ସାମାଜିକ ଜୀବନର ବ୍ୟସ୍ତତା ଭିତରେ ଏବେ ଟିକିଏ ଖାଲି ସମୟ ପାଇବା ସତରେ କଷ୍ଟ । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜକୁ ଦୁର୍ବିସହ ଲାଗିବା ସ୍ୱାଭାବିକ । ସମୟ ଆସି ଏପରି ସ୍ଥଳରେ ଉପନୀତ ଆଜି କୌଣସି ବ୍ୟକ୍ତି ବି ଚାଷ ଜମିକୁ ଯାଇ ଫସଲ ଲଗାଇବାକୁ ମନ ବଳେଇବାର ପ୍ରଶ୍ନ ଉଠୁନି । କାଦୁଅ ବିଲରେ ଗୋଡ଼ ପଶେଇବାକୁ କିଏ ବା ଚାହିଁବ !! ସମ୍ପ୍ରତି ପାକଶାଳା ବଗିଚା , ରୁଫ୍ଟପ୍ ଗାର୍ଡ଼େନିଂ ପରି ନୂତନ ପ୍ରଣାଳୀ ସହରାଂଚଳ ମାନଙ୍କରେ ବେଶ ଲୋକପ୍ରିୟ ହେବା ସହ ଏହାକୁ ଆପଣେଇବାକୁ ସଭିଏଁ ବ୍ୟଗ୍ର ହୋଇଛନ୍ତି । ନିଜ କର୍ମମୟ ସମୟ ଭିତରୁ ମନକୁ ହାଲୁକା କରିବା ପାଇଁ ସମସ୍ତେ କିଛି ନୂତନ ପନ୍ଥା ଖୋଜୁଛନ୍ତି । ସେମିତି ଏକ ପ୍ରକୃଷ୍ଟ ଉପାୟ ପୁଦିନା ଚାଷ । ଘର ଭିତରେ ପାତ୍ର ମଧ୍ୟରେ ପୁଦିନା ଲଗାଇବା ସହ ଏହାର ବାସ୍ନା ମନକୁ ଆମୋଦ ପ୍ରଦାନ କରିଥାଏ । ଦେଖିବାକୁ ଭଲ ଲାଗିବା ସହ ଏକ ଅଫୁରନ୍ତ ଆନନ୍ଦ ସହ ମନ ବି ପ୍ରଫୁଲ୍ଲ ରହିଥାଏ । ପୁଦିନା ଯେ ଆମ ପାଇଁ କେତେ ଉପକାରୀ ଏହାକୁ ଅସ୍ୱୀକାର କରାଯାଇନପାରେ । ଏହି ପରୀପ୍ରେକ୍ଷୀରେ ଏବେ ପୁଦିନା ଆମ ହାତପାହାନ୍ତାରେ । ପ୍ରାକୃତିକ ପାଚନ ଭାବେ ଏହା ଘରେ ଘରେ ପରିଚିତ । ଖୁବ ସହଜରେ ଏହାକୁ ଏବେ ମହିଳା ମାନେ ନିଜ ଘରେ ପ୍ରସ୍ତୁତ କରୁଛନ୍ତି ।
କ’ଣ ପାଇଁ ପୁଦିନା ?
ଏହା ଆମ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗ୍ରହଣ କଲେ ଶରୀରରେ କୌଣସି କ୍ଷତିକାରକ ପ୍ରଭାବ ପଡ଼ିନଥାଏ । ଦେହର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ପାଚନ ପ୍ରକ୍ରିୟାରେ ଏହା ସାହାଯ୍ୟ କରିଥାଏ । ଏମିତିକି ମାଛ , ଚିକେନ ତରକାରୀରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । ସାଲାଡ଼ରେ ଏହାକୁ ବ୍ୟବହାର କରାଯାଇପାରେ । ଏହା ବ୍ୟତୀତ ପିଇବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀରେ ଏହାକୁ ପ୍ରୟୋଗ କରାଯାଇପାରେ । ପୁଦିନା କକ୍ଟେଲ୍ ତ ଏବେ ଯୁବାବର୍ଗଙ୍କର ପ୍ରଥମ ପସନ୍ଦ ।
ପୁଦିନାର ସବିଶେଷ ଚାଷ ପ୍ରଣାଳୀ ସଂକ୍ଷେପରେ:
ମୃତ୍ତିକା ଓ ଜଳବାୟୁ – ଯେକୈାଣସି ଚାଷ କରିବାକୁ ହେଲେ ପ୍ରଥମେ ଏହାର ମୃତ୍ତିକା ଓ ଜଳବାୟୁ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ପୁଦିନା ଚାଷ ନିମନ୍ତେ ମାଟିର ପିଏଚ୍ ୬ ରୁ ୭ ଭିତରେ ଥିବା ଆବଶ୍ୟକ । ଯେଉଁ ଅଂଚଳରେ ୧୦୦-୧୫୦ସେମି ବର୍ଷା ହେଉଥିବ , ତାହା ପୁଦିନା ଚାଷ ନିମନ୍ତେ ପ୍ରକୃଷ୍ଟ ହୋଇଥାଏ । ଏତଦଭିନ୍ନ ପୁଦିନା ଚାଷ ହେଉଥିବା ମୃତ୍ତିକାର ଜଳ ଧାରଣ କ୍ଷମତା ଅଧିକ ଥିବା ସହ ଡ଼୍ରେନେଜ ଠିକ ଭାବରେ ହେଉଥିବା ଦରକାର ।
ବଂଶବିସ୍ତାର ମାଧ୍ୟମ – ପୁଦିନା ସାଧାରଣତଃ କଟିଙ୍ଗ ଦ୍ୱାରା ବଂଶବିସ୍ତାର କରିଥାଏ ।
ଲଗେଇବା ପ୍ରଣାଳୀ – ପୁଦିନା ଚାଷ କରିବା ପାଇଁ ଜୁନ୍ରୁ ଜୁଲାଇ ମାସ ଭିତରେ ଲଗାଇବା ଆବଶ୍ୟକ । ଏଥି ନିମନ୍ତେ ଗଛକୁଗଛ ୪୦ସେମି ଓ ଧାଡ଼ିକୁଧାଡ଼ି ୪୦ସେମି ଦୂରତା ରହିବା ଆବଶ୍ୟକ ।
ସାର ପ୍ରୟୋଗ – ୟୁରିଆ , ଫସ୍ଫରସ୍ ଓ ପଟାସ୍କୁ ୫୦କିଗ୍ରା , ୭୫କିଗ୍ରା ଓ ୫୦କିଗ୍ରା ହେକ୍ଟର ପିଛା ପ୍ରୟୋଗ କରିବା ଆବଶ୍ୟକ ।
ଜଳସେଚନ ଓ ଘାସ ନିୟନ୍ତ୍ରଣ – ଜଳସେଚନ ସପ୍ତାହରେ ଦୁଇଥର କରିବା ଦରକାର । ଏହା ସହ ଘାସ ନିୟନ୍ତ୍ରଣ ନିମନ୍ତେ ଲଗାଇବାର ୭୫ଦିନ ଭିତରେ କାଟିବା ଆବଶ୍ୟକ ।
କେଉଁ କେଉଁ ଉପାୟରେ ପୁଦିନାକୁ ଚାଷ କରିହେବ:
ପ୍ରଥମତଃ ଯେକୌଣସି ଏକ ସୁସ୍ଥ ପୁଦିନା ଗଛର କଟିଙ୍ଗ –
ପୁଦିନା ସାଧାରଣତଃ ମଂଜିରୁ ବଢ଼ିବା କଷ୍ଟ । ତେଣୁ ଯେକୌଣସି ଏକ ସୁସ୍ଥ ପୁଦିନା ଗଛରୁ ୪ ଇଂଚ ବା ୧୦ସେମିର ଏକ କଟିଙ୍ଗ ଚିହ୍ନଟ କରିବା ଆବଶ୍ୟକ । ଏହା ପରେ ଏହି କଟିଙ୍ଗ୍କୁ ଏକ ପାଣି ଗ୍ଲାସ ଭିତରେ ରଖାଯାଉ । ଯଦି କୌଣସି ପତ୍ର ପାଣି ଧାର ତଳେ ଥାଏ , ତାହେଲେ ଏହାକୁ କାଢ଼ିଦେବା । ଗୋଟିଏ ସପ୍ତାହ ଭିତରେ ଛୋଟ ଛୋଟ ଧଳା ଆକୃତିର ଚେର ପାଣି ଭିତରେ ବାହାରିବା ଆରମ୍ଭ କରିବ । ଆଉ କିଛି ଦିନ ଅପେକ୍ଷା କଲେ ଆମେ ସୁସ୍ଥ ଓ ସବଳ ଚେର ବଢ଼ୁଥିବାର ଲକ୍ଷ୍ୟ କରିପାରିବା ।
ଦ୍ୱିତୀୟତଃ ପୁଦିନା ଗଛର ମଂଜି ବା ଚାରା ଆମେ ଯେକୌଣସି ନର୍ସରୀରୁ ପାଇପାରିବା । ବିଭିନ୍ନ ପ୍ରକାର ପୁଦିନାର କିସମ ବଜାରରେ ଉପଲବ୍ଧ । ଏହାକୁ ବ୍ୟବହାର କରି ମଧ୍ୟ ଆମେ ପୁଦିନାକୁ ଚାଷ କରିପାରିବା ।
ତୃତୀୟରେ ଯେକୌଣସି ସୁସ୍ଥ ଗଛର ଚେର ସଂଗ୍ରହ । ଏହା ମାଧ୍ୟମରେ ଆମେ କୌଣସି ଏକ ସବଳ ବା ସୁସ୍ଥ ଚେରକୁ ଆଣି ମାଟିରେ ଅନ୍ୟତ୍ର ଲଗାଇ ଏହାର ବଂଶବିସ୍ତାର କରିପାରିବା ।
କେଉଁ ଦିଗରେ ଧ୍ୟାନ ଦେବା :
ଲଗାଇବା ପାଇଁ ପ୍ରକୃଷ୍ଟ ସମୟ- ପ୍ରଥମତଃ ପୁଦିନା ଚାଷ ବସନ୍ତ ଋତୁରେ ଚାଷ କଲେ ଭଲ ଅମଳ ହୋଇଥାଏ । କୁହୁଡ଼ି ପଡ଼ୁନଥିବା ସ୍ଥାନରେ ଏହାକୁ ଲଗାଇବା ଭଲ ।
ଚାରାକୁ ପାତ୍ରରେ ଲଗାଇବା- ପାତ୍ରରେ ପୁଦିନାକୁ ଲଗାଇବା ଓ ଏହାକୁ ଚାଷ ପାତ୍ର ଭିତରେ ଚାଷ କରିବାର ପ୍ରଣାଳୀ ଏବେ ପ୍ରାୟ ସମସ୍ତେ ଗ୍ରହଣ କଲେଣି । ସବୁଆଡ଼େ ଏବେ ଏହି ପ୍ରଣାଳୀକୁ ମହିଳା ମାନେ ନିଜ ଘରେ ଆପଣାଉଛନ୍ତି । ଏହାକୁ ପାତ୍ରରେ ଲଗାଇ ଆମେ ରୋଷେଇ ଘର ପାଖରେ ବି ଲାଗଇପାରିବା । ଯେହେତୁ ଏହା ଶୀଘ୍ର ବଢ଼ିଥାଏ , ତେଣୁ ଏହାର ଚେର ଉପରେ ଆମକୁ ଅଧିକ ନଜର ରଖିବାକୁ ହେବ । ୧୨-୧୬ ଇଂଚର ପାତ୍ର ବ୍ୟବହାର କଲେ ସୁଫଳ ମିଳିଥାଏ ।
ପାତ୍ରର ମାଟିର କିଛି ସେମି ତଳେ ଲଗାଇବା – ୧୨-୧୬ ଇଂଚର ପାତ୍ର ବ୍ୟବହାର କରିବା ସହ ଆମେ ଏହାକୁ ୬ ଇଂଚ ବା ୧୫ସେମି ତଳେ ଲଗାଇବା ଆବଶ୍ୟକ । ଯାହା ଫଳରେ ଏହାର ଚେର ଶୀଘ୍ର ବଢ଼ିପାରିଥାଏ ।
ଉପଯୁକ୍ତ ସୂର୍ଯ୍ୟାଲୋକ – ଯଦି ଆମେ ପାତ୍ରରେ ପୁୁଦିନାକୁ ଚାଷ କରୁଛନ୍ତି , ତେବେ ଏହା କିପରି ଆବଶ୍ୟକୀୟ ସୂର୍ଯ୍ୟାଲୋକ ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ଯଦି ଉପଯୁକ୍ତ ସୂର୍ଯ୍ୟାଲୋକ ନପାଏ , ତାହେଲେ ପୁଦିନା ଗଛ ଶୁଖିଯିବାର ଚିନ୍ତା ଥାଏ । ତେଣୁ ଏହାକୁ ଝରର ଘରକା ପାଖରେ ବି ଆମେ ରଖିପାରିବା , ଫଳରେ ଏହା ଉପଯୁକ୍ତ ସୂର୍ଯ୍ୟାଲୋକ ପାଇପାରେ ।
ଯଦି ମାଟିରେ ଲଗାଉଥାନ୍ତି – ଯଦି ପାତ୍ର ବିନା ଆମେ ମାଟିରେ ପୁଦିନା ଚାରା ଲଗାଇବାୁ ଚାହିଁବା, ତାହେଲେ ଆମକୁ ଏମିତି ଏକ ସ୍ଥାନ ଦେଖିବା ଉଚିତ୍ ଯେଉଁଠାରେ ସୂର୍ଯ୍ୟାଲୋକ ପ୍ରକୃଷ୍ଟ ପରିମାଣରେ ମିଳୁଥବ । ପିଏଚ୍ ୬ରୁ ୭ ଭିତରେ ରହିଥିବା ଆବଶ୍ୟକ । ମାଟିର ଜଳଧାରଣ କ୍ଷମତା ଉପରେ ବି ଗୁରୁତ୍ୱ ଦେବା ଆବଶ୍ୟକ ।
ପୁଦିନାର ଯତ୍ନ:
ଉପଯୁକ୍ତ ଜଳସେଚନ – ପୁଦିନା ଭଲ ଭାବରେ ବଢ଼ିବା ପାଇଁ ଜଳସେଚନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ପାତ୍ରରେ ପୁଦିନା ବଢ଼ାଉଥିଲେ ଆମେ ଏହାର ମାଟିକୁ ହାତରେ ଛୁଇଁ ଦେଖିବା ଦରକାର , ଏହା କେତେ ଶୁଖିଲା ଅଛି , ସେହି ଅନୁସାରେ ଆମେ ପାଣି ଦେବା ଉଚିତ୍ । ଯଦି ପାତ୍ରରେ ଥିବା ପୁଦିନା ଗଛ ସିଧାସଳଖ ପାଉଥିବ , ତାହେଲେ ଅଧିକ ପାଣି ଦେବା ଦରକାର ।
ଗଛର ଉପର ଭାଗକୁ କାଟିବା – ଏହା କରିବା ଦ୍ୱାରା ପୁଦିନା ଉପଯୁକ୍ତ ଉଚ୍ଚତା ବଜାୟ ରଖିଥାଏ । ଏହା ଦ୍ୱାରା ପୁଦିନା ଗଛର ଫୁଲ ଭଲ ଭାବରେ ବଢ଼ିଥାଏ । ଏହା ମଧ୍ୟ ଅମଳ ଅଧିକ କରିଥାଏ ।
ପୁଦିନାର ଫୁଲକୁ ଟ୍ରିମ/କାଟିବା ଆବଶ୍ୟକ – ପୁଦିନା ଗଛର ଫୁଲ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବଢ଼ିଥାଏ । ତେଣୁ ଫୁଲ ଫୁଟିବା ପୂର୍ବରୁ ଏହାକୁ ଟ୍ରିମ କରିବା ଆବଶ୍ୟକ । ଯାହା ଫଳରେ ଏହା ଆମର ଅମଳ ସମୟକୁ ବଢ଼ାଇଥାଏ ।
ରୋଗ ପୋକ ନିରୀକ୍ଷଣ – ପୁଦିନା ଗଛ କିପରି ରୋଗ ପୋକ ଦାଉରୁ ରକ୍ଷା ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ସାଧାରଣତଃ ଏହା ଘାଉଁଳା ରୋଗ ଦ୍ୱାରା ବେଶୀ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଏହା ବ୍ୟତୀତ ବିଭିନ୍ନ କୀଟ ଯଥା – ଚେର କୃମି , ମାଇଟ୍ସ ପ୍ରମୁଖ ଅଧିକ ଆକ୍ରମଣ କରିଥାନ୍ତି । ତେଣୁ ପୁଦିନା ଗଛକୁ କିପରି ଏଥିରୁ ରକ୍ଷା କରିହେବ , ସେଥିନିମନ୍ତେ ଆମକୁ ସବୁବେଳେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହା ବ୍ୟତୀତ ଆମେ ପୁଦିନା ପତ୍ରକୁ କୀଟନାଶକ ପାଣିରେ ଧୋଇପାରିବା । ତେଣୁ ଉପଯୁକ୍ତ ନିରୀକ୍ଷଣ ହିଁ ଏହାର ଏକମାତ୍ର ବିକଳ୍ପ ।
ଅମଳର ପ୍ରକୃଷ୍ଟ ସମୟ:
ସଜ ପୁଦିନା ପତ୍ରକୁ ଅମଳ କରିବା ଆବଶ୍ୟକ- ପ୍ରଥମତଃ ଏହା ସ୍ମରଣ ରଖିବାକୁ ହେବ ଯେ ଗୋଟିଏ ଥରରେ କେବେ ହେଲେ ପତ୍ରର ୧/୩ଭାଗକୁ ସମ୍ପୂର୍ଣ୍ଣ ଅମଳ କରିବା ଉଚିତ୍ ନୁହେଁ । କେବଳ ଯେତିକି ଦରକାର ସେତିକି ପତ୍ର ଅମଳ କରିବା ଉଚିତ୍ । ଏହା ପରେ ଏହାକୁ ପ୍ଲାଷ୍ଟକ ଜାର ଭିତରେ ସୁରକ୍ଷିତ ଭାବେ ରଖିବା ଉତ୍ତ୍ ।
ଶୀତ ଋତୁ ପୂର୍ବରୁ ଅମଳ – ପୁଦିନାକୁ କୁହୁଡ଼ି ପଡ଼ିବା ପୂର୍ବରୁ ଅଥବା ଶୀତ ଋତୁ ପୂର୍ବରୁ ଅମଳ କରିଦେବା ଭଲ । କାରଣ ଯଦିଓ ଏହା ପରେ ଅର୍ଥାତ ବସନ୍ତ ଋତୁରେ ପୁଣି ଏହା ଅଧିକ ବଢ଼ିଥାଏ , ତଥାପି କିଛି ଅଂଶ ମରିଯାଏ ।
Comments are closed.