Latest Odisha News

BREAKING NEWS

ହାଇଟେକ୍ ଟ୍ରାଜେଡି: ସ୍ଵାମୀର ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ସ୍ଵାମୀର ମୃତ୍ୟୁ ସହି ନପାରି ଆତ୍ମହତ୍ୟା କଲେ ସ୍ତ୍ରୀ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଥିଲେ ଜଣେ ଆହତ । ମୃତକ ଜଣଙ୍କ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ । ସେପଟେ କିନ୍ତୁ ସ୍ଵାମୀର ମୃତ୍ୟୁ ଖବରକୁ ସହି ପାରିନଥିଲେ ସ୍ତ୍ରୀ ସୁନା ସାମନ୍ତରାୟ । ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଲେ ସ୍ତ୍ରୀ ।

ଗତ ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦିଲ୍ଲୀପ ଓ ସୁନା । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡ଼ିଥିଲେ ସୁନା । ସେଥିପାଇଁ ସୁନାଙ୍କ ବାପଘର ଲୋକ ତାଙ୍କୁ ନିଜ ଘରକୁ ନେଇଯାଇଥିଲେ । ବାପଘରେ ଥିବା ବେଳେ ସୁନା ଆଜି ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକଙ୍କଠାରୁ ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତ ଶୁକ୍ରବାର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିପାଇଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା । ଏଥିରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.