ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ରାତିରେ ଏକ ଅଜଣା ଦ୍ରୁତଗାମୀ ଗାଡ଼ି ବାଇକକୁ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ବାଇକରେ ଯାଉଥିଲା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ପ୍ରବଳ ଜୋରରେ ଧକ୍କା ଦେଇଥିଲା। ଉଭୟ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ସୂଚନା ପାଇ ଖଣ୍ଡଗିରି ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ଜଣାପଡ଼ିଛି। ଘଟଣା ପରେ ପୋଲିସ ଉକ୍ତ ଗାଡ଼ିକୁ ଖୋଜିବା ପାଇଁ ତଲାସ ଆରମ୍ଭ କରିଛି। ତଦନ୍ତକାରୀମାନେ ଦୁର୍ଘଟଣାସ୍ଥଳ ଏବଂ ଆଖପାଖରେ ଥିବା ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସ୍କାନ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଚିହ୍ନଟ ପାଇଁ ପ୍ରୟାସ କରାଯାଉଛି।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଗତକାଲି ମଧ୍ୟ ହିଟ୍ ଆଣ୍ଡ ରନ୍ ମାମଲାରେ ଏକ ମର୍ଶିଡିଜ୍ କାର୍ ଟ୍ରାଫିକ ପୋଷ୍ଟରେ ଏକ ବାଇକକୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।