Latest Odisha News

BREAKING NEWS

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ବିଶ୍ବରେ ଅସନ୍ତୋଷ ଦେଖାଦେଇଛି । ଟ୍ବିଟର କମ୍ପାନୀ ନିଜର ଅଧା କର୍ମଚାରୀଙ୍କ ସମେତ ଭାରତରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀଙ୍କୁ ତଡ଼ି ଦେଇଛି।

କମ୍ପାନୀ ନିଜର ପ୍ରାୟ ୭,୫୦୦ କର୍ମଚାରୀଙ୍କୁ ବାହାର କରି ଦେଇଛି । ସେଥି ମଧ୍ୟରେ ଭାରତର ପ୍ରାୟ ୨୪୦ କର୍ମଚାରୀ ଥିବା ଜଣାଯାଇଛି । କମ୍ପାନୀର ଏବେ ଭାରତରେ ମାତ୍ର ୧୦ ଜଣ କର୍ମଚାରୀ ରହିଛନ୍ତି । ଭାରତର ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ମାର୍କେଟିଂ ଅଧିକାରୀ, ସେଲସ୍, ଇଞ୍ଜିନିୟରିଂ ବିଭାଗରେ କାମ କରୁଥିବା କର୍ମଚାରୀ ଥିବା ସୂଚନା ମିଳିଛି। ଏବେ ଭାରତରେ ଟ୍ୱିଟରର ୨ କୋଟି ୩୬ ଲକ୍ଷରୁ ଅଧିକ ୟୁଜର୍ସ ରହିଛନ୍ତି।

ଛଟେଇ ବିଷୟରେ ଏଲୋନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି, ଟ୍ୱିଟରରେ ଛଟେଇ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଦୁର୍ଭାଗ୍ୟବଶତଃ, ଏହା ଏକ ସମୟରେ କରାଯାଉଛି ଯେତେବେଳେ କମ୍ପାନୀ ପ୍ରତିଦିନ ୪ମିଲିୟନ ଡଲାର ହରାଉଛି । ଏଥିପାଇଁ ମୁଁ ଦୁଃଖିତ, ହେଲେ ଅନ୍ୟ କୌଣସି ବିକଳ୍ପ ନାହିଁ । ଏବେ ୫୦ ପ୍ରତିଶତ କର୍ମଚାରୀରେ ୩ ମାସ କାମ କରିବାକୁ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି । ଜଣେ ପୂର୍ବତନ ଟ୍ବିଟର କର୍ମଚାରୀ କହିଛନ୍ତି କି ଏଲନ ମସ୍କଙ୍କ ଏହା ଅମାନବୀୟ କାଣ୍ଡ ।

ଏଥିସହ ଯେଉଁ କର୍ମଚାରୀ ଟ୍ୱିଟରରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଦିନକୁ ୧୨ ଘଣ୍ଟା ହିସାବରେ ସପ୍ତାହକ ୭ ଦିନ ଯାକ ଖଟିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.