Latest Odisha News

BREAKING NEWS

ଟ୍ରେନ୍ ଦୁର୍ଘଟଣାରେ ୫୦ରୁ ଅଧିକ ମୃତ ! କାଲି ଦୁର୍ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ବାଲେଶ୍ୱର: ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ଦୁର୍ଘଟଣାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୦୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଉଭୟ ଏକ୍ସପ୍ରେସର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀଙ୍କୁ ଭେଟିବା ସହ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି । ଏଥିସହ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଘରୋଇ ଓ ସରକାରୀ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଗୋଆରୁ ବାହାରି ଆସନ୍ତାକାଲି ସକାଳେ ସେ ବାହାନଗାରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଏୟାର ଫୋର୍ସ ସହାୟତା କରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଦୁର୍ଘଟଣା ପରେ ହାୱଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର ୦୩୩-୨୬୩୮୨୨୧୭, ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯, ୭୯୭୮୪୧୮୩୨୨, ଶାଲିମାର ହେଲ୍ପ ଲାଇନ୍ ନମ୍ବର ୯୯୦୩୩୭୦୭୪୬ ରହିଛି ।

Leave A Reply

Your email address will not be published.