Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: କ୍ରିକେଟ୍ ମଇଦାନରେ ଭାରତ-ପାକିସ୍ତାନର ଯୁଦ୍ଧ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିକେଟ ପ୍ରେମୀ ଅନେଇ ବସିଥିଲେ । ମାତ୍ର ଏହି ବ୍ୟାଟ-ବଲ୍ ର ଲଢେଇରେ ଭାରତ ପାକିସ୍ତାନକୁ ୮ ୱିକେଟରେ ଶୋଚନୀୟ ଭାବେ ପରାସ୍ତ କରିଛି । ଏହି ମ୍ୟାଚକୁ ନେଇ ଗତ କିଛିଦିନ ଧରି କ୍ରିକେଟପ୍ରେମୀ ମାନଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାର ଅବସାନ ଘଟିଛି ।

ଟସରେ ଜିତି ପାକିସ୍ତାନ ପ୍ରଥମେ ବ୍ୟ।।ଟିଂ ନେଇଥିଲା । ଖେଳ ଆରମ୍ଭରୁ ପାକିସ୍ତାନ ଝୁଣ୍ଟିଥିଲା । ଭାରତୀୟ ବୋଲର୍ ଭୁବନେଶ୍ୱର କୁମାର ପାକିସ୍ତାନର ଦୁଇ ଓପନରଙ୍କୁ ଦଳର ସ୍କୋର ୩ ହୋଇଥିବା ବେଳେ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ତାପରେ କିଛି ରନ୍ ବ୍ୟବଧାନରେ ହିଁ ପାକିସ୍ତାନ ନିୟମିତ ୱିକେଟ ହରାଇବାକୁ ଲାଗିଥିଲା । ଦଳର ସ୍କୋର ୧୦୦ ହେଲା ବେଳକୁ ପାକିସ୍ତାନ ୫ଟି ୱିକେଟ ହରାଇ ସାରିଥିଲା । ୪୩.୧ ଓଭରରେ ପାକିସ୍ତାନ ଅଲଆଉଟ୍ ହୋଇ ମାତ୍ର ୧୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ୍ ୪୭ ରନ, ସୋଏବ ମଲ୍ଲିକ୍ ୪୩ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ କେଦାର ଯାଦବ ୩ଟି କରି ୱିକେଟ ଅକ୍ତିଆର କରିଥିଲେ । ବୁମରା ୨ଟି ଏବଂ କୁଲଦିପ ଯାଦବ ଗୋଟିଏ କରି ୱିକେଟ ହାସଲ କରିଥିଲେ ।

ଭାରତୀୟ ଓପନର୍ ମୂଳରୁ ହିଁ ଛକା ଚୌକାର ବର୍ଷା ସୃଷ୍ଟି କରିଥିଲେ । କପ୍ତାନ ରୋହିତ ଶର୍ମା ୩୯ଟି ବଲ୍ ଖେଳି ୩ଟି ବିଶାଳ ଛକା ଓ ୬ଟି ଚୌକା ସହିତ ୫୨ ରନ କରିଥିଲେ । ସେହିପରି ଅନ୍ୟ ଓପନର ଶିଖର ଧାୱନ ୪୬ ରନ୍ କରି ଧୁଆଁଧାର ପାଳି ଖେଳିଥିଲେ । ଧାୱନ ଗୋଟିଏ ଛକା ସହିତ ୬ଟି ଚୌକା ମାରି ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲେ । ଅମ୍ବାତି ରାଇଡୁ ଓ କାର୍ତ୍ତିକ ଦୁହେଁ ୩୧ ରନ କରିବା ସହିତ ଶେଷ ଯାଏଁ ଅପରାଜିତ ରହି ଭାରତକୁ ଜିତାଇଥିଲେ । ପାକିସ୍ତାନର ୧୬୪ ରନର ଟାର୍ଗେଟକୁ ଭାରତ ମାତ୍ର ୨୯ ଓଭରରେ ହିଁ ସମାପ୍ତ କରିଥିଲା ।

ପାକିସ୍ତାନର ଏହି ଲଜ୍ଜାଜନକ ପରାଜୟର ମୁଖ୍ୟ ନାୟକ ଥିଲେ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାର । କୁମାର ହିଁ ପ୍ଲେୟାର ଅଫ ମ୍ୟାଚ୍ ଘୋଷିତ ହୋଇଥିଲେ ।

Leave A Reply

Your email address will not be published.