Latest Odisha News

BREAKING NEWS

ଆଦିବାସୀ ମେଳାରେ ହର୍ବାଲ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ଏବଂ ମସଲା ଦର୍ଶକଙ୍କୁ କରିଛି ଅଧିକ ଆକର୍ଷିତ

ଭୁବନେଶ୍ୱର : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାରେ ହର୍ବାଲ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ଏବଂ ମସଲା ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଛି।

ଏହି ମେଳାରେ “ଚିରୋଞ୍ଜୀ” ଯାହା ଆୟୁର୍ବେଦ, ୟୁନାନି ଏବଂ ସିଦ୍ଧ ପ୍ରଣାଳୀରେ ଶିଶୁ ସ୍ମୃତିଶକ୍ତି ବୃଦ୍ଧି ଏବଂ ଅନେକ ହର୍ବାଲ୍, ଚର୍ମ ଯତ୍ନ ପାଇଁ ବ୍ୟବହୃତ ସାମଗ୍ରୀ ସହ ଲେମନ ଗ୍ରାସ ଅଏଲ ପରି ଜୈବିକ ବାସ୍ନା ହେଉଥିବା ସାମଗ୍ରୀ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି । ଏହା ସହ କନ୍ଧମାଳର ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଷ୍ଟଲମାନଂକରୁ ହଳଦୀ, ରୋଷେଇ ମସଲା ଓ ଅନେକ ପାରମ୍ପରିକ ମସଲା ବେଶ ଗ୍ରାହକର ସହ କିଣା ଯାଉଛି ।

ଚଳିତ ବର୍ଷ ଏହି ଆଦିବାସୀ ମେଳାରେ ରାଜ୍ୟର ୨୨ଟି ଆଇଟିଡିଏ ଏବଂ ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି (ଏମପିଏ)ର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରୁଛନ୍ତି। ସବୁଠାରୁ ଅଧିକ ଭିଡ ଜମୁଛି “ଆଦିବାସୀ ହାଟ”ରେ ଯେଉଁଠି ଜୈବିକ ଦ୍ରବ୍ୟ ବିକ୍ରି ପାଇଁ ୬୬ଟି ଷ୍ଟଲ ଏବଂ “ଆଦିବାସୀ କଳା ହସ୍ତଶିଳ୍ପ” କର୍ଣ୍ଣରରେ ୧୫ଟି ଷ୍ଟଲ ରହିଛି ।

ଆଦିବାସୀ ସାମଗ୍ରୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପ୍ରୟାସରେ ଆୟୋଜିତ ଏହି ମେଳାରେ ଲାଞ୍ଜିଆ ସୌରା ସମ୍ପ୍ରଦାୟର କାପଡ଼ାଗନ୍ଦା, ଡଙ୍ଗରିଆ କନ୍ଧ ମାନଙ୍କ ସୂଚୀଶିଳ୍ପ ଶାଲ୍ ଏବଂ ଇଡିଟାଲ୍ ପେଣ୍ଟିଂ ବିକ୍ରି ପାଇଁ ରଖାଯାଇଛି । ଆଦିବାସୀ କାରିଗରୀ ଗୁଡ଼ିକ ମଧ୍ୟରେ ରହିଛି ଗୁଣୁପୁରର ଲାଞ୍ଜିଆ ସୌରା ଚିତ୍ରକଳା, ବାଲିଗୁଡ଼ାର ଡୋକ୍ରା କଳା, ଥୁଆମୂଳ ରାମପୁରର କାଠ ତିଆରି ସାମଗ୍ରୀ, କପ୍ତିପଦାର ସାନ୍ଥାଳ ହସ୍ତତନ୍ତ ସାମଗ୍ରୀ, ନବରଙ୍ଗପୁରର ଧାନ କଳା, ଏସସିଏସଟି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର କଳା ଓ ହସ୍ତଶିଳ୍ପ, ନବରଙ୍ଗପୁରର ମାଟିପାତ୍ର, ଜୟପୁରର ମିର୍ଗନ ହସ୍ତତନ୍ତ, କେନ୍ଦୁଝରର ଗଣ୍ଡ ମାନଙ୍କ କଳା, ସୁନ୍ଦରଗଡ଼ର ବାଉଁଶ ଓ ବେତ ହସ୍ତଶିଳ୍ପ, ମୟୂରଭଞ୍ଜ ବାରିପଦା ନିକଟସ୍ଥ ସୁରେଡିହିର ସାବାଇ ହସ୍ତଶିଳ୍ପ, ଯଶିପୁରରୁ ସିଆଲି କ୍ରାଫ୍ଟ, ନୀଳଗିରିର ଲାକ୍ ଆର୍ଟ, ରାଇରଙ୍ଗପୁରରୁ ବାଉଁଶ କାରିଗରୀ ଓ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଥର କାରିଗରୀ । ଏହା ସହ “ଆଦିବାସୀ ଆର୍ଟ ଆଣ୍ଡ କ୍ରାଫ୍ଟ” ଏନକ୍ଲୋଜରର ପ୍ରବେଶ ଦ୍ୱାର ନିକଟରେ ଲାଖ ଚୁଡ଼ି ତିଆରିର ଲାଇଭ୍ ପ୍ରଦର୍ଶନ ପ୍ରବଳ ଜନସମାଗମକୁ ଆକର୍ଷିତ କରୁଛି ।

 

Leave A Reply

Your email address will not be published.