ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଜି ପ୍ରତିପଦା ତିଥିରେ ଶ୍ରୀଜିଉଙ୍କ ଉଭାଯାତ୍ରା। ସକାଳୁ ଦୈନନ୍ଦିନ ନୀତି ପରେ ରଥ ଆଜ୍ଞାମାଳ ବିଜେ କରାଯିବ। ଘଣ୍ଟ, ଛତା କାହାଳି ସହ ପଟୁଆରରେ ଆସିବ ଆଜ୍ଞାମାଳ। ପଟୁଆରରେ ପୂଜାପଣ୍ଡା ମାନେ ମହାପ୍ରଭୁଙ୍କର ଆଜ୍ଞାମାଳ ନେଇ ବିଜେ କରାଇବେ। ଏହା ପରେ ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ରଥ ଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଟଣାଯିବ। ପରେ ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ବଳଭଦ୍ରଙ୍କର ତାଳଧ୍ବଜ ରଥକୁ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ।
ତିନି ରଥର ଚକ ଅଖରେ ତୈଲ ଲାଗି ହୋଇ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏହାପରେ ରଥଖଳାରେ ପ୍ରସ୍ତୁତ ତିନି ରଥକୁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଟାଣି ଟାଣି ଆଣିବେ । ସିଂହଦ୍ୱାର ଚକଡାରେ ତିନି ରଥକୁ ଟାଣି ଆଣିବା ପରେ ଉତ୍ତର ମୋଡ କରାଯିବ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି ।
ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ନଜରରେ ରଖି ଶ୍ରୀଜୀଉ ମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। ଆଜି ବିଳମ୍ବିତ ପ୍ରହରରେ ଶ୍ରୀମୁଖ ଖଣ୍ଡୁଆ, ଡାହୁକ କଣ୍ଟ, ସେନାପଟା ଲାଗି ନୀତି କରାଯିବ। ରାତି ୧୦ ଟା ୪୫ ରେ ବାହୁଟ କଣ୍ଟ ଓ ରାତି ୧୧ ଟା ରୁ ଆସନ୍ତାକାଲି ଭୋର୍ ୫ ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବାକୁ ନିର୍ଘଣ୍ଟ ହୋଇଛି ।
Comments are closed.