Latest Odisha News

BREAKING NEWS

ଓଲିଉଡରେ ରଙ୍ଗର ଫୁଆରା..ଲୋକପ୍ରିୟ ଓଡିଆ ହୋଲି ଗୀତ

ସଙ୍ଗୀତ ବିନା ରଙ୍ଗର ପର୍ବ ହୋଲି ଅଧୁରା । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମିବାକୁ ପସନ୍ଦ କରନ୍ତି । ଓଡିଆ ସିନେମା ଓ ଆଲବମ ଦୁନିଆର କିଛି ଲୋକପ୍ରିୟ ଗୀତ ସବୁ ହୋଲି ଓଡିଆଙ୍କ ମନକୁ ରୋମାଞ୍ଚୀତ କରିଥାଏ । ହୋଲିକୁ ନେଇ ସବୁଠାରୁ ଲୋକପ୍ରିୟ ଓଡିଆ ସିନେମା ଗୀତ ହେଉଛି ‘ବଳିଦାନ’ ସିନେମାର ‘ହୋଲି ହୋଲିରେ ହୋଲି… ରଙ୍ଗ ରଙ୍ଗେଲି ନାଲି’ ।

ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ହୋଇଥିବା ଏହି ଗୀତର ତାଳେ ତାଳେ ରଙ୍ଗ ଉଡାଇ ନାଚୁଥିବା ପ୍ରଶାନ୍ତ ନନ୍ଦଙ୍କ ଛବି ସବୁ ଓଡିଆଙ୍କ ମାନସ ପଟରେ ଆଜିବି ଭାସିଉଠେ । ସେହିପରି ଆଉ ଏକ ଲୋକପ୍ରିୟ ପୁରୁଣା ସିନେମା ଗୀତ ହେଉଛି ‘ମା ମୋତେ ଶକ୍ତି ଦେ’ ଫିଲ୍ମର ‘ହୋଲି ଆସିଛି … ଆସିଛି ହୋଲି’ । ନିଜାମଙ୍କ ଲେଖାକୁ ନେଇ ମୁସିରଙ୍କ ସଙ୍ଗୀତ ନର୍ଦ୍ଦେଶନାରେ ଅନୁରାଧା ପୋଡୱାଲ, ସବିର କୁମାର, ଦିଲରାଜ
କୌର, ଚନ୍ଦ୍ରାଣି ମୁଖାର୍ଜୀ ଏହି ଗୀତଟିକୁ ଗାଇଥିଲେ ।

ନୂଆ ପିଢୀର ଗୀତ ମଧ୍ୟରେ ‘ଦିୱାନା’ ଚଳଚ୍ଚିତ୍ରରେ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନରେ ବିନୋଦ ରାଠୋର ଓ ଇରା ମହାନ୍ତି ଗାଇଥିଲେ ‘ନେ ନେ ନେ ରଙ୍ଗ ଟିକେ ଦେଲି…’ ଗୀତ । ଏଥିରେ ଅନୁଭବ ଓ ପପୁ ପମ ପମଙ୍କ ହୋଲି ଖେଳିବା ସହ ନୃତ୍ୟ ନୂଆପିଢୀଙ୍କୁ ମନକୁ ବେଶ୍ ଛୁଇଁଥିଲା ।
ଅନ୍ୟ ଏକ ଗୀତ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ତୁ ମୋ ଲଭ ଷ୍ଟୋରୀ -୨’ର ‘ହୋଲିରେ ପ୍ରେମ ଛିଟା… ଇସ୍ ରଙ୍ଗର ଏ ବର୍ଷା ମତେ ଭିଜାଇ ଦେଲା ‘ ଗୀତଟି ।

ପ୍ରେମ ଆନନ୍ଦ ସଙ୍ଗୀତଟିକୁ ସଜାଇଥିବା ବେଳେ ହ୍ୟୁମାନ ସାଗର ଓ ଲୋପାମୁଦ୍ରା ଦାଶ ଗୀତଟିକୁ ଗାଇଥିଲେ ।  କେବଳ ସିନେମାରେ ନୁହେଁ ଆଲବମରେ ବି ହୋଲିର ଛିଟା ଦେଖିବାକୁ ମିଳେ । ଓଡିଆ ମନୋରଂଜନ ଜଗତରେ ଆଲବମ ଗୀତର କ୍ରେଜ ଆରମ୍ଭ ସମୟର ହୋଲି ଗୀତ ରଙ୍ଗବତୀ ରଙ୍ଗ ମାଇଲା ବେଶ ଲୋକପ୍ରିୟ ହୋଇଥିଲା । ସାର୍ଥକ ମ୍ୟୁଜିକ ପ୍ରସ୍ତୁତ ଏହି ଭିଡିଓରେ ଅନୁଭବ, ବୁଲୁ, ମିଠି ଓ ସସ୍ମିତାଙ୍କୁ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.