Latest Odisha News

BREAKING NEWS

ମଞ୍ଚରେ ଥିବା ବେଳେ ମତେ ରାଣୀ ଭଳି ଅନୁଭବ ହୁଏ : ଅଭିନେତ୍ରୀ ଭାସ୍ୱତୀ ବସୁ

ଭାସ୍ୱତୀ ବସୁ ଜଣେ ବହୁ ପ୍ରତିଭାର ଅଧିକାରୀଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କହିବାକୁ ଗଲେ ସେ ନିଜ ବାପା ଅସୀମ ବସୁଙ୍କ ପରି । ଓଡିଆ ଥିଏଟରରେ କାମ କରୁଥିବା କିଛି ମହିଳା କଳାକାରଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ଏବଂ ପ୍ରତିଭାବାନ କଳାକାର ।

ଥିଏଟର, ରୂପେଲି ପରଦା ଏବଂ ଛୋଟ ପରଦାରେ ଅଭିନୟ, ଥିଏଟର ନିର୍ଦ୍ଦେଶକ, ନାଟ୍ୟକାର, ମଞ୍ଚସଜ୍ଜା ବିଶେଷଜ୍ଞ, ଭଏସ ଓଭର କଳାକାର, କବି, ଟେଲିଭିଜନ ଉପସ୍ଥାପିକା ଏବଂ ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଦାୟିତ୍ୱ ସହ ସେ ପାଠ ପଢୁଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପିକା ଭାବେ ମଧ୍ୟ କାମ କରୁଛନ୍ତି ।

‘କଥାନ୍ତର’ ଚଳଚିତ୍ର ପାଇଁ ସେ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଛନ୍ତି । ଏଥିସହ ସେ ୧୫ଟି ଟେଲି ସିରିଏଲ , ୩ ଟି ଚଳଚିତ୍ର ଏବଂ ୨୫ ଟି ମଞ୍ଚ ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆହୁରି ମଧ୍ୟ ସେ ୧୯ ଟି ନାଟକର କାହାଣୀ ଲେଖିବା ସହିତ ୧୩ ଟିରେ ନାଟ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ନୂଆଦିଲ୍ଲୀ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ମଞ୍ଚର ପରିକଳ୍ପନା ସେ କରିଛନ୍ତି ।

ଭାସ୍ଵତୀ ବାପା ଅସୀମ ବସୁଙ୍କ ବ୍ୟତୀତ ଥିଏଟର ସହ ସଂପୃକ୍ତ ସାଧୁ ମେହେର, ଅଜିତ ଦାସ, ବିଜୟ ମିଶ୍ର ଏବଂ ରାଜୁ ମିଶ୍ରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହ କାମ କରିଛନ୍ତି । ତାଙ୍କର ପ୍ରାୟ ସବୁ ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି ।

ଆଜିର ମନଖୋଲା କଥାରେ ତାଙ୍କ ସହ କଥା ହୋଇଛନ୍ତି ବରି‌ଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର

ଅସୀମ ବସୁଙ୍କ ଝିଅ ହୋଇଥିବାରୁ ନିଜ ବାପାଙ୍କ ପଦାଙ୍କ ଅନୁସରଣ କରି ଥିଏଟରରେ ରହିବାକୁ ଆପଣଙ୍କ ଉପରେ କୌଣସି ଚାପ ରହିଥିଲା କି? ଆପଣଙ୍କ ସ୍କୁଲ ସମୟରେ ନିଜ କ୍ୟାରିଅରକୁ ନେଇ କିଛି ଅଲଗା ସ୍ୱପ୍ନ ଦେଖିଥିଲେ କି ?

ଉ: ବାସ୍ତବରେ ସେମିତି ନୁହେ। ବରଂ ମୁଁ ପିଲାଦିନେ ମୋ ବାପାଙ୍କ ବୃତ୍ତି ବିଷୟରେ ଅଧିକ କିଛି ଜାଣି ନ ଥିଲି । ତଥାପି ଚିତ୍ର ଆଙ୍କିବା ଏବଂ ରଙ୍ଗ କରିବାରେ ମୋର ଆଗ୍ରହ ଥିଲା । ପରବର୍ତ୍ତୀ ସମୟରେ ଏହା ଆଉ କରିନାହିଁ । ଭବିଷ୍ୟତରେ ମୁଁ କଣ ହେବି ସେ ନେଇ ମୁଁ କିଛି ସ୍ଥିର କରି ନ ଥିଲି । ବୋଧେ ମୁଁ ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିଲି କିନ୍ତୁ ମୁଁ ସେପରି ପ୍ରତିଶ୍ରୁତିବଦ୍ଧ ନୁହେଁ । ଯେତେବେଳେ ମୁଁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ଯୋଗ ଦେଲି ସେତେବେଳେ ହିଁ ମୁଁ ଅନୁଭବ କଲି ଯେ, ପ୍ରକୃତରେ ଥିଏଟର ପ୍ରଡକ୍ସନ କ’ଣ ଏବଂ ଏହାକୁ ଭଲପାଇବସିଲି ।

ଆପଣ ଜଣେ କଳାକାର ହେବା ପଛରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ଅଧ୍ୟୟନ କେତେଦୂର ସହାୟକ ହେଲା ?

ଉ: ଶିକ୍ଷା ସବୁବେଳେ ଜଣେ ବ୍ୟକ୍ତିର ଅଭିବୃଦ୍ଧିରେ ସାହାଯ୍ୟ କରେ । ନାଟକ କଣ ତାହା ଭଲ ଭାବରେ ବୁଝିବା ବ୍ୟତୀତ ଜୀବନରେ ମୋ ଆତ୍ମବିଶ୍ୱାସ ବଢିପାରିଲା । ଏଥିସହ ଅନେକ ବିଷୟ ବିଷୟରେ ମୋର ଧାରଣା ହୋଇପାରିଲା । ଜଣେ ଅଭିନେତା ବା ଅଭିନେତ୍ରୀର ବୈଷୟିକ ଦିଗ କଥା ମଧ୍ୟ ଜାଣିବା ଉଚିତ୍ । ଆଲୋକ, ସେଟ୍ ଏବଂ ସଙ୍ଗୀତ ବିଷୟରେ ବି ଜ୍ଞାନ ରହିବା ଆବଶ୍ୟକ ଏବଂ ଦିଆଯାଇଥିବା ଚରିତ୍ରକୁ ବିଶ୍ଲେଷଣ କରିପାରୁଥିବା ଆବଶ୍ୟକ । ମୋ ପାଠପଢା ମାଧ୍ୟମରେ ମୁଁ ଭବିଷ୍ୟତରେ ସାମ୍ନା କରିବାକୁ ଥିବା ସମସ୍ୟା ପାଇଁ ପ୍ରସ୍ତୁତ ହୋଇଯାଇଥିଲି ।

ଥିଏଟର, ସିନେମା ଏବଂ ଟେଲିଭିଜନରେ ଆପଣ ବହୁତ କାମ କରିଛନ୍ତି । ଏ ମଧ୍ୟରେ କେଉଁଟି ଆପଣଙ୍କୁ ଅଧିକ ସନ୍ତୁଷ୍ଟ କରିଛି?

ଉତ୍ତର : ଷ୍ଟେଜ ଉପରେ ମୋତେ ଜଣେ ସାମ୍ରାଜ୍ଞୀ ପରି ଅନୁଭବ ହୁଏ, ମତେ ଲାଗେ ଏଇଟା ମୋ ସାମ୍ରାଜ୍ୟ । ଟେଲିଭିଜନରେ ଅଭିନୟ କରି ମୋତେ ଟଙ୍କା ମିଳିଛି ଓ ଖ୍ୟାତି ବି ମିଳିଛି । ଲୋକେ ମୁଁ ଅଭିନୟ କରିଥିବା ଚରିତ୍ରକୁ ନେଇ ଚିହ୍ନନ୍ତି । କିନ୍ତୁ ଏହା ମୋ ସୃଜନଶୀଳତାକୁ ସନ୍ତୁଷ୍ଟି ଦେଇପାରିନି । ମୁଁ କିଛି ବ୍ୟବସାୟିକ ଚଳଚ୍ଚିତ୍ର ମଧ୍ୟ କରିଛି । କିନ୍ତୁ ଏହା ଯେପରି ତିଆରି ହୁଏ ତାହା ମୋତେ ଭଲ ଲାଗେ ନାହିଁ । କହିବାକୁ ଗଲେ ମତେ ସମାନ୍ତରାଳ ଫିଲ୍ମ, କ୍ଷୁଦ୍ର ଫିଲ୍ମ କରିବାକୁ ଭଲ ଲାଗେ ଯେଉଁଠି ଚ୍ୟାଲେଜିଂ ଚରିତ୍ର ଥାଏ । କିନ୍ତୁ ନାଟକ ସହ କାହାରି ତୁଳନା ନାହିଁ । ଲଗାତାର ରିହଲସଲ, ଆଖି ଆଗରେ ଦର୍ଶକ ପ୍ରତିକ୍ରିୟା, ମୋ ପାଦ ମଞ୍ଚରେ ରଖିବା ମାତ୍ର ମୁଁ ଯେଉଁ ରୋମାଞ୍ଚ ଅନୁଭବ କରେ, ଏସବୁ ମତେ ପାଗଳ କରିଦିଏ । ଆଉ ସେଥିପାଇଁ ମୁଁ ନାଟକକୁ ବେଶୀ ଭଲ ପାଏ ।

ଆପଣ ମଞ୍ଚରେ ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା ତଥା ନାଟ୍ୟକାର ଭାବେ କାମ କରୁଛନ୍ତି । ଏ ମଧ୍ୟରୁ କେଉଁଟା ଆପଣଙ୍କର ପ୍ରିୟ ?

ଉ: ମୁଁ ଜନ୍ମରୁ ଅଭିନେତ୍ରୀ । ଅଭିନୟ ଛଡା ମୋ ପାଇଁ କିଛି ପ୍ରିୟ ନୁହେଁ । ଏହା ନୁହେଁ ଯେ ମୁଁ ଅନ୍ୟ କ୍ଷେତ୍ରକୁ ମୋର ଶ୍ରେଷ୍ଠତ୍ୱ ଦେଇନି, । ମୁଁ ନାଟକ ପାଇଁ କାହାଣୀ ଲେଖିଥିଲି, ଅନେକ ନାଟକ ନିର୍ଦ୍ଦେଶନା ମଧ୍ୟ ଦେଇଛି । କିନ୍ତୁ କଷ୍ଟଦାୟକ ଭୂମିକାରେ ଅଭିନୟ କରିବାର ତୁଳନା ନାହିଁ ।

ଥିଏଟର ଏବଂ ସିନେମା କ୍ଷେତ୍ରରେ ଆପଣଙ୍କ ବାପାଙ୍କ ସମେତ ସାଧୁ ମେହେର, ରାଜୁ ମିଶ୍ର, ବିଜୟ ମିଶ୍ର ଏବଂ ଅଜିତ ଦାସଙ୍କ ପରି ବିଶିଷ୍ଟ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ କାମ କରିଛନ୍ତି । ସେମାନଙ୍କ ସହିତ କାମ କରିବାର ଆପଣଙ୍କ ଅନୁଭୂତି କେମିତି ଥିଲା ?

ଉ: ଏତେ ବଡ଼ ବଡ ଲୋକଙ୍କ ପାଖେ କାମ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ଆଜି ଯାହା ହୋଇପାରିଛି ସବୁ ସେମାନଙ୍କ ପାଇଁ । ସେମାନେ ମତେ ଶିଖାଇଛନ୍ତି ଅଭିନୟ କେମିତି କରନ୍ତି, ଡାଇଲଗ୍ କେମିତି କହନ୍ତି, ସ୍କ୍ରିପ୍ଟରେ ଲେଖାଯାଇଥିବା କାହାଣୀକୁ ନେଇ କେମିତି ଭାବରେ ପ୍ରକାଶ କରିବି, ଚରିତ୍ରରେ ନିଜକୁ କିପରି ଫିଟ୍ କରିବ ଇତ୍ୟାଦି । ଏସବୁ ବର୍ଣ୍ଣନା କରିହେବନାହିଁ ଆଉ ମୋ ସଫଳତାର ଶ୍ରେୟ ମୁଁ ସବୁବେଳେ ସେମାନଙ୍କୁ ହିଁ ଦେବି ।

ଭାରତୀୟ ଥିଏଟର ଦୃଶ୍ୟ ପଟ୍ଟରେ ଓଡିଶା ଥିଏଟରର ସ୍ଥାନ କେଉଁଠି ?

ଉ: କିଛି ଦଶନ୍ଧି ପୂର୍ବରୁ ଓଡିଆ ଥିଏଟର ଯାହା ଥିଲା ସେଥିରେ ଉନ୍ନତି ଆସିଛି । ଏହା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଛି । ଅନ୍ୟ ରାଜ୍ୟ ସହ ତୁଳନାରେ ଆମର ଆର୍ଥିକ ସମ୍ବଳ ବେଶୀ ନାହିଁ । କିନ୍ତୁ ଏହା ଆମ ଥିଏଟରର ଲୋକପ୍ରିୟତାରେ ବାଧକ ହୋଇନାହିଁ ।

ଥିଏଟର ଏବଂ ସିନେମା ବ୍ୟତୀତ ଆପଣ ଆପଣଙ୍କ କବିତା ପାଇଁ ବି ବେଶ୍ ନାଁ କରିଛନ୍ତି । ନିଜକୁ ଜଣେ କବି ଭାବେ କେବେ ଆବିଷ୍କାର କଲେ ?

ଉ: ଧାଡିଗୁଡିକ ତ ସବୁବେଳେ ଥିଲା, ଖାଲି ଦରକାର ଥିଲା ତାକୁ କାଗଜରେ ଉତାରିବା । କଲେଜରେ ପଢୁଥିବା ବେଳେ ମୁଁ କବିତା ଲେଖିବାକୁ ଚେଷ୍ଟା କଲି କିନ୍ତୁ ନିଜ କ୍ୟାରିଅରକୁ ନେଇ ସଂଗ୍ରାମ ଚାଲିଥିବାରୁ ସେ ସମୟରେ ସମ୍ଭବ ହୋଇ ନ ଥିଲା । ୨୦୧୭ ରେ ବାପାଙ୍କ ଦେହାନ୍ତ ପରେ ମୁଁ ପୁରାପୁରି ଭାଙ୍ଗି ପଡିଥିଲି । ମତେ ରାତିରେ ନିଦ ହେଲାନାହିଁ । ଏହା ଏକ କଷ୍ଟକର ସମୟ ଥିଲା ଯେ ଏଥିରୁ ବାହାରିବା ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡିଲା । ଏଇ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମୁଁ କବିତା ଲେଖିଲି । ପ୍ରାୟ ୭୦ଟି କବିତା ଲେଖିଥିଲି ଯାହା ପ୍ରକାଶ ପାଇଛି । ଏହା ପରେ ଲୋକେ ମତେ କବି କହିବାକୁ ଲାଗିଲେ ।

ଓଡିଶାରେ କଳାକାରମାନଙ୍କ ପାଇଁ ଆବଶ୍ୟକ ସମର୍ଥନ ଏବଂ ସମ୍ମାନର ଅଭାବପଣରେ ଆପଣ କେବେ ହତାଶ ଅନୁଭବ କରିଛନ୍ତି କି?

ଉ: ବାସ୍ତବରେ ମୁଁ ଜଣେ ଆତ୍ମନିର୍ଭରଶୀଳ ବ୍ୟକ୍ତି । ମୁଁ ମୋର ପସନ୍ଦ ଅନୁଯାୟୀ ଜଣେ କଳାକାର ହେଲି । ଏଥି ପାଇଁ ମତେ କେହି ବାଧ୍ୟ କରି ନ ଥିଲେ । ମୁଁ ଭଲଭାବେ ଜାଣିଥିଲି ଯେ ଏହି ବୃତ୍ତିରେ ଟଙ୍କା ରୋଜଗାର ସେମିତି ହୋଇ ନ ଥାଏ । ମୁଁ ଏହା ମଧ୍ୟ ଜାଣିଥିଲି ଯେ ଆହୁରି ଅନେକ ବିକଳ୍ପ ଅଛି ଯାହା ମୁଁ କରିପାରିବି । ତେବେ ମୁଁ ଅଭିଯୋଗ କାହିଁକି କରିବି? ସମ୍ମାନ ବିଷୟରେ କହିବାକୁ, ମୋତେ ଲୋକମାନଙ୍କଠାରୁ ବହୁତ ଭଲ ପାଇବା ଏବଂ ସମ୍ମାନ ମିଳିଛି ।

Leave A Reply

Your email address will not be published.