Latest Odisha News

BREAKING NEWS

ଚୀନ୍‌ର ୬ ହଜାର ପ୍ରେକ୍ଷାଳୟରେ ପୁଣି ମୁକ୍ତିଲାଭ କରିବ “ଇଂଲିଶ ଭିଂଲିଶି”

ମୁମ୍ବାଇ: ଚୀନ୍‌ରେ ରହୁଥିବା ହିନ୍ଦି ଭାଷାଭାଷୀ ପ୍ରବାସୀ ଭାରତୀୟ ତଥା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ ଓ ଫଲୋଅର୍ସଙ୍କ ପାଇଁ ଖୁସି ଖବର । ଶ୍ରୀଦେବୀଙ୍କ ଅଭିନିତ ଚଳଚ୍ଚିତ୍ର ‘ଇଂଲିଶି ଭିଂଲିଶି’ ପୁଣି ଥରେ ଚୀନ୍‌ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ତାହା ପୁଣି ଗୋଟେ କି ଦୁଇଟି ପ୍ରେକ୍ଷାଳୟରେ ନୁହେଁ, ଏକାଥରକେ ୬୦୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଶ୍ରୀଦେବୀଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସିନେପ୍ରେମୀଙ୍କ ପାଇଁ ଏହା ଏକ ଉପହାର ବୋଲି ପ୍ରଡ଼କ୍ସନ ହାଉସ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି ।

ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଅନ୍ୟତମ । ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ି ଯାଇଛନ୍ତି ଶ୍ରୀଦେବୀ । ୨୦୧୮ ମସିହା ଫେବୃଆରୀ ରେ ତାଙ୍କର ପରଲୋକ ହୋଇଥିଲା, ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା । ଆସନ୍ତା ୨୪ ତାରିଖରେ ତାଙ୍କର ୫ମ ଶ୍ରାଦ୍ଧବାର୍ଷିକୀ ପାଳନ ହେବାକୁ ଯାଉଛି । ଏହି ଅବସରରେ ଶ୍ରୀଦେବୀଙ୍କ ସ୍ମୃତିକୁ ତାଜା କରିବା ଲାଗି ଏହି ଦିନକୁ ଏକ ବିଶେଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେଥିଲାଗି ତାଙ୍କ ଅଭିନିତ ଚଳଚ୍ଚିତ୍ର ‘ଇଂଲିଶି ଭିଂଲିଶି’ ଆସନ୍ତା ୨୪ ତାରିଖରେ ଚୀନ୍‌ରେ ପୁଣି ଥରେ ମୁକ୍ତିଲାଭ କରିବ ।
ପ୍ରଥମ ରିଲିଜ୍ ସମୟରେ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଗୌରୀ ସିନ୍ଦେ । ତାଙ୍କ ମା’ଙ୍କ ଜୀବନର ବାସ୍ତବ ଅନୁଭୂତିକୁ ନେଇ ଏହି ଫିଲ୍ମ ତିଆରି ହୋଇଥିଲା । ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରିଥିଲେ, ଯିଏ କି ଆମେରିକାରେ ରୁହନ୍ତି । ବିବାହ ଓ ସନ୍ତାନ ପ୍ରାପ୍ତି ପରେ ସେ ଇଂଲିଶି ଶିଖିବାକୁ ଆଗ୍ରହୀ ହୋଇଥିଲେ । ଏହି କାହାଣୀକୁ ନେଇ ନିର୍ମିତ ହୋଇଥିଲା ସିନେମା । ୨୦୧୨ ମସିହାରେ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ଏହାର ପ୍ରିମିୟର କରାଯାଇଥିଲା ।୧୫ ବର୍ଷ ପରେ ପୁଣି ଥରେ ଏହି ଫିଲ୍ମ ଚୀନ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ।

ଭାରତୀୟ ଫିଲ୍ମ ଧୀରେ ଧୀରେ ପ୍ରତିଯୋଗିତାମୂଳକ ଭାବେ ଚୀନ୍‌ର ଚଳଚ୍ଚିତ୍ର ବଜାରରେ ପ୍ରବେଶ କରୁଛି । ଭାରତୀୟ ଫିଲ୍ମର ଚାହିଦା ଚୀନରେ ଅଧିକ । ବଲିଉଡ ସୁପରଷ୍ଟାର ଶ୍ରୀଦେବୀଙ୍କ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଚୀନ୍‌ର ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି । ତେଣୁ ରି-ରିଲିଜ ପରେ ଫିଲ୍ମଟି ସେଠାକାର ସିନେପ୍ରେମୀଙ୍କ ଦ୍ୱାରା ଗ୍ରହଣୀୟ ହେବ ବୋଲି ଆଶା କରିଛି ପ୍ରଡ଼କ୍ସନ ହାଉସ ।

 

 

Leave A Reply

Your email address will not be published.