Latest Odisha News

BREAKING NEWS

ବୋହୂ ବିଜେଡି ପ୍ରାର୍ଥୀ ହେବେ ବୋଲି ଶେଷ ପର୍ଯ୍ୟନ୍ତ ଜାଣି ନ ଥିଲି -ରମା ବଳିୟାରସିଂ

ଭୁବନେଶ୍ୱର:ଦଳରେ ନିଶ୍ଚିତ ଭାବେ କିଛି ତ୍ରୁଟି ଥିଲା । ସେହି ତ୍ରୁଟି ହିଁ ଥିଲା ପରାଜୟର କାରଣ । ସେଥିପାଇଁ ବିଜେପି ପଦ୍ମପୁରରେ ଏତେ ଅଧିକ ଭୋଟରେ ହାରିଲା ବୋଲି ସ୍ୱୀକାର କରିଛନ୍ତି ବିଜେପି ନେତା ତଥା ବିଜୟୀ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ଶ୍ୱଶୁର ରମାରଞ୍ଜନ ବଳିୟାର ସିଂ । ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ ରମାରଞ୍ଜନ କହିଛନ୍ତି, ବିଜେଡି ବ୍ୟାକଫୁଟରେ ଥିଲା । ବର୍ଷାଙ୍କ ପରିବାର ତଥା ଦଳ ପାଇଁ ବର୍ଷାଙ୍କ ପ୍ରାର୍ଥୀତ୍ୱ ଏକପ୍ରକାର ଆବଶ୍ୟକତା ଥିଲା । ତେଣୁ ଦଳ ତାଙ୍କୁ ଶେଷ ମୁହୂର୍ତ୍ତରେ ଟିକେଟ ଦେଇଥିଲା । ତେବେ ଶେଷ ମୁହୂର୍ତ୍ତ ସୁଦ୍ଧା ବର୍ଷା ବିଜେଡିର ପ୍ରାର୍ଥୀ ହେବା ବିଷୟରେ  ଜାଣି ନ ଥିଲେ କିମ୍ବା ବର୍ଷା ଏ ନେଇ ତାଙ୍କ ସହ କୌଣସି ଆଲୋଚନା କରି ନ ଥିଲେ ବୋଲି କହିଛନ୍ତି ବିଜେପି ନେତା ବଳିୟାର ସିଂ ।

ପଦ୍ମପୁର ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିଥିଲା ବର୍ଷା ସିଂ ବରିହାଙ୍କୁ । ବର୍ଷା ବିଜେପି ନେତା ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ ତଥା ପଦ୍ମପୁରର ପୂର୍ବତନ ବିଧାୟକ ସ୍ୱର୍ଗତ ବିଜୟ ସିଂ ବରିହାଙ୍କ ଝିଅ  । ବେଶ କୁଟନୀତି ତଥା ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଜାଣି ଜାଣି ବିଜେଡି ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା । ବର୍ଷା  ବିଜେପି ମୁଖପାତ୍ର ରମା ବଳିୟାର ସିଂଙ୍କ ବୋହୂ ଏହାକୁ ନେଇ ବେଜେପିକୁ ଫସାଇବାକୁ ଚାହିଁଥିଲା ବିଜେଡି । ଆଉ ପ୍ରକୃତରେ ସେଇଆ ହିଁ ହେଲା । ବିଜେପି ‘ଏଠିକା ଝିଅ-ସେଠିକା ବୋହୂ’କୁ ତାଙ୍କର ରଣନୀତି କରିଥିଲେ । ଯାହା ଦଳ ପାଇଁ ବୁମେରାଂ ହେଲା ଏବଂ ଦଳ ହାରିଲା ।

ତେବେ ବର୍ଷାଙ୍କ ପ୍ରାର୍ଥିତ୍ୱ ତଥା ଜିତାପଟ ଶ୍ୱଶୁର ରମା ବଳିୟାର ସିଂଙ୍କ ପାଇଁ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଥିଲା । ପଦ୍ମପୁର ନିର୍ବାଚନରେ ତାଙ୍କୁ ଏକପ୍ରକାର ଅଣଦେଖା କରାଯାଇଥିବା ସ୍ପଷ୍ଟ ହୋଇଥିଲା । କାରଣ  ନିର୍ବାଚନ ପ୍ରଚାରରେ ରମାଙ୍କୁ ପଦ୍ମପୁରରେ ଦେଖିବାକୁ ମିଳି ନ ଥିଲା ।  ଯାହା ବି ହେଉ ପଦ୍ମପୁର ଉପନିର୍ବାଚନ ଫଳାଫଳ ତାଙ୍କୁ ଖୁସି ଦେଇଛି ନା ଦୁଃଖ ଏ ପ୍ରଶ୍ନର ଉତ୍ତରରେ ରମା ବଳିୟାର ସିଂ କହିଥିଲେ, ବର୍ଷାଙ୍କ ଜିତିବା ଖବରରେ ମୁଁ ଖୁସି ନୁହେଁ କହିଲେ ଏହା ଛଳନା ହେବ । ତେବେ ଦଳର ପରାଜୟ ବି ଏକ ଧକ୍କା ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.