Latest Odisha News

BREAKING NEWS

ମୁଁ ଏବେବି ବିଜେଡ଼ିରେ ଅଛି: ଦାମ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡ଼ି)ରୁ ସପ୍ତାହକ ପୂର୍ବରୁ ବହିଷ୍କୃତ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦିନ ସେ ଏବେବି ବିଜେଡ଼ିର ସଦସ୍ୟ ରହିଛନ୍ତି ବୋଲି କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

“ମୁଁ ଏବେ ମଧ୍ୟ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ ଅଛି । ଦଳରୁ ବହିଷ୍କାର କରିବା ନେଇ ଦଳ ପକ୍ଷରୁ ଲିଖିତ ଭାବେ ମୋତେ ଅବଗତ କରାଯାଇନାହିଁ । ଏହାଛଡ଼ା ଦଳରୁ ବହିଷ୍କାର ସମ୍ପର୍କରେ ପୂର୍ବରୁ ମୋତେ ଅବଗତ ମଧ୍ୟ କରାଯାଇନାହିଁ,” ବୋଲି ଦାମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ନିୟମାନୁସାରେ ମୋତେ ବହିଷ୍କାର କରିବା ଲାଗି ରାଜ୍ୟ କାର୍ଯ୍ୟକାରୀ ବୈଠକରେ ଆଲୋଚନା କରିବା ଉଚିତ ଥିଲା । ତେଣୁ ନିୟମ ବିରୁଦ୍ଧରେ ଯାଇ ଦଳର ସମ୍ପାଦକ ମୋତେ କିପରି ବହିଷ୍କାର କରିଲେ?” ବୋଲି ଦାମ ପ୍ରଶ୍ନ କରିଛନ୍ତି ।

ଇତିମଧ୍ୟରେ ଦାମଙ୍କର ଚିରାଚରିତ ରାଜନୈତିକ ପ୍ରତିଦ୍ୱନ୍ଦୀ ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ ପାରାଦ୍ୱୀପ ଆସନରୁ ନିର୍ବାଚନ ଲଢିବାକୁ ଇଛା ପ୍ରକାଶ କରିଛନ୍ତି ।

ସେ ଗଣମାଧ୍ୟମକୁ କହିଛନ୍ତି, “ଦଳ ଏବଂ ଦଳର ସୁପ୍ରିମୋ ଯଦି ପାରାଦ୍ୱୀପ ଆସନରୁ ଲଢିବାକୁ ମୋତେ ସୁଯୋଗ ଦିଅନ୍ତି ତେବେ ଏଥିଲାଗି ମୁଁ ମଧ୍ୟ ପ୍ରସ୍ତୁତ ଅଛି” ।

ସେ ଏଭଳି ମଧ୍ୟ କହିଛନ୍ତି ଯେ, ଦାମ ଦଳରୁ ବହିଷ୍କୃତ ହେଲା ପରେ ଏକୁଟିଆ ହୋଇଯାଇଛନ୍ତି । “ବର୍ତ୍ତମାନ ଆମ ଦଳ ପାରାଦ୍ୱୀପରେ ବେଶ୍ ଦୃଢ ଅବସ୍ଥାରେ ରହିଛି । ଦାମଙ୍କ ଦ୍ୱାରା ଯେଉଁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଆତଙ୍କିତ ଅବସ୍ଥାରେ ଥିଲେ ଏବେ ସେମାନେ ଆଗକୁ ଆସିଲେଣି, ଏବଂ ଆଗାମୀ ନିର୍ବାଚନରେ ଦଳକୁ ବହୁମତରେ ବିଜୟୀ କରାଇବେ”ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ବିଷ୍ଣୁ ଦାସ ।

Leave A Reply

Your email address will not be published.