ନୂଆଦିଲ୍ଲୀ: ୨୪ ବର୍ଷୀୟ ଯୁବକଙ୍କର ଅଛି ଗର୍ଭାଶୟ!
ଟେଷ୍ଟରେ ବାହାରିଲା କିଛି ଏମିତି…ଡାକ୍ତର ବି କାବା!
ପୁରୁଷଙ୍କ ପେଟରେ ଗର୍ଭାଶୟ? ଚିକିତ୍ସା ବିଜ୍ଞାନରେ ବେଳେବେଳେ ଏଭଳି ଘଟଣା ସାମ୍ନାକୁ ଆସେ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ଦିଲ୍ଲୀର ଜଣେ ୨୪ ବର୍ଷୀୟ ଯୁବକଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଏକ ବିରଳ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ତାଙ୍କର ସନ୍ତାନ ହେଉନଥିବାରୁ ଚିକିତ୍ସା ପାଇଁ ସେ ହସ୍ପିଟାଲ୍ ଯାଇଥିଲେ। କିନ୍ତୁ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କ ପେଟ ଭିତରେ ଏକ ସମ୍ପୂର୍ଣ୍ଣ ବିକଶିତ ଗର୍ଭାଶୟ ଥିବା ଜାଣି ଚକିତ ହୋଇଥିଲେ। ହଁ, ଗର୍ଭାଶୟ, ଯାହା ସାଧାରଣତଃ ମହିଳା ପ୍ରଜନନତନ୍ତ୍ରର ଏକ ଅଂଶ। ଗର୍ଭଧାରଣ ହେଲେ ଏହି ଅଙ୍ଗ ଭିତରେ ଭ୍ରୂଣର ବିକାଶ ହୁଏ। । ହେଲେ ଏହା ପୁରୁଷ ଶରୀରରେ…କିପରି ସମ୍ଭବ?
ଏହି ଘଟଣାରେ ଜଣେ ପୁରୁଷଙ୍କ ଶରୀର ଭିତରେ ଗର୍ଭାଶୟ ମିଳିବାର କାରଣ ହେଉଛି ଏକ ବିରଳ ଜନ୍ମଗତ ଶାରୀରିକ ଅସାମାନ୍ୟତା। ଯୁବକଙ୍କ ବାହ୍ୟ ଶାରୀରିକ ଗଠନ ପୁରୁଷଙ୍କ ଭଳି ଥିଲା ଏବଂ ଜେନେଟିକ୍ ପରୀକ୍ଷାରେ ତାଙ୍କର XY କ୍ରୋମୋଜୋମ୍ ଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କର ଦୁଇଟି ଟେଷ୍ଟିସ୍ ସ୍କ୍ରୋଟମ୍ରେ ନଥିଲା। ସେମାନେ ପେଟ ଭିତରେ ରହିଥିଲେ। ସେମେନ୍ ଟେଷ୍ଟରେ ମଧ୍ୟ ଶୁକ୍ରାଣୁ ମିଳିନଥିଲା। ଏହାପରେ ଅଲ୍ଟ୍ରାସାଉଣ୍ଡ୍ ଓ MRI କରାଯିବା ପରେ ଡାକ୍ତରମାନେ ଜାଣିଥିଲେ ଯେ ତାଙ୍କ ଶରୀର ଭିତରେ ଗର୍ଭାଶୟ ରହିଛି। ଡାକ୍ତରମାନଙ୍କ ମତରେ, ଏହା ପରସିଷ୍ଟେଣ୍ଟ୍ ମୁଲେରିଆନ୍ ଡକ୍ଟ ସିଣ୍ଡ୍ରୋମ୍ (PMDS) ନାମକ ଅତ୍ୟନ୍ତ ବିରଳ ଅବସ୍ଥା । ସାଧାରଣ ଭାବେ XY କ୍ରୋମୋଜୋମ୍ ଥିବା ଭ୍ରୂଣରେ ଟେଷ୍ଟିସ୍ରୁ ନିର୍ଗତ ଆଣ୍ଟି ମୁଲେରିଆନ୍ ହରମୋନ୍ (AMH) ଏକ ନିର୍ଦ୍ଦିଷ୍ଟ ଭ୍ରୂଣୀୟ ଗଠନକୁ ବିକଶିତ ହେବାରୁ ରୋକେ। ଏହି ପ୍ରକ୍ରିୟାରେ କିଛି ଅସାମାନ୍ୟତା ହେଲେ ଗର୍ଭାଶୟ ଓ ଫାଲୋପିଆନ୍ ଟ୍ୟୁବ୍ ଭଳି ଗଠନ ଶରୀର ଭିତରେ ରହିଯାଇପାରେ।
ତେବେ ଏବେ ମନରେ ପ୍ରଶ୍ନ ଆସିବା ସ୍ବାଭାବିକ, ଯେ କ’ଣ ଏହି ପୁରୁଷ ଜଣକ ଏବେ ନିଜେ ପିଲା ଜନ୍ମ କରିପାରିବେ? ତେବେ ଉତ୍ତର ହେଉଛି ନାଁ, ଶରୀର ଭିତରେ ଗର୍ଭାଶୟ ଥିଲେ ମଧ୍ୟ ଏହି ଯୁବକ ମହିଳାଙ୍କ ଭଳି ଗର୍ଭଧାରଣ କରି ପିଲା ଜନ୍ମ ଦେଇପାରିବେ ନାହିଁ। କାରଣ ଗର୍ଭଧାରଣ ପାଇଁ କେବଳ ଗର୍ଭାଶୟ ଥିବା ପର୍ଯ୍ୟାପ୍ତ ନୁହେଁ। ଅଣ୍ଡାଶୟ, ଅଣ୍ଡାଣୁ ଉତ୍ପାଦନ, ଆବଶ୍ୟକ ହର୍ମୋନାଲ୍ ବ୍ୟବସ୍ଥା ଏବଂ ସମ୍ପୂର୍ଣ୍ଣ ପ୍ରଜନନ ପ୍ରଣାଳୀର ଆବଶ୍ୟକତା ରହିଥାଏ। ତେଣୁ ଗର୍ଭାଶୟ ଥିବା ସତ୍ତ୍ୱେ ନିଜ ଶରୀରରୁ ଅଣ୍ଡାଣୁ ତିଆରି କରି ଗର୍ଭଧାରଣ କରିବା ସମ୍ଭବ ନୁହେଁ।
ତେବେ ପରେ ଡାକ୍ତରମାନେ ଲାପାରୋସ୍କୋପିକ୍ ସର୍ଜରୀ ମାଧ୍ୟମରେ ଯୁବକଙ୍କ ଗର୍ଭାଶୟ ଓ ପେଟ ଭିତରେ ଥିବା ଦୁଇଟି ଟେଷ୍ଟିସ୍କୁ ବାହାର କରିଥିଲେ। ଏହି ଟେଷ୍ଟିସ୍ଗୁଡ଼ିକ ଶରୀର ଭିତରେ ଦୀର୍ଘ ସମୟ ରହିଲେ ଭବିଷ୍ୟତରେ କ୍ୟାନ୍ସରର ଆଶଙ୍କା ବଢ଼ିପାରେ ବୋଲି ଡାକ୍ତରମାନେ କହିଛନ୍ତି।
ଏହି ବିରଳ ଘଟଣା ପୁଣିଥରେ ଦେଖାଇଦେଇଛି ଯେ, ସନ୍ତାନ ନହେବାର କାରଣ କେବଳ ଶୁକ୍ରାଣୁର ଅଭାବ ନୁହେଁ। ଶରୀରର ଗଠନ, ହର୍ମୋନ୍, ଜିନ୍ ଏବଂ ବିକାଶଜନିତ କାରଣ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ।

