Latest Odisha News

BREAKING NEWS

ହିନ୍ଦୀ ଔପନ୍ୟାସିକା ଅଲକା ସାରୋଗୀ ପାଇବେ ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: ହିନ୍ଦୀ ଔପନ୍ୟାସିକା ତଥା କ୍ଷୁଦ୍ର ଗଳ୍ପ ଲେଖିକା ଅଲକା ସାରୋଗୀଙ୍କୁ ୨୦୨୩ ବର୍ଷ ପାଇଁ ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ । ନିକଟରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜୁଲାଇ ୧୧ରେ  ବିଶ୍ୱବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ସାରୋଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।  ୬୨ ବର୍ଷୀୟ ଏହି ଲେଖିକା ତାଙ୍କ ଉପନ୍ୟାସ ‘କଲିକଥା: ଭାୟା ବାଇପାସ୍’ ପାଇଁ ୨୦୦୧ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି | ଉପନ୍ୟାସ ବ୍ୟତୀତ ସେ ଅନେକ କ୍ଷୁଦ୍ରଗଳ୍ପ ମଧ୍ୟ ଲେଖିଛନ୍ତି |

ଏହି ପୁରସ୍କାରଟି ଫକୀର ମୋହନଙ୍କ ସ୍ମୃତିରେ ସମସ୍ତ ହିନ୍ଦୀ ଭାଷା ଓ ଇଂରାଜୀ  ଭାଷାର  ପ୍ରସିଦ୍ଧ ଲେଖକମାନଙ୍କୁ ପ୍ରଦାନ କରାଯାଉଛି  । ଏହି ପୁରସ୍କାର ବାବଦରେ  ସାରୋଗୀଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।  ସାରୋଗୀ ହେଉଛନ୍ତି ତୃତୀୟ ବ୍ୟକ୍ତି ଯିଏ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି ।  ୨୦୦୪ରେ    ପ୍ରଥମ ଥର ପାଇଁ ଏହି ପୁରସ୍କାର ୟୁଆର ଅନନ୍ତମୂର୍ତ୍ତିଙ୍କୁ ଦିଆଯାଇଥିଲା  । କିନ୍ତୁ ପର ବର୍ଷ ଏହାକୁ ବନ୍ଦ କରି ଦିଆ ଯାଇଥିଲା । ହେଲେ ଗତବର୍ଷଠାରୁ  ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁଣି ଏହି ପୁରସ୍କାର ପ୍ରଦାନ କରାଯାଉଛି ।  ଗତ ବର୍ଷ  ତାମିଲ ଲେଖକ ପେରୁମାଲ ମୁରୁଗାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟିକ  ଗୋରହରୀ ଦାସଙ୍କୁ ବ୍ୟାସଗୌରବ ସମ୍ମାନ -୨୦୨୩ ପ୍ରଦାନ  କରାଯିବ । ଏଥି ସହିତ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ତଥା ଅବସରପ୍ରାପ୍ତ ଆଇଆଇଟି ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ । ଉଭୟଙ୍କୁ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ସେହିଭଳି ଗାଳ୍ପିକ ସଞ୍ଜୟ ପଣ୍ଡାଙ୍କୁ ଫକୀର ମୋହନ ଯୁବ କ୍ଷୁଦ୍ର ଗଳ୍ପ ଲେଖକ (୩୫ ବର୍ଷରୁ କମ) ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ  ତାଙ୍କୁ ୫୦୦୦   ନଗଦ ଟଙ୍କା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।

Leave A Reply

Your email address will not be published.