Latest Odisha News

BREAKING NEWS

କୋର୍ଟରେ ହାଜର ହେଲେନି ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ଆଜି କୋର୍ଟରେ ହାଜର ହେବାର ଥିଲା। ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ସୂଚନା ମୁତାବକ, ଶ୍ରଦ୍ଧାଞ୍ଜଳି କୋର୍ଟରେ ଅନୁପସ୍ଥିତ ରହିବା ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ଏହା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ଫେବୃଆରି ୭ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ତାଙ୍କର ଦୁଇ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ଓ ଖଗେଶ୍ୱରଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରଦ୍ଧାଞ୍ଜଳୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଭୁବନେଶ୍ୱର ଜେଲ୍ରୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବାର ଥିଲା।

ସେପଟେ ଅର୍ଚ୍ଚନା ନାଗଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱର ମଙ୍ଗଳବାର ଜାମିନ ପାଇଁ ଆବେଦନ କରିଛନ୍ତି। ଖଗେଶ୍ୱରଙ୍କ ଓକିଲ ଭୁବନେଶ୍ୱର ଜିଲ୍ଲା ସେସନ୍ସ କୋର୍ଟରେ ଜାମିନ ଆବେଦନ କରିଛନ୍ତି।

ଗିରଫଦାରୀ ଆଶଙ୍କା କରି ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶ୍ରଦ୍ଧାଞ୍ଜଳି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅର୍ଚ୍ଚନା ନାଗଙ୍କ ବିରୋଧରେ ଦାଖଲ ହୋଇଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କ ନାଁ ରହିଛି। ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟ ଶ୍ରଦ୍ଧାଞ୍ଜଳିଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ।

ଗତ ଜାନୁଆରି ୯ ତାରିଖରେ ଇଡି ମନି ଲଣ୍ଡରିଂ ମାମଲାରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ଅର୍ଚ୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ତାଙ୍କ ସହଯୋଗୀ ଭାବେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନା ରହିଛି। ଏହାବାଦ ଖଗେଶ୍ବର ବେହେରା ଓ ଶ୍ରଦ୍ଧାଞ୍ଜଳିଙ୍କ ନାଁ ରହିଛି। ସେହିପରି ନୟାଗଡର ଜଣେ ବ୍ୟବସାୟୀ କିନ୍ତୁ ରାଜନେତାଙ୍କ ନାଁ ଇଡି ଚାର୍ଜଶିଟରେ ଉଲ୍ଲେଖ ରହିଥିବା ସୂଚନା ରହିଛି।

ଅର୍ଚ୍ଚନା ତାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କ ସହାୟତାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.