Latest Odisha News

BREAKING NEWS

ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା, ଆଦେଶ ପାଳନ ନକଲେ ଲାଗିବ ଅଦାଲତ ଅବମାନନା

କଟକ: ସରକାରୀ ସମ୍ପତ୍ତିରୁ ଜବରଦଖଲ ଉଚ୍ଛେଦ ପାଇଁ ଓଡ଼ିଶା ହାଇକୋର୍ଟ ଓଡ଼ିଶାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ମାଜିଷ୍ଟ୍ରେଟଙ୍କୁ କୌଣସି ବାଧା ବା ଜନଅସନ୍ତୋଷ ସମ୍ପର୍କରେ ଅବଗତ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଆଇନଗତ ଭାବେ ବାଧ୍ୟ।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଜମି ଜବରଦଖଲକୁ ନେଇ ଆଇନଜୀବୀ ତ୍ରିନାଥ ପଣ୍ଡାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି।

ଜବରଦଖଲ ଉଚ୍ଛେଦ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ଦର୍ଶାଇ ହାଇକୋର୍ଟ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି। ଏଥିରେ ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୧୩୩ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ କର୍ତ୍ତବ୍ୟ ବାଧ୍ୟତାମୂଳକ ବୋଲି ଗୁରୁତ୍ୱାରୋପ କରାଯାଇଛି। ଯଦି କେହି ଏହି ଆଦେଶ ପାଳନ ନକରନ୍ତି ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କିମ୍ବା ଅପରାଧିକ କାର୍ଯ୍ୟାନୁଷ୍ଠାନ ସହ ଅଦାଲତ ଅବମାନନା ମଧ୍ୟ ହୋଇପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.