Latest Odisha News

BREAKING NEWS

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ: ପୋଲିସ ହାତ ଖାଲି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଆଜି ମାସେ ପୂରିଛି । ତଥାପି ମୃତ୍ୟୁ ରହସ୍ୟ ଭେଦି ପାରିନି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଲା ତାହା ଜାଣି ପାରିନି । ଗଜପତିରୁ ତଦନ୍ତ ଆରମ୍ଭ ହୋଇ ଆଉ 3ଟି ଜିଲ୍ଲାରେ ବି ଖୋଳତାଡ ହେଲା । ସାକ୍ଷ୍ୟପ୍ରମାଣ ଯୋଗାଡ଼, ବୟାନ ରେକର୍ଡ, ସାଇଣ୍ଟଫିକ୍ ତଦନ୍ତ ପରେ ବି ପୋଲିସ ହାତ ଖାଲି ।

ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା । ତାପରଦିନ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ମାସେ ପରେ ବି ଗଜପତି ପୋଲିସ ଜାଣି ପାରିନାହିଁ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା । ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ ସୌମ୍ୟଙ୍କ ବାପା ।
ପୋଲିସ ପ୍ରଥମ ପର୍ଯ୍ୟାୟ ତଦନ୍ତ ବେଳେ ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତିକୁ କ୍ଲିନଚିଟ୍ ଦେଇଥିଲା । ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ ପୋଲିସର ତଦନ୍ତ କେନ୍ଦ୍ରୀଭୂତ ଅଛି । ପୂର୍ବରୁ ବିଦ୍ୟାଭାରତୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଙ୍କ ପୈତୃକ ଘର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ଜେରା କରିଛି ଗଜପତି ପୋଲିସ ।

ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା ସହ ବୟାନ ରେକର୍ଡ କଲା । ବିଦ୍ୟା ପଢୁଥିବା ବଲାଙ୍ଗିର ଏଲଆଇଟିସିରେ ବି ତଦନ୍ତ କଲା । କିନ୍ତୁ କଣ ପାଇଲେ ଓ ତଦନ୍ତ କେତେ ବାଟ ଆଗେଇଛି କିଛି ସ୍ପଷ୍ଟ ଭାବେର କହିନି ପୋଲିସ । ଫଳରେ ତଦନ୍ତକୁ ନେଇ ପ୍ରଶ୍ନ ବି ଉଠାଇଲେଣି ସୌମ୍ୟଙ୍କ ପରିବାର ।
ପୋଷ୍ଟମର୍ଟମ ରିପୋର୍ଟରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିବାରୁ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଘର ଭିତରେ ତାଙ୍କ ଦେହରେ ନିଆଁ ଲାଗିଲା କେମିତି ତାହା ବଡ଼ ପ୍ରଶ୍ନବାଚୀ । ବିଦ୍ୟାଭାରତୀ ସେଦିନ ଘରେ ଥିଲେ । ସେ ଜାଣି ନାହାନ୍ତି କେମିତି ନିଆଁ ଲାଗିଲା । ପୋଲିସ ଏଦିଗରେ ଠୋସ୍ ପ୍ରମାଣ ପାଇଛି କି ନାହିଁ ? ଏହାକୁ ନେଇ ବି ସସପେନ୍ସ ବଢୁଛି ।

ଦିନ ପରେ ଦିନ । ଏମିତି ଅପେକ୍ଷା ଭିତରେ ସୌମ୍ୟଙ୍କ ମୃତ୍ୟକୁ ମାସେ ହେଲା । ତଦନ୍ତ ଆଳରେ ଦିନ ଗଡିଛି । ନୂଆ ନୂଆ ରହସ୍ୟ ସାମନାକୁ ଆସିଛି । କିନ୍ତୁ ସୌମ୍ୟଙ୍କ ମୃତ୍ୟୁ ସସପେନ୍ସ ଉପରୁ ହନିଟି ପରଦା । ଏହାରି ଭିତରେ ପୋଲିସ ତଦନ୍ତରୁ ପାଇଛି କଣ ? କେଉଁ ନିର୍ଯାସରେ ପହଞ୍ଚିଛି ? ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ? ଏସବୁ ପ୍ରଶ୍ନବାଚୀ ଭିତରେ ନ୍ୟାୟ ଅପେକ୍ଷାରେ ସୌମ୍ୟଙ୍କ ପରିବାର । ସେପଟେ ପୋଲିସ କହିଛି, କିଛି ଟେକନିକାଲ୍ ରିପୋର୍ଟକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.