Latest Odisha News

BREAKING NEWS

୧୪ ବର୍ଷ ତଳ ଘଟଣାର ପୁନରାବୃତ୍ତି: ସେତେବେଳେ କରମଣ୍ଡଳ ନେଇଥିଲା ୧୬ ଜଣଙ୍କ ଜୀବନ

ଭୁବନେଶ୍ୱର: ପୁଣି ଥରେ ଦୀର୍ଘ ୧୪ ବର୍ଷ ପରେ ରେଲଟ୍ରାକ୍‌ରେ ଭୟଙ୍କର ଦୁର୍ଘଟଣାର ପୁନରାବୃତ୍ତି ଘଟିଛି । ୨୦୦୯ ମସିହା ଫେବୃୟାରୀ ୧୩ ତାରିଖରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୧୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାଟି ଘଟିଥିଲା ଯାଜପୁର ରୋଡ଼ ନିକଟରେ । ଏବେ ୧୪ ବର୍ଷ ପରେ ପୁଣି ଥରେ ବାଲେଶ୍ୱର ଜିଲ୍ଲାର ବାହାନଗାରେ ରାତିର ଅନ୍ଧକାର ଭିତରେ ଘଟିଛି ଭୟଙ୍କର ଦୁର୍ଘଟଣା, ଯେଉଁଥିରେ ଲଗାତର ଭାବେ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସବୁଠାରୁ ଉଦ୍‌ବେଗଜନକ କଥା ହେଲା, ରାତିର ଅନ୍ଧକାର ଭିତରେ ଉଦ୍ଧାର କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଥିବା କାରଣରୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ପ୍ରାୟ ୧୪ ବର୍ଷ ତଳେ ବି କରମଣ୍ଡଳ ଏକ୍ସପ୍ରେସ ଯାଜପୁର ରୋଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ସେତେବେଳେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ମେଡ଼ିକାଲରେ ଆଉ ୬ ଜଣ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେ ସମୟରେ ଘଟିଥିବା ଦୁର୍ଘଟଣାରେ ରାତିର ଅନ୍ଧକାରସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା କାରଣରୁ ମୃତାହତଙ୍କ ସଂଖ୍ୟା କମ୍ ରହିଥିଲା । ଏହି ଟ୍ରେନଟି ଦ୍ରୁତ ଗତିରେ ହାଓଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିଲା । ଯାଜପୁର ରୋଡ଼ ଷ୍ଟେଶନ ନିକଟରେ ଏହାର୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ସେ ଭିତରୁୁ ୧୧ଟି ସ୍ଲିପର ଓ ଦୁଇଟି ଜେନେରାଲ୍ ବଗି ଥିଲା । ଏହି ଦୁର୍ଘଟଣା ପରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ସହ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ରେନଟି ଟ୍ରାକ ପରିବର୍ତ୍ତନ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିଲା ବୋଲି ତଦନ୍ତରୁ ଜଣାଯାଇଥିଲା ।

 

Leave A Reply

Your email address will not be published.