Latest Odisha News

BREAKING NEWS

ତୁର୍କୀ ଭଳି ଭାରତରେ ଭୂମିକମ୍ପ ହେଲେ କ’ଣ ହେବ ?

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।

ଭୂମି ୨ରୁ ୬ ସେକେଣ୍ଡ ଯାଏ ଥରୁଛି । ଦେଶର ପ୍ରାୟ ୫୯ ପ୍ରତିଶତ ଅଞ୍ଚଳ ଭୂମିକମ୍ପ ପ୍ରବଣ ଜୋନରେ ଆସୁଛି । ସବୁଠୁ ଅଧିକ ଭୂମିକମ୍ପ ବିପଦ ରହିଛି ହିମାଳୟ କ୍ଷେତ୍ର ପ୍ରତି । ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି ।

୧୮୯୭ରେ ସିଂଲର ପଠାରରେ ୮.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ୧୯୦୫ରେ କାଙ୍ଗଡ଼ାରେ ୭.୮ ତୀବ୍ରତାର, ୧୯୩୪ରେ ବିହାର-ନେପାଳ ସୀମାରେ ୮.୩ ତୀବ୍ରତାର, ୧୯୫୦ରେ ଅରୁଣାଚଳ-ଚୀନ ସୀମାରେ ୮.୫ ତୀବ୍ରତାର ଏବଂ ୨୦୧୫ରେ ନେପାଳରେ ୭.୯ ତୀବ୍ରତାର ଭୂମିକମ୍ପ ଆସିଥିଲା ।

ଏହି ଅଞ୍ଚଳ ମଧ୍ୟମରୁ ବିପଜ୍ଜନକ ଭୂମିକମ୍ପ ସ୍ତରରେ ଆସୁଛି । କାରଣ ଏହି ଅଞ୍ଚଳରେ ୨ ମହାଦ୍ୱୀପର ଟେକ୍ଟୋନିକ ପ୍ଲେଟ୍ ମିଶିଥାଏ । ଇଣ୍ଡିଆନ୍ ଟେକ୍ଟୋନିକ ଏବଂ ତିବ୍ବତନ ପ୍ଲେଟ୍ସ ସ୍ପରସ୍ପର ମଧ୍ୟରେ ମାଡ଼ ହେବା ଫଳରେ ଚାପ ସୃଷ୍ଟି ହୋଇ ଭୂମିକମ୍ପ ହୋଇଥାଏ । ଯାହା ଫଳରେ ୨୪୦୦ କିଲୋମିଟର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୁଏ । ବିଆଇଏସ୍ ଦେଶର ଭୂମିକମ୍ପ ପ୍ରବଣ ଅଞ୍ଚଳକୁ ୫ଟି ଭାଗରେ ବାଣ୍ଟିଛି । ଯେଉଁଠି ପଞ୍ଚମକୁ ସବୁଠୁ ଅଧିକ ବିପଜ୍ଜନକ ଓ ସକ୍ରିୟ ବିବେଚନା କରାଯାଏ ।

ପଞ୍ଚମ ଜୋନରେ ଆସୁଥିବା ଅଞ୍ଚଳରେ ଭୂମିକମ୍ପ ଓ କ୍ଷୟକ୍ଷିତର ଆଶଙ୍କା ଅଧିକ । ପଞ୍ଚମ ଜୋନରେ ଭାରତର ୧୧ ପ୍ରତିଶତ ଅଞ୍ଚଳ ଆସୁଛି । ସେହିଭଳି ଚତୁର୍ଥ ଜୋନରେ ୧୮ ପ୍ରତିଶତ, ତୃତୀୟ ଜୋନରେ ୩୦ ପ୍ରତିଶତ ଅଞ୍ଚଳ ରହିଛି । ସବୁଠୁ ଅଧିକ ବିପଦ ପଞ୍ଚମ ଓ ଚତୁର୍ଥ ଜୋନରେ ରହୁଥିବା ରାଜ୍ୟକୁ ରହୁଛି ।

ପଞ୍ଚମ ଜୋନରେ ଜମ୍ମୁ କାଶ୍ମୀରର କାଶ୍ମୀର ଘାଟି, ହିମାଚଳ ପ୍ରଦେଶର ପଶ୍ଚିମ ଭାଗ, ଉତ୍ତରାଖଣ୍ଡର ପୂର୍ବାଞ୍ଚଳ, ଗୁଜରାଟର କଚ୍ଛ, ଉତ୍ତର ବିହାର, ଭାରତର ସମସ୍ତ ପୂର୍ବୋତ୍ତର ରାଜ୍ୟ ସହ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ରହିଛି ।

ଏଥିସହ ପଢ଼ନ୍ତୁ: ଦବୁଛି ଯୋଶୀମଠ, ଓଡ଼ିଶାର କେଉଁ ଜିଲ୍ଲାକୁ ରହିଛି ବିପଦ ?

ସେହିଭଳି ଚତୁର୍ଥ ଜୋନରେ ରହିଛି, ଜମ୍ମୁ ଓ କାଶ୍ମୀର, ଲଦାଖ, ହିମାଚଳ ଓ ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ସିକ୍କିମ, ଉତ୍ତରପ୍ରଦେଶର କିଛି ଅଞ୍ଚଳ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ଅନୁସାରେ, ଓଡ଼ିଶା ଜୋନ୍ ଦୁଇ ଓ ତିନିରେ ଆସୁଛି ।

ଜୋନ୍ ୨ରେ ଆସୁଥିବା ଜିଲ୍ଲାରେ ଭୂମିକମ୍ପ ଜନିତ କ୍ଷୟକ୍ଷତି ଆଶଙ୍କା କମ୍ ଥିବା ବେଳେ ଜୋନ୍ ୩ରେ ଆସୁଥିବା ଜିଲ୍ଲାରେ ମଧ୍ୟମଧରଣର କ୍ଷୟକ୍ଷତି ଆଶଙ୍କା ରହିଥାଏ । ତେବେ ମଧ୍ୟମଧରଣର ରିସ୍କ ଜୋନରେ ସମ୍ପୂର୍ଣ୍ଣ ଜଗତସିଂହପୁର ଜିଲ୍ଲା ରହିଛି । ଓଡ଼ିଶାର ୧୬ଟି ଜିଲ୍ଲା ମଧ୍ୟମଧରଣର ରିସ୍କ ଜୋନରେ ରହିଥିବା ବେଳେ ୧୪ଟି ଜିଲ୍ଲା କମ୍ କ୍ଷୟକ୍ଷତି ରିସ୍କ ଜୋନରେ ଆସୁଛି ।

Leave A Reply

Your email address will not be published.