Latest Odisha News

BREAKING NEWS

ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି କରିଛି ଓଡ଼ିଶାର ଏହି ସ୍ଥାନର କାଳୀପୂଜା, ଜାଣନ୍ତୁ…

ରାଜକନିକା: ମଙ୍ଗଳମୟୀ, ଶତ୍ରୁସଂହାରିଣୀ ମହାମାୟା ମା’ କାଳୀଙ୍କ ପୂଜା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି । ଏହି ପୃଥିବୀ ପୃଷ୍ଠରୁ ଦୁଷ୍ଟ, ଦୂରାଚାରୀ ବା ରାକ୍ଷସ ଶକ୍ତିକୁ ସମ୍ପୂର୍ଣ୍ଣ ନାଶ କରିବାକୁ ମା’ କାଳୀଙ୍କ ଆବିର୍ଭାବ । ସର୍ବଶକ୍ତିମୟୀ ମା’କାଳୀଙ୍କୁ ଉପାସନା କରିବା ମାତ୍ରେ ମନରୁ ଦୁଃଖ, ଭୟ ଦୂର ହେବା ସହିତ ଶତ୍ରୁନାଶ କରିବାକୁ ଭକ୍ତମାନେ ଆରୋଗ୍ୟ ଲାଭ ମଧ୍ୟ କରିଥାଆନ୍ତି । ଏକତ୍ରୀତ ଭାବେ ଉପାସନା କରୁଥିବା ଯୋଗୁଁ ଭକ୍ତମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ଦେଇଥାଆନ୍ତି ମା’କାଳୀ । କେନ୍ଦ୍ରାପଡ଼ା ଜିଲ୍ଲାର ଓଳାଭର ଗ୍ରାମରେ ଅନୁଷ୍ଠିତ ହେଉଥିବା କାଳୀପୂଜା ହିନ୍ଦୁ ଓ ମୁସଲମାନ ଧର୍ମର ଜନସାଧାରଣଙ୍କୁ ମଧ୍ୟ ଏକତାର ସୂତ୍ରରେ ବାନ୍ଧି ପାରିଛି । ଏହି ଗ୍ରାମରେ ଦୀର୍ଘ ୭୩ ବର୍ଷ ଧରି ଉଭୟ ଧର୍ମର ଜନସାଧାରଣ ମହାସମାରୋହରେ ପାଳନ କରିଥାଆନ୍ତି ଶକ୍ତିମୟୀ ମା’ କାଳୀଙ୍କ ପୂଜା ।

ଓଳାଭରର ଦକ୍ଷୀଣକାଳୀ ମନ୍ଦିରରେ ଥିବା ମା’କାଳୀଙ୍କୁ ଉଭୟ ସମ୍ପ୍ରଦାୟର ଜନସାଧାରଣ ଉପାସନା କରି ଆସୁଛନ୍ତି । ୧୯୪୬ ମସିହାରେ ଗଠିତ ହୋଇଥିଲା ମା’ କାଳୀଙ୍କ କମିଟି । ସ୍ଥାନୀୟ ହିନ୍ଦୁ ମାନଙ୍କ ସହିତ ମୁସଲମାନ ଜନସାଧାରଣ ଏକାଠି ମିଶି ଏହି କାଳୀପୂଜା ଉତ୍ସବକୁ ଦୀର୍ଘ ୧୪ ଦିନ ଧରି ପାଳନ କରିଥାଆନ୍ତି ।

ଓଳାଭର କାଳୀକମିଟିର ସଭାପତିଙ୍କ କହିବାନୁଯାୟୀ, ଭାରତର ସ୍ୱାଧୀନତା ହାସଲର ଗୋଟିଏ ବର୍ଷ ପୂର୍ବରୁ ଦେଶର ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ବ୍ୟାପୁଥିବା ବେଳେ ଠିକ୍ ସେହିସମୟରେ ଓଳାଭର ଗ୍ରାମରେ ଥିବା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ଏକାଠି ମିଶି ପାଳୁଥିଲେ କାଳୀପୂଜା ।

୧୯୪୬ ମସିହାରେ ଓଳାଭର ଗ୍ରାମର ଶେଖ୍ କରାମତ୍ ଅଲ୍ଲୀ ନାମକ ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ଓ ମୁସଲମାନ ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନର ଲକ୍ଷ୍ୟ ନେଇ ଆରମ୍ଭ କରିଥିଲେ ଏହି କାଳୀପୂଜା ।

ଦେଶ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଆଜି ପର୍ଯ୍ୟନ୍ତ ଓଳାଭରଠାରେ ଦୀର୍ଘ ୧୪ ଦିନ ବ୍ୟାପୀ ମହାଆଡ଼ମ୍ବରରେ ଉଭୟ ସମ୍ପ୍ରଦାୟର ଜନସାଧାରଣ ମିଳିମିଶି ମା’କାଳୀଙ୍କ ପୂଜା ଉତ୍ସବ ପାଳନ କରିବା ପ୍ରକୃତରେ ସମସ୍ତଙ୍କ ଲାଗି ଏକ ଉଦାହରଣ ପାଲଟିଛି ।

“ପ୍ରତିବର୍ଷ ପୂଜା ପେଣ୍ଡାଲରେ ଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏବର୍ଷ ଯାତ୍ରା ସହିତ ପାଲା ପରିବେଷଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି,” ବୋଲି ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ପୂଜା କମିଟିର ସଭାପତି ।

ଏହି ପୂଜା ଉତ୍ସବ ସମ୍ପର୍କରେ ଜଣେ ସ୍ଥାନୀୟ ମୁସଲମାନ ବ୍ୟକ୍ତି କହିଛନ୍ତି, “ଏଥର ପୂଜାରେ ଯେପରି ଉଠା ଦୋକାନୀମାନେ ହଇରାଣ ହରକତ ନ’ହୁଅନ୍ତି ସେଥିପ୍ରତି ଆମ କମିଟି ପକ୍ଷରୁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଛି ।”

ଓଳାଭରର କାଳୀପୂଜା ପ୍ରକୃତରେ ସମଗ୍ର ଭାରତ ତଥା ଓଡ଼ିଶା ଲାଗି ଖାଲି ଏକ ଉଦାହରଣ ପାଲଟିନି ବରଂ ଏକତା, ସାମ୍ପ୍ରଦାୟିକ ସଦଭାବ ଏବଂ ଭାଇଚାରା ଲାଗି ଏହା ହେଉଛି ପ୍ରକୃତ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ ।

Leave A Reply

Your email address will not be published.