କିନ୍ନୋର: ହିମାଚଳପ୍ରଦେଶ ସିମଲା ହାଇଓ୍ୱେରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପାଖାପାଖି ୨୪ ଘଣ୍ଟା ବିତିବାକୁ ବସିଥିଲେ ବି ପାହଡ଼ା ଧସିବା ପରେ ଚାପି ହୋଇଥିବା ବସର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିନି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୨୦ ଜଣ ନିଖୋଜ ଥିବା ସୂଚନା ମିଳିଛି ।
ପଥର ଓ ମାଟି ଅତଡା ଭିତରେ ଚାପି ହୋଇ ଗୋଟିଏ ଟାଟା ସୁମୋ ଗାଡ଼ିରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାସ୍ତାରୁ ୫୦୦ ମିଟର ତଳେ ବସର ଧ୍ୱଂସାବଶେଷ ମିଳିଛି । ଘଟଣାସ୍ଥଳରେ ଆଇଟିବି, ଏନଡିଆରଏପ୍ ଓ ସିଆଇଏସଏଫ ଟିମ୍ ଉଦ୍ଧାରକାମରେ ଲାଗିଛନ୍ତି । ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।
ପାହାଡ଼ରୁ ଲଗାତାର ପଥର ଖଣ୍ଡ ଖସୁଥିବାରୁ ଉଦ୍ଧାର ଅଭିଯାନରେ ସମସ୍ୟା ହେଉଛି । ଗତକାଲି ଦିନ ପାଖାପାଖି ୧୨ଟା ବେଳେ କିନ୍ନୋର ଜିଲ୍ଲା ନିଗୁଲସରି ପାଖରେ ସିମଲା ହାଇଓ୍ୱେରେ ହଠାତ୍ ଭୂସ୍ଖଳନ ହୋଇଥିଲା । ପାହାଡ଼ ଧସିଥିଲା । ଏହି ରାସ୍ତାରେ ଯାଉଥିବା ବସ୍, କିଛି କାର୍ ଓ ଟ୍ରକ ଉପରେ ମାଡ଼ି ବସିଥିଲା ବଡ଼ ପଥର ଓ ମାଟି ଅତଡା ।
Comments are closed.