ବାଲେଶ୍ୱର: ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ଟି ବିରଳ ଛୁଆ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ ଏବେ ଜୋରଦାର ହୋଇଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ପଶ୍ଚିମବଙ୍ଗର ଦୀଘା ସ୍ଥିତ ଏକ ଘରୋଇ ହୋଟେଲ ଉପରେ ଅତର୍କିତ ଚଢ଼ଉ କରି ୩ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇ ଆଣିଛି । ଏହି ୩ ଜଣଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖି ଏସଟିଏଫ୍ ଟିମ୍ ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣକାରୀ ମାଫିଆମାନେ ଓଡ଼ିଶାକୁ ଏକ ଟ୍ରାଞ୍ଜିଟ୍ ରୁଟ୍ ଭାବେ ବ୍ୟବହାର କରୁଥିବା ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି ହୋଇଛି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ବେଆଇନ ବନ୍ୟଜନ୍ତୁ ଚୋରାଚାଲାଣ ପାଇଁ ଓଡ଼ିଶାକୁ କଦାପି ଟ୍ରାଞ୍ଜିଟ୍ କରିଡର ହେବାକୁ ଦିଆଯିବ ନାହିଁ ।
ଏହି ଚୋରା କାରବାରରେ ଯେଉଁମାନେ ବି ସାମିଲ ଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ଅନ୍ୟପକ୍ଷରେ, ତଦନ୍ତ କରୁଥିବା ଏସଟିଏଫ୍ ଏବଂ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ସିସିଟିଭି ଫୁଟେଜ୍ ଆଧାରରେ ଏକ କଳା ରଙ୍ଗର ଏସୟୁଭି କାର୍କୁ ଖୋଜୁଛନ୍ତି । ଗତ ସେପ୍ଟେମ୍ବର ୭ ତାରିଖ ବିଳମ୍ବିତ ରାତି ପ୍ରାୟ ୧୧ଟା ୨୫ ମିନିଟ୍ ସମୟରେ ବଡ଼ପାହି ଗାଁ ଏବଂ ଦୀଘା ନିକଟସ୍ଥ ଅଞ୍ଚଳରେ ଏହି ଗାଡ଼ିଟି ବୁଲୁଥିବାର ଫୁଟେଜ୍ରୁ ଜଣାପଡିଛି ।
ଦୀଘା ଓ ଭୋଗରାଇ ଅଞ୍ଚଳରେ ଲାଗିଥିବା ୫୫ରୁ ଅଧିକ ସିସିଟିଭି କ୍ୟାମେରା ଏବଂ ଟୋଲ୍ ପ୍ଲାଜାର ରେକର୍ଡିଂ ଯାଞ୍ଚ କରାଯାଉଛି। ତଦନ୍ତକାରୀ ଅଧିକାରୀଙ୍କ ମତରେ, ଧରାପଡ଼ିବା ଭୟରେ ମାଫିଆମାନେ ଜାତୀୟ ରାଜପଥ ବଦଳରେ ଗାଁ ରାସ୍ତା ଦେଇ ଏହି ବିରଳ ଜୀବମାନଙ୍କୁ ପଶ୍ଚିମବଙ୍ଗରୁ ବାଲେଶ୍ୱରକୁ ଆଣିଥିଲେ । ଉଦ୍ଧାର ହୋଇଥିବା ୫ଟି ଛୁଆ ଓରାଙ୍ଗଉଟାନଙ୍କୁ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନରେ ରଖାଯାଇ ଯତ୍ନ ନିଆଯାଉଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ଏହି ମାମଲାର ଚେର କେତେ ଦୂର ଲମ୍ବିଛି ଏବଂ ମିଆଁମାର ବା ଇଣ୍ଡୋନେସିଆରୁ କେଉଁ ସମୁଦ୍ର କିମ୍ବା ସ୍ଥଳପଥ ଦେଇ ସେମାନଙ୍କୁ ଅଣାଯାଇଥିଲା, ସେ ନେଇ ବର୍ତ୍ତମାନ ବ୍ୟାପକ ଖୋଳତାଡ଼ ଜାରି ରହିଛି । ଦୀଘା ହୋଟେଲରୁ ଉଠାଇ ଆଣିଥିବା ୩ ଜଣଙ୍କୁ ପଚରାଉଚରା କରିବା ପରେ ଘଟଣାର ପୂରା ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

