ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ପାଦେ ପାଦେ ସୁରକ୍ଷା। ରାତିପାହିଲେ BRICS ଶିଖର ସମ୍ମିଳନୀ । ଏଥିପାଇଁ ଦିଲ୍ଲୀ ମୁହାଁ ବିଶ୍ବନେତା । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀରେ ପହଞ୍ଚି ସାରିଥିବା ବେଳେ ଶନିବାର ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ଦୁଇ ବିଶ୍ୱନେତାଙ୍କ ଗସ୍ତକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଏବେ ହାଇଆଲର୍ଟରେ। ହୋଟେଲଠାରୁ ଆରମ୍ଭ କରି ରାସ୍ତା ଓ ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ ରହିଛି କଡ଼ା ସୁରକ୍ଷା।
ଏହି ସମୟରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ ଶୁକ୍ରବାର ଭୋର ସକାଳ ପ୍ରାୟ ୩ଟାରେ ପହଞ୍ଚିଥିବା ବେଳେ ସେ ମୌର୍ଯ୍ୟ ହୋଟେଲରେ ରହୁଥିବାରୁ ଏହାକୁ ପ୍ରାୟ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ତାଙ୍କ ପାଇଁ ରହିଛି ୪ ସ୍ତରୀୟ ସୁରକ୍ଷା ବଳୟ। ପ୍ରଥମ ସ୍ତରରେ ରହିବେ କ୍ଲୋଜ୍ ପ୍ରୋଟେକ୍ସନ ଟିମ୍ ବା CPT। ଦ୍ୱିତୀୟ ସ୍ତରରେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ, ତୃତୀୟ ସ୍ତରରେ ଦିଲ୍ଲୀ ପୋଲିସ କମାଣ୍ଡୋ ଓ ଅର୍ଦ୍ଧସାମରିକ ବାହିନୀ ଏବଂ ଚତୁର୍ଥ ବାହ୍ୟ ବଳୟରେ ସ୍ଥାନୀୟ ପୋଲିସ ମୁତୟନ ହୋଇଛନ୍ତି । ଏହା ସହ ପୁଟିନଙ୍କ ନିଜସ୍ୱ ସୁରକ୍ଷା ଟିମ୍ ମଧ୍ୟ ସବୁବେଳେ ତାଙ୍କ ସହ ରହିଛନ୍ତି। ପ୍ରାୟ ୨୫ରୁ ୩୦ ଜଣ କମାଣ୍ଡୋ ଓ ସୁରକ୍ଷା କର୍ମଚାରୀ ତାଙ୍କ ସହ ଆସିଥିବା ଜଣାପଡ଼ିଛି।
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ତାଙ୍କ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଦିଆଯାଇଛି। ଉଭୟ ଦେଶର ସ୍ୱତନ୍ତ୍ର ସୁରକ୍ଷା ଟିମ୍ ପୂର୍ବରୁ ଦିଲ୍ଲୀରେ ପହଞ୍ଚି ହୋଟେଲ ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। କେବଳ ନେତାଙ୍କ ସୁରକ୍ଷା ନୁହେଁ, ସେମାନେ ରହିବାକୁ ଥିବା ହୋଟେଲର ପ୍ରତ୍ୟେକ କର୍ମଚାରୀଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି। ଦିଲ୍ଲୀରେ ଥିବା ରେକର୍ଡ ସହ ନିଜ ରାଜ୍ୟର ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି।
ପୁଟିନ୍ ଓ ଜିନପିଙ୍ଗଙ୍କ ମୋଟରକେଡ୍ ପାଇଁ ଦିଲ୍ଲୀ ଟ୍ରାଫିକ୍ ପୋଲିସ ସ୍ୱତନ୍ତ୍ର ରୁଟ୍ ଫାଇନାଲ୍ କରିଛି। ଏହି ରୁଟ୍ରେ ସୁରକ୍ଷା ଅଭ୍ୟାସ ମଧ୍ୟ କରାଯାଇଛି। ବିମାନବନ୍ଦରରୁ ହୋଟେଲ ଓ ହୋଟେଲରୁ ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ ପୂରା ରୁଟ୍ରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ହାଇଆଲର୍ଟରେ ରଖାଯାଇଛି।

