Latest Odisha News

BREAKING NEWS

୫ ବର୍ଷ ପରେ ଅମର ହୋଇଯିବ ମଣିଷ!

ନୂଆଦିଲ୍ଲୀ: ପୌରାଣିକ କାହାଣୀ ହେଉ କିମ୍ବା କେତେବେଳେ ବିଜ୍ଞାନ କାଳ୍ପନିକ ଚଳଚ୍ଚିତ୍ରରେ ପ୍ରଯୁକ୍ତିବିଦ୍ୟା ଅମରତାର ସ୍ୱପ୍ନ ଦେଖାଇଥାଏ । କେତେବେଳେ କେଉଁ ବର ସାହାର୍ଯ୍ୟରେ, କିମ୍ବା କେଉଁ ଔଷଧ ସାହାର୍ଯ୍ୟରେ ମଣିଷ ଅମର ହେବାର କାହାଣୀ ଅନେକ ଶୁଣିଛେ । ହେଲେ ଯଦି ଆମେ ଆପଣଙ୍କୁ କହୁ, ଏବେ ମାତ୍ର ଆଉ କିଛିଟା ବର୍ଷା ତା ପରେ ଅମର ହୋଇଯିବ ମଣିଷ । ଆଉ ମୃତ୍ୟୁ ପାଖ ମାଡିବନି । ସଙ୍ଗେ ସଙ୍ଗେ ମନରେ ପ୍ରଶ୍ନ ଉଠିବ କ’ଣ ଏହା ସମ୍ଭବ?

ତେବେ ଏହି ସମ୍ଭାବନା ଉପରେ ପୂର୍ବତନ ଗୁଗୁଲ୍ ଇଞ୍ଜିନିୟର ରେ କୁର୍ଜୱେଲ୍ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱର ପ୍ରମୁଖ ଭବିଷ୍ୟତ ବିଜ୍ଞାନୀ କୁର୍ଜୱେଲ୍, ଦାବି କରିଛନ୍ତି ଯେ ୨୦୩୦ ସୁଦ୍ଧା ମଣିଷ ଜୈବିକ ଦୃଷ୍ଟିରୁ ଅମର ହୋଇପାରିବ। କୁର୍ଜୱେଲଙ୍କ ଅନୁସାରେ, ଏଆଇ ଦ୍ବାରା ଏହା ସମ୍ଭବ ହେବ । ଆଗାମୀ ବର୍ଷଗୁଡ଼ିକରେ ଆମ ଶରୀରରେ ନାନୋବଟ୍ ବା ସୂକ୍ଷ୍ମ ରୋବୋଟ୍ ପ୍ରବେଶ କରାଯିବ। ଏହି ନାନୋବଟ୍‌ଗୁଡ଼ିକ ରକ୍ତପ୍ରବାହରେ ନିରନ୍ତର ଭାସିବେ ଏବଂ କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ମରାମତି କରିଚାଲିବେ । ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗଗୁଡ଼ିକୁ ଚିହ୍ନଟ କରି ନିରାକରଣ କରିବ ଏବଂ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ହ୍ରାସ କରିବ । ଏହି ବଟ୍‌ଗୁଡ଼ିକର ଉଦ୍ଦେଶ୍ୟ କେବଳ ଚିକିତ୍ସା ନୁହେଁ ବରଂ ଶରୀରର ନିରନ୍ତର ତଦାରଖ ଏବଂ କୋଷ ପୁନର୍ଜନ୍ମ ହେବା, ଯାହା ଦ୍ଵାରା ଶରୀର ସବୁଦିନ ପାଇଁ ଯୁବକ ଏବଂ ସୁସ୍ଥ ରହିପାରିବ।

ଏଥିସହିତ ସେ ଏହା ବି ଦୃଢୋକ୍ତି କରିଛନ୍ତି କି, ଯେତେବେଳେ ମଣିଷ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ହୋଇଯିବେ । କୁର୍ଜୱେଲଙ୍କ ଅନୁସାରେ, ୨୦୨୯ ସୁଦ୍ଧା ମେସିନଗୁଡ଼ିକ ମଣିଷ ପରି ବୁଦ୍ଧିମତା ହାସଲ କରିବେ ଏବଂ ଟ୍ୟୁରିଂ ପରୀକ୍ଷାରେ ପାସ୍ କରିବେ। ଏହାର ଅର୍ଥ ହେଉଛି ଯେ ମେସିନଗୁଡ଼ିକ ମଣିଷ ପରି ଆଚରଣ କରିବେ । ଆଉ ଏହା ଏତେ ସଠିକ୍ ଏବଂ ଅଧିକ ହେବ ଯେ, କିଏ ମେସିନ୍ ଏବଂ କିଏ ମଣିଷ ତାହା ଚିହ୍ନିବା କଷ୍ଟକର ହୋଇଯିବ। ଭବିଷ୍ୟତରେ, ମାନବ ମସ୍ତିଷ୍କ ଏବଂ କୃତ୍ରିମ ବୁଦ୍ଧିମତାର ଏକ ମିଶ୍ରଣ ହେବ, ଯାହା ଆମର ସ୍ମୃତିଶକ୍ତି ବୃଦ୍ଧି କରିବ। ନିଷ୍ପତ୍ତି ନେବାର ଶକ୍ତି ଅକଳ୍ପନୀୟ ହେବ ଏବଂ ଆମର ମସ୍ତିଷ୍କକୁ କ୍ଲାଉଡରେ ଅପଲୋଡ୍ କରାଯାଇପାରିବ। ଏହି ପରିବର୍ତ୍ତନ ସାଇବୋର୍ଗ ଯୁଗର ସୂତ୍ରପାତ କରିବ, ଯେଉଁଠାରେ ମଣିଷ ଏବଂ ମେସିନ୍ ମଧ୍ୟରେ କିଛଇ ପାର୍ଥ୍ୟକ ହିଁ ରହିବନି ।

ତେବେ ଏହା ଯେ ଅସମ୍ଭବ ତାହା କହିହେବ ନାହିଁ । କାରଣ ଏଆଇ ପୂର୍ବରୁ ଏହାର ଶକ୍ତି ଦେଖାଇ ସାରିଛି – ୨୦୨୩ ରେ GPT-4 ଏବଂ Bing AI ପରି ଚାଟବଟ୍ କେବଳ କଥାବାର୍ତ୍ତାକୁ ପୁନଃପରିଭାଷିତ କରିନଥିଲା ବରଂ ଯଦି ଏହା ନିଜେ ଶିଖିପାରିବ ତେବେ ଏଆଇ କେତେ ଦୂର ବିକାଶ କରିପାରିବ ସେ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲା। ଆଉ ଯାହାକୁ ନେଇ କୁର୍ଜୱେଲ୍ ବିଶ୍ୱାସ କରନ୍ତି ଯେ ଏହା କେବଳ ବିଜ୍ଞାନ କଳ୍ପନା ନୁହେଁ, ବରଂ ବିବର୍ତ୍ତନର ପ୍ରାକୃତିକ ଦିଗ।

ତେବେ କହିରଖୁଛୁ, ରେ କୁର୍ଜୱେଲ୍ କେବଳ ଜଣେ ବୈଷୟିକ ବିଶେଷଜ୍ଞ ନୁହଁନ୍ତି, ବରଂ ଜଣେ ପ୍ରାମାଣିକ ଭବିଷ୍ୟବକ୍ତା ମଧ୍ୟ । ତାଙ୍କର ଏପର୍ଯ୍ୟନ୍ତ ୧୪୭ଟି ଭବିଷ୍ୟବାଣୀ ମଧ୍ୟରୁ ୮୬% ରୁ ଅଧିକ ସତ୍ୟ ହୋଇଛି । ଯେଉଁଥିରେ ଇଣ୍ଟରନେଟ୍, ଏଆଇ, ବାୟୋଟେକ୍ନୋଲୋଜି ଏବଂ କମ୍ପ୍ୟୁଟର-ଜୀବବିଜ୍ଞାନ ସମନ୍ୱୟ ଭଳି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ୧୯୯୯ ମସିହାରେ ତାଙ୍କୁ ଆମେରିକାର ସର୍ବୋଚ୍ଚ ବୈଷୟିକ ପୁରସ୍କାର ‘ନ୍ୟାସନାଲ ମେଡାଲ ଅଫ୍ ଟେକ୍ନୋଲୋଜି’ ମଧ୍ୟ ପ୍ରଦାନ କରାଯାଇଥିଲା। ସେ ଯାହା କହିଥିଲେ ତାହା ଏବେ କେବଳ ଏକ ବିଜ୍ଞାନ କାହାଣୀ ନୁହେଁ ବରଂ ଏକ ପ୍ରଯୁକ୍ତିବିଦ୍ୟା ରୋଡମ୍ୟାପ୍ ଭାବରେ ବିବେଚନା କରାଯାଉଛି।

Comments are closed.