Latest Odisha News

BREAKING NEWS

ପୁସ୍ତକ ପରିଚୟ : ନଟର ଡାଏରୀ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା 

ବହି : ନଟର ଡାଏରୀ
କଥାକାର : ପ୍ରକାଶ ମହାପାତ୍ର
ପ୍ରକାଶକ : ଇଭେଣ୍ଟସ୍
ପୃଷ୍ଠା ସଂଖ୍ୟା : ୨୧୬
ମୂଲ୍ୟ : ୨୫୦ ଟଙ୍କା ମାତ୍ର

ଅନେକ ଅନୁଭବର ଚିତ୍ରିତ ବ୍ୟାଖ୍ୟା ନିଜ ସହ ନିଜର କଥା

ଆପଣ କେବେ ନିଜ ସହ ନିଜେ କଥା ହୋଇଛନ୍ତି ? କେବେ ଚେଷ୍ଟା କରିଛନ୍ତି ନିଜେ ନିଜକୁ ଚିନ୍ହିବାକୁ ? ନା, କରିନଥିବେ ବୋଧହୁଏ । ଏତେ ସହଜ ନୁହେଁ ନିଜ ସହ ନିଜେ କଥା ହେବା, ନିଜେ ନିଜକୁ ଚିହ୍ନିବା । ଥରେ ନିଜେ ନିଜକୁ ଚିହ୍ନି ପାରିଲେ ବିନ୍ଦୁ ଭିତରେ ସିନ୍ଧୁ ଦେଖି ହୁଏ। ଜୀବନଟା ଖୁବ୍ ସହଜ ପାଲଟି ଯାଏ। ମଣିଷ ଭୁଲି ଯାଏ ହାରିବାର ଦୁଃଖ। ମଣିଷ ଅନୁଭବ କରେ ହାରିବାରେ ହିଁ ତାର ଜନ୍ମ ହାରିବାରେ ହିଁ ତାର ମୃତ୍ୟୁ। ଏହି ଜନ୍ମ ଓ ମୃତ୍ୟୁ ଭିତରେ ଯେତିକି ଦିନ ସେ ବଞ୍ଚି ରୁହେ ସେତିକି ଦିନ ସେ ସଂଘର୍ଷ କରେ ଜିତିବା ପାଇଁ ଏବଂ ସେହି ସଂଘର୍ଷ ହିଁ ହେଉଛି ଜୀବନର ଅନ୍ୟ ନାମ।

ଏହି କଥାକୁ ଅନୁଭବ କରିଛି ନଟ। ଜୀଵନର ପ୍ରତିଟି କୋଣ, ସୁଖ, ଦୁଃଖ, ଜିତିବା, ହାରିବା, ସମାଜ, ସାମାଜିକ ପ୍ରତିସ୍ପର୍ଦ୍ଧା, ପାପ, ପୁଣ୍ୟ, ପ୍ରେମ, ପ୍ରତାରଣା, ଶ୍ଳୀଳତା, ଅଶ୍ଳୀଳତା, ଵିଶ୍ଵାସ, ବିଷ, ଗୁରୁ, ଶିଷ୍ୟ ଆଦି ଜୀବନର ବିଭିନ୍ନ ଦିଗ ଭିତରେ ନିଜର ଅନୁଭବକୁ ବାଣ୍ଟିଛି ନଟ। ମଜାଳିଆ କଥା ଏଵଂ ଛୋଟ ଛୋଟ ଉଦାହରଣ ମାଧ୍ୟମରେ ଆଲୋଚନା କରିଛି ନଟ ଭଗବତ୍ ଗୀତାଠୁ ଆରମ୍ଭ କରି ଫ୍ରେଞ୍ଚ୍ କାଫ୍କାଙ୍କ ପର୍ଯ୍ୟନ୍ତ। ଲେଖିଛି ଦିନ ଲିପି। ସେହି ଦିନଲିପି ହିଁ ହେଉଛି ନଟର ଡାଏରୀ ଏବଂ ସେହି ଡାଏରୀ ହେଉଛି ଆମ ସମୟର ବରିଷ୍ଠ ଓ ଶ୍ରେଷ୍ଠ କଥାକାର ପ୍ରକାଶ ମହାପାତ୍ରଙ୍କର । ସେ କଥାରେ କଥାରେ କହି ଦିଅନ୍ତି କୀଟ ଓ ଅନ୍ୟାନ୍ୟ ଗଳ୍ପର କଥା। ସେ କୁହନ୍ତି ଘୋଡା ସବାରର କଥା ଓଃ ଫୁଜିଆମାରା କଥା। ସେ କୁହନ୍ତି ଜର୍ନାଲର କଥା , ସେ କୁହନ୍ତି ଟି – ବ୍ରେକ୍ ର କଥା ଏବଂ ସିଏ କୁହନ୍ତି ନଟର ଡାଏରୀ କଥା।

ନଟ ନିଜ ସହ ନିଜେ କରେ ସାକ୍ଷାତକାର । ସେ ଥରେ ନୁହଁ ,ଦିନର ନୁହେଁ ,ତିନିଥର ନୁହେଁ ,ଚାରି ଚାରିଥର ନିଜ ସହ ନିଜେ କରିଛି ମୁଲାକାତ୍। ନଟ ସହ ସାକ୍ଷାତକାର ନେବା ପାଇଁ ସେ ଚେଷ୍ଟା କରିଛି। ହେଲେ ନଟର ସାକ୍ଷାତକାର ସେ ନେଇଛି ନା ତାର ସାକ୍ଷାତକାର ନଟ ନେଇଛି ସେ କଥା ସେ ନିଜେ ହିଁ ଜାଣେ। ହେଲେ ଏଇ ସାକ୍ଷାତକାରରେ ସେ କହିଛି ସୃଜନର କଥା, ସାହିତ୍ୟର କଥା, ସାହିତ୍ୟରେ ପୁରସ୍କାର, ପୁରସ୍କାର ପାଇଁ ଲାଳସା ଓ ବାକ୍ ବିତଣ୍ଡାର କଥା। ସବୁ ପ୍ରଶ୍ନର ଉତ୍ତରକୁ ଗୋଟିଏ ଗୋଟିଏ ଗପ ଭଳି ସଜାଇଛି ନଟ। ଏଠି ବ୍ୟବହୃତ ପ୍ରତୀକ, କଥନ ଶୈଳୀ ଓ ଚିତ୍ରିତ ବ୍ୟାଖ୍ୟାର ରୂପ ସତରେ ଲାଜବାବ ହୋଇଛି।

ଏବେ ଆପଣ ଭାବୁଥିବେ ଏଠି କିଏ କାହାର ସାକ୍ଷାତକାର ନେଉଛି। କଥାକାର ପ୍ରକାଶ ମହାପାତ୍ର ନଟର ନା ନଟ, ପ୍ରକାଶ ମହାପାତ୍ରଙ୍କର, ନା ଆଉ ଜଣେ କେହି ତୃତୀୟ ବ୍ୟକ୍ତି ସାକ୍ଷାତକାର ନେଉଛନ୍ତି ଏହି ଦୁଇ ଜଣଙ୍କର। ହଉ , ଆପଣ ସେମିତି ଭାବୁଥାନ୍ତୁ ,ମୁଁ ଟିକେ ନଟର ଡାଏରୀକୁ ଖୋଲି ଦେଖେ। ଦେଖେ, ସେ ଏମିତି କଣ ଲେଖି ପକାଇଛିଯେ, ଅଧା ଲୋକଙ୍କୁ ପାଗଳ କରି ସାରିଲାଣି ସିଏ।

ପ୍ରଥମ ମୁଲାକାତ୍ ରେ କହିଲା କଣ ନା ” ସୃଜନ ହେଉଛି ଗୋଟିଏ ସେକ୍ସୁଆଲ୍ ଆଫେୟାର୍। ପ୍ରେମ ଓ ରମଣରୁ ସୃଜନ ହୁଏ ”
(ପୃଷ୍ଠା ସଂଖ୍ୟା – ୧୩)
ଦ୍ବିତୀୟ ମୁଲାକାତ୍ ରେ ସେ ନିଜେ ନୁହଁ, ଗଦା ଭାଇର ମୁହଁରେ କହୁଛି ସାହିତ୍ୟ ଓ ସୃଜନର କଥା। ଧାରକର କଥା, ପାନରେ ଚୁନ ମାରିଵାର କଥା, ଗପ ପାଇଁ ପ୍ଲଟଟେ ଖୋଜିବାର କଥା। ପ୍ଲଟ୍ ଟେ ମିଳିବା ପରେ ଗରାଖର ମନ ଜାଣି ପାନରେ ଚୁନ ମାରିବାର କଥା , ଜନ ପ୍ରିୟ ସାହିତ୍ୟ ଓ ସୃଜନ କଳାର କଥା।

ଲୋକଟା ବଡ ଚାଲାକ୍ ଓ ଧ୍ରୁତ। କଥାରେ କଥାରେ ଇଭେଣ୍ଟସ୍ ଭଳି ପ୍ରକାଶନ ସଂସ୍ଥା ଓ ତା ଦ୍ଵାରା ଛପା ହୋଇଥିବା କବି ବିଦ୍ୟୁତ୍ ଲତାଙ୍କ ବହି “ତୋତେ ଯାହା ମନା ” ର ବିଜ୍ଞପନ କରି ଦେଇଛି ହୋ।
ତୃତୀୟ ମୁଲାକାତରେ କହିଛି ମଣିଷକୁ ଯେଉଁ କାମ ମନା ସେହି କାମ କରିବାକୁ ତାର ମନ ଖୁବ୍ ଅଧିକ। ସୃଜନଶୀଳତା ମଧ୍ୟ ଠିକ୍ ସେମିତି କଥା। କାନ୍ଥରେ ଯେଉଁଠି ଲେଖା ହୋଇଥିବ ଏଠି ପରିଶ୍ରା କରିବା ମନା, ସିଏ ସେଇଠି ପରିଶ୍ରା କରିବ। ଅଜବ ଯୁକ୍ତି ହୋ। କହୁଛି କଣ ନା ଫ୍ରୟେଡ୍ କହିଛନ୍ତି,
” All human behavior as motivated by the drives or instincts, which in turn are the neurological representation of physical needs ”
(ପୃଷ୍ଠା ସଂଖ୍ୟା – ୨୫)

ଲୋକଟା ଖାଲି ଚାଲାକ୍ ଓ ବିଜ୍ଞ ନୁହେଁ , ସାହାସକୁ ବି ତାର ମାନିବାକୁ ପଡିବ ଆଜ୍ଞା। ଚତୁର୍ଥ ମୁଲାକାତ୍ ରେ ଲୋକଟା କହିଛି ସ୍ଵପ୍ନରେ ରମଣ ସୁଖର ଅନୁଭବ କଥା। କହୁଛି କଣନା,
“ରାବଣ ଶେଯରେ ଶୋଇ ମନ୍ଦୋଦରୀ ଭାବେ ରଘୁବିର କଥା
ଚିତ୍ତ ଯାର ଧରମରେ ଵନ୍ଧା
ମରମେ ପାପର ଗାଥା ”
(ପୃଷ୍ଠା ସଂଖ୍ୟା – ୩୦)

“ତିନି ତୁଣ୍ଡରେ ଛେଳି କୁକୁର ” ଗପ କଥା ସମସ୍ତେ ଜାଣିଥିବେ । ଯୁବି ଗାଳ୍ପିକ ଅମୀୟ ବେଜ୍ ଓ କବି ମମତା ଦାସଙ୍କୁ ବୁଝାଇବା ଛଳରେ ଏଠି କଥାକାର ନଟ ସାମ୍ନାରେ ପାଲଟି ଯାଇଛନ୍ତି ଜଣେ ବ୍ୟାଖ୍ୟାକାର ଏଵଂ ତାଙ୍କ ବ୍ୟାଖ୍ୟାରେ ସେ କହୁଛନ୍ତି ମଣିଷର ଆତ୍ମ ଵିଶ୍ବାସ ଓ ପୁରୁଷର ପୁରୁଷାକାର କଥା।
” ପୁରୁଷର ପୁରୁଷାକାର ତିନୋଟି କଥା ଉପରେ ନିର୍ଭରଶୀଳ। ୧ – ମୁଣ୍ଡ , ୨ -ତୁଣ୍, ୩ – ଅଣ୍ଡ। ***
ଏହି ତିନୋଟି ଯାହାର ବାଲାନ୍ସଡ୍, ସେହି ପ୍ରକୃତରେ ପୁରୁଷ ”
(ପୃଷ୍ଠା ସଂଖ୍ୟା – ୪୧)

” ଯୋଗେଶ୍ଵର ଡଟ୍ କମ୍ ” ରେ ନଟ, ପାର୍ଥକୁ କହୁଛି ଗୀତାରେ କୁହା ଯାଇଥିଵା ଜୀବନର ପ୍ରାପ୍ତି ଓ ଅପ୍ରାପ୍ତିର କଥା। ସେଥିରେ ଫ୍ରେଞ୍ଚ୍ କାଫ୍କାଙ୍କ ସୃଜନକୁ ନେଇ ଆଲଵେୟାର୍ କ୍ୟାମୁଙ୍କ କହିଥିବା ଜୀବନର ଚରମ ସତ୍ୟକୁ ଆଲୋଚନାର ପରିସରକୁ ଆଣିଛି ନଟ।
“ଜଣେ ପାଗଳ ବାଥ୍ ଟବ୍ ରେ ବନିଶୀ ଖାଡି ପକାଇ ମାଛ ଧରୁଛି। ପଶ୍ନ ହେଲା – କଣ ମାଛ ଧରୁଛ ? ଲୋକଟି ହସିକରି କହିଲା – ବୁଦୁ ଦେଖି ପାରୁନୁ ? ଏଇଟା ପରା ବାଥ୍ ଟବ୍ !
: କଣ ଏହା ଅର୍ଥ ?
: ଅର୍ଥ କେବଳ ଏତିକି ଯେ, ମାଛ କାହାକୁ ମିଳେନା। ସବୁ ପ୍ରାପ୍ତି ଏକ ମୃତ୍ୟୁ। ଯାହା ମିଳି ଯାଇଛି ତାହା ତୁମ ପାଇଁ ପ୍ରାପ୍ତି ପଛରେ ଧାଇଁ ବିଫଳ ହେଉଥିଵା ପାନ୍ଥର ଇତିହାସ।
***
ତ’ ମାଛ ଧରା ଯାଉ। ମାଛ ମିଳେନା ବୋଲି ଧରିବାର ଆନନ୍ଦରୁ ବଞ୍ଚିତ ହେବି କାହିଁକି ”
(ପୃଷ୍ଠା ସଂଖ୍ୟା – ୪୭)

ଜାଣି ହୁଏନି ନଟ କେତବେଳେ ନାସ୍ତିକ ସାଜେ କେତବେଳେ ଆସ୍ତିକ। ଅନେକେ ସମୟରେ ସେ ଇଶ୍ଵରଙ୍କୁ ଅସ୍ଵୀକାର କରେ, ପୁଣି ଗାଳ୍ପିକ ଅଜୟ ସ୍ଵାଇଁଙ୍କ ସହ ମିଶି ଗଣେଶ ପୂଜାରେ ଗଣେଶଙ୍କ ପେଟକୁ ଦେଖେ ଓ କୁହେ
” କି ସୁନ୍ଦର ପେଟଟି ବଢେଇଛ ହେ ପ୍ରଭୁ, ମୋ ପେଟ କଥା ଟିକେ ଵୁଝ ”
(ପୃଷ୍ଠା ସଂଖ୍ୟା -୫୭)

ଏଇ ନଟ, କେତବେଳେ ” ଅସହାୟ ପଞ୍ଚମ ଜର୍ଜ ” ର କଥା କୁହେ ତ କେତଵେଳେ ଗୁରୁ ଓ ଶିଷ୍ଯ ପରମ୍ପରାରେ ପର୍ଦ୍ଧା ପଛର କଥା କୁହେ। କେତେବେଳେ ସେ ” ଅଶ୍ଳୀଳତାକୁ ନେଇ କିଛି ଵିଚାର” ମୁକ୍ତ ସ୍ଵରରେ ରଖେତ କେତବେଳେ ” ବାଆଁରା ଚଢେଇ ” ଓ ” ମୁଦ” ର କଥା କୁହେ। କେତବେଳେ ସେ
” ବର୍ମୁଡା ଟ୍ରାଙ୍ଗେଲ୍ ” ର କଥା କୁହେ ତ କେତେବେଳେ ” ସାବିତ୍ରୀ ବ୍ରତ କଥା ” , ” ଇଡିଲି ଓ ଚଟଣୀ “ର କଥା କୁହେ। କେତବେଳେ ସେ ” ମଶାରୀ ” ର କଥା କୁହେତ କେତଵେଳେ କୁହେ କଵି ହର ପ୍ରସାଦ ଦାସଙ୍କ କଥା। ସେ କେତବେଳେ କୁହେ ” ଛତା ” ର କଥାତ କେତଵେଳେ ” କରୁଣାମୟ ଭର୍ସେସ୍ କୋଭିଡ୍ ” ର କଥା।

କଣ ,ଏବେ ଯାଏ ଆପଣ ଭାବୁଛନ୍ତି କିଏ ସେ ନଟ ! କିଏ ନେଇଛି କାହାର ସାକ୍ଷାତକାର, ଦି’ଜଣଙ୍କ ଭିତରେ ସଂଯୋଜକ କିଏ ? ଏସବୁ ଜାଣିବା ପାଇଁ ପୁସ୍ତକଟି ପଢନ୍ତୁ ।

Leave A Reply

Your email address will not be published.