Latest Odisha News

BREAKING NEWS

ଲଗାଣ ବର୍ଷାରେ ଶତାୟୁ ବରଗଛ ଭାଙ୍ଗି ୧୨ ଘଣ୍ଟା ରାସ୍ତା ବନ୍ଦ; ଅଟକିଲା ଆମ୍ବୁଲାନ୍ସ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଗୁଡ଼ା-ବାଲିଗୁଡ଼ା ରାସ୍ତା ଅବରୋଧ ଯୋଗୁଁ ଆମ୍ବୁଲାନ୍ସ ଅଟକିବାକୁ ପଡ଼ିଥିଲା। ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଥିଲା । ଆକାର ବିଶାଳ ଯୋଗୁଁ ସଂପୂର୍ଣ୍ଣ ରାସ୍ତା ଅବରୋଧ ହୋଇଯାଇଥିଲା । ଯାହା ଫଳରେ ଯାତାୟତ ଦୀର୍ଘ ସମୟ ଠପ ହୋଇଯାଇଥିଲା ।

ଏପରିକି ଦୀର୍ଘ ସମୟ ଧରି ଏକ ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ପରିବର୍ତ୍ତନ ହୋଇ ଅବପାତ ପରେ ମୁନିଗୁଡ଼ାରେ ଦୁଇଦିନ ଧରି ଲଗାଣ ବର୍ଷା ଚାଲିଛି ।

ବେଳକୁ ବେଳ ବର୍ଷା ବଢ଼ିବା ସହିତ ଏହାର ପ୍ରକୋପ ଜନ ଜୀବନ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ଆଜିର ବର୍ଷାରେ ହୁକୁମତୋଳା ବାଲିଗୁଡ଼ା ରାସ୍ତାର ବାମ ପଟରେ ଥିବା ଶହେ ବର୍ଷରୁ ଉର୍ଦ୍ଧ୍ୱ ବିଶାଳ ବର ଗଛଟି ରାସ୍ତା ଉପରେ ଉପୁଡ଼ି ପଡ଼ିଥିଲା।

ଫଳରେ ସେହି ରାସ୍ତା ଦୀର୍ଘ ସମୟ ବନ୍ଦ ହୋଇଯାଇଥିଲା । ମୁନିଗୁଡ଼ା ବନ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବାକୁ ୧୨ ଘଣ୍ଟା ସମୟ ଲାଗିଯାଇଥିଲା ।

Leave A Reply

Your email address will not be published.