Latest Odisha News

BREAKING NEWS

ହାଇକୋର୍ଟ ବେଞ୍ଚ ବଦଳରେ ସବୁ ଜିଲ୍ଲାରେ ହେବ ଭିସି କ୍ୟାବିନ, ଭର୍ଚୁଆଲ କୋର୍ଟ ପରି କରିବ କାମ

କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିବାଦ ଲାଗି ରହିଥିବାବେଳେ ହାଇକୋର୍ଟଙ୍କ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟର ସକସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବ । ଏହା ଭର୍ଚୁଆଲ କୋର୍ଟ ପରି କାମ କରିବ । ଏହି କ୍ୟାବିନରେ ଭର୍ଚୁଆଲ ମୋଡରେ ମାମଲାର ଶୁଣାଣି କରାଯିବ । ଏଥିସହିତ ଇ ଫାଇଲିଂ, ମେନସନିଂ, ରିମୁଭାଲ ଅଫ ଡିଫେକ୍ଟସ, ସାର୍ଟିଫାଏଡ କପି ମଞ୍ଜୁର ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଏସଓପି ମାଧ୍ୟମରେ କରାଯିବ । ଏହାଦ୍ୱାରା ଆଇନଜୀବୀ ଏବଂ ପକ୍ଷମାନେ ଦୂରରେ ରହିଲେ ବି ହାଇକୋର୍ଟରେ ମାମଲା ପରିଚାଳନା କରିପାରିବେ ।

ସବୁ ଜିଲ୍ଲାରେ ଭିସି କ୍ୟାବିନ ପ୍ରତିଷ୍ଠା କରିବା ପାଇଁ ଡିସେମ୍ବର ୧୪ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ରାଜ୍ୟର ୩୦ଟି ଜଜସିପରେ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲାରେ ଏହି ଭିସି କ୍ୟାବିନ ପ୍ରତିଷ୍ଠା ହେବ । ପରେ ଆଉ ୨୩ଟି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ।

ଏହି ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଳାଙ୍ଗୀର, ସୁନ୍ଦରଗଡର ରାଉରକେଲା, କଳାହାଣ୍ଡିର ଭବାନୀପାଟଣା, କୋରାପୁଟର ଜୟପୁର, ଗଞ୍ଜାମର ବ୍ରହ୍ମପୁର, ଖୋଦ୍ଧାର ଭୁବନେଶ୍ୱର , ପୁରୀ, ବାଲେଶ୍ୱର, ଭଦ୍ରକରେ ଭିସି କ୍ୟାବିନ ପ୍ରତିଷ୍ଠା କରାଯିବ । ଏଥିପାଇଁ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯିବ । ଏହି କ୍ୟାବିନ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ହାଇକୋର୍ଟଙ୍କ ରେଜିଷ୍ଟ୍ରି ପକ୍ଷରୂ କୁହାଯାଇଛି ।

Leave A Reply

Your email address will not be published.