁ ହେମା ଲାଭ କରିଥିଲେ ପ୍ରଥମ “ଫିଲ୍ମ ଫେୟାର ଆୱାର୍ଡ଼’ । ୨୦୦୦ ମସିହାରେ ହେମା ଅଭିନୟ ଜଗତରେ ତାଙ୍କର ଅବଦାନ ପାଇଁ ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହା ବ୍ୟତୀତ ୨୦୦୦ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ରେ ବି ସମ୍ମାନିତ କରିଛନ୍ତି ।

 

 

Leave A Reply

Your email address will not be published.