Latest Odisha News

BREAKING NEWS

ବ୍ରହ୍ମପୁରରେ ଦାଦାଗିରିର ଚରମ ସୀମା: ଦଳିତ ଯୁବକଙ୍କୁ ବନ୍ଦ କୋଠରୀରେ ୩ ଦିନ କାଳ ଅମାନୁଷିକ ନିର୍ଯାତନା

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧୀଙ୍କ ଦାଦାଗିରି ଏବେ ସବୁ ସୀମା ପାର୍ କରିଯାଇଛି। ବ୍ରହ୍ମପୁର ସଦର ଥାନା ଅଞ୍ଚଳରୁ ଏକ ଅତି ବର୍ବର ତଥା ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି। ଜଣେ ନିରୀହ ଦଳିତ ଯୁବକଙ୍କୁ ବନ୍ଦ କୋଠରୀରେ ରଖି ୩ ଜଣ ଦୁର୍ବୃତ୍ତ ନିର୍ଦ୍ଧୁମ ପିଟୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣା ପଦାରେ ପଡ଼ିବା ପରେ ପୀଡ଼ିତ ଯୁବକଙ୍କ ଏକ ଗୁହାରି ପତ୍ର ମଧ୍ୟ ଭାଇରଲ୍ ହେଉଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଯୁବକ ପ୍ରଶାନ୍ତ ହେଉଛନ୍ତି ଜଣେ ଦଳିତ ଶ୍ରେଣୀର ପିଲା। ତାଙ୍କ ବାପା ଓ ମାଆ ଉଭୟ ଦୃଷ୍ଟିବାଧିତ ହୋଇଥିବାରୁ ସେ ଅତ୍ୟନ୍ତ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି। ଅଭିଯୋଗ ହୋଇଛି ଯେ, ସ୍ଥାନୀୟ କିଛି ଅପରାଧିକ ତତ୍ତ୍ୱ ପ୍ରଶାନ୍ତଙ୍କୁ ବେଆଇନ କାର୍ଯ୍ୟକଳାପରେ ସାମିଲ ହେବା ପାଇଁ ଦୀର୍ଘ ଦିନ ହେବ ବାଧ୍ୟ କରୁଥିଲେ। ମାତ୍ର ପ୍ରଶାନ୍ତ ଏହି ବେଆଇନ କାମକୁ ସାହସର ସହ ବିରୋଧ କରିଥିଲେ।

 

ଏହି ବିରୋଧର ପ୍ରତିଶୋଧ ନେବାକୁ ଯାଇ ଅପରାଧୀମାନେ ତାଙ୍କୁ ଅପହରଣ କରି ଗୋଟିଏ ବନ୍ଦ କୋଠରୀରେ ରଖିଥିଲେ। ସେଠାରେ ଦୀର୍ଘ ୩ ଦିନ ଧରି ତାଙ୍କୁ ଅଟକ ରଖାଯିବା ସହ ୩ ଜଣ ଯୁବକ ମିଶି ତାଙ୍କୁ ପଶୁ ଭଳି ପିଟିଥିଲେ ଏବଂ ଅମାନୁଷିକ ନିର୍ଯାତନା ଦେଇଥିଲେ। କେବଳ ସେତିକି ନୁହେଁ, ପୋଲିସ ଆଗକୁ ନଯିବା ଏବଂ ତୁରନ୍ତ ଗାଁ ଛାଡ଼ି ଚାଲିଯିବାକୁ ମଧ୍ୟ ଅପରାଧୀମାନେ ପ୍ରଶାନ୍ତଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

 

ଘଟଣା ପରେ ପ୍ରଶାନ୍ତ ନିଜ ଜୀବନ ପ୍ରତି ପ୍ରବଳ ବିପଦ ଥିବା ଦର୍ଶାଇ ନ୍ୟାୟ ଭିକ୍ଷା କରିଛନ୍ତି। ସ୍ଥାନୀୟ ପୋଲିସ ଉପରୁ ଭରସା ତୁଟିଯିବା ପରେ ସେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ ପାଇଁ ଦେଶ ଓ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ସ୍ତରକୁ ଚିଠି ଲେଖିଛନ୍ତି। ପ୍ରଶାନ୍ତ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିପି, ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଏସପି, ଗଞ୍ଜାମ ଜିଲ୍ଲାପାଳ, ସଦର ଥାନା ଅଧିକାରୀ ଏବଂ ସଦର ଏସଡିପିଓଙ୍କ ସମେତ ମୋଟ ୧୬ ଜଣ ବିଶିଷ୍ଟ କର୍ତ୍ତୃପକ୍ଷଙ୍କୁ ନିଜର ଅଭିଯୋଗ ପତ୍ର ପଠାଇ ଗୁହାରି ଜଣାଇଛନ୍ତି।

 

ଏକ ଦରିଦ୍ର ତଥା ଅସହାୟ ଦଳିତ ପରିବାରର ପୁଅ ଉପରେ ଏଭଳି ବର୍ବର ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରଲ୍ ହେବା ପରେ ପୋଲିସ ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.