Latest Odisha News

ସ୍ୱଦେଶ ଫେରିଲେ ବୀର ଅଭିନନ୍ଦନ, ବାୟୁସେନା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସ୍ୱଦେଶକୁ ଫେରିଲେ ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ । ଅଭିନନ୍ଦନ ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ରହିବା ପରେ ଆଜି ପାକିସ୍ତାନ-ଭାରତ ସୀମା ଅଟ୍ଟାରୀସ୍ଥ ୱାଘା ବୋର୍ଡ଼ର୍ ଚେକ୍ ପୋଷ୍ଟରେ ପହଞ୍ଚିଛନ୍ତି । ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଅପରାହ୍ନରେ ଅଭିନନ୍ଦନଙ୍କୁ ଛାଡ଼ିବାର କଥା ଥିଲା, ମାତ୍ର ରାତି ୯ଟା ୩୦ ସମୟରେ ଭାରତୀୟ ସୀମାରେ ମୁକ୍ତ କରାଯାଇଛି । ଯାହାବି ହେଉ ଅଭିନନ୍ଦନଙ୍କ ମୁକ୍ତି ହେବା ଖବର କୋଟି କୋଟି ଭାରତୀୟଙ୍କ ମନରେ ଖୁସି ଆଣିଦେଇଛି । ସେଠାରେ ପାକିସ୍ତାନ ସେନା କର୍ତ୍ତୃପକ୍ଷ ଭାରତୀୟ ପ୍ରତିରକ୍ଷା ପଦାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ।

ଅଭିନନ୍ଦନଙ୍କ କାଗଜପତ୍ର ତନଖି ହେବାକୁ ପାକିସ୍ତାନ କର୍ତ୍ତୃପକ୍ଷ ଅଧିକ ସମୟ ନେଇଥିଲେ ଏବଂ ଏଥିଲାଗି ଅଧିକ ବିଳମ୍ବ ହୋଇଥିବା ସୂଚନା ମିଳିଛି । ତେବେ ଅଭିନନ୍ଦନ ମୁକ୍ତ ହେବା ପରେ ତାଙ୍କୁ ବାୟୁସେନା ପକ୍ଷରୁ ଡ଼ାକ୍ତରୀ ଯାଞ୍ଚ କରିବାକୁ ନିଆଯାଇଛି ।

ଭାରତୀୟ ସମୟ ସନ୍ଧ୍ୟା ୫ଟା ୨୦ ମିନିଟରେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଭାରତକୁ ହସ୍ତାନ୍ତର କରିଛନ୍ତି । ଭାରତ ଓ ପାକିସ୍ତାନ ଉଭୟ ଦେଶର ବୈଦେଶିକ ବିଭାଗ ପକ୍ଷରୁ ତାଙ୍କୁ ନେଇ ବିଭିନ୍ନ କାଗଜପତ୍ର ହସ୍ତାନ୍ତର ପରେ ଅଭିନନ୍ଦନଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରି ମୁକ୍ତ କରିଛନ୍ତି । ଅଭିନନ୍ଦନ ୱାଘାରେ ଭାରତୀୟ ସୀମାରେ ପହଞ୍ଚିଲା ପରେ ଭାରତୀୟ ବାୟୁସେନା ଏୟାର ଭାଏସ ମାର୍ଶାଲ ଆର ଜେ କପୁରଙ୍କ ସମେତ ବହୁ ବିଶିଷ୍ଟ ପ୍ରତିରକ୍ଷା ପଦାଧିକାରୀମାନେ ପାଛୋଟି ନେଇଛନ୍ତି । ୱାଘାଠାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ଲାଗି ହଜାର ହଜାର ଭାରତୀୟ ଶୁଭେଚ୍ଛୁମାନେ ତାଙ୍କୁ ଫୁଲ ହାର ଦେବା ସହିତ ବୀର ଅଭିନନ୍ଦନଙ୍କୁ ବଧାଇ ଜଣାଇବାକୁ ଅପେକ୍ଷା କରିଥିଲେ ମଧ୍ୟ ବିଳମ୍ବ ହେବାରୁ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଭାରତୀୟ ।

ଏଠାରେ ସୂଚନାଯୋଗ୍ୟ, ପାକିସ୍ତାନ ପ୍ରରୋଚିତ ଜୈଶ-ଇ-ମହମ୍ମଦ ଆତ୍ମଘାତୀ ଆତଙ୍କବାଦୀଙ୍କ ଦ୍ୱାରା ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ଭାରତୀୟ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନ ସୀମା ବାଲାକୋଟରେ ବାୟୁସେନା ଦ୍ୱାରା ଆକ୍ରମଣ କରି ୩୫୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କରିଥିଲା ।

ମାତ୍ର ପାକିସ୍ତାନ ଏହାପରେ ଭାରତୀୟ ସେନାଙ୍କ ଶିବିର ଉପରେ ବାୟୁସେନା ଦ୍ୱାରା ଆକ୍ରମଣ କରିବା ଦ୍ୱାରା ଉଭୟ ପକ୍ଷର ଯୁଦ୍ଧବିମାନ ନଷ୍ଟ ହୋଇଥିଲା । ଭାରତୀୟ ଯୁଦ୍ଧ ବିମାନର ପାଇଲଟ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାରାଶୁଟ ମାଧ୍ୟମରେ ଖସି ପଡ଼ିଥିଲେ । ପାକିସ୍ତାନ ସେନା ଧରି ଗିରଫ କରିବା ପରେ ତାଙ୍କୁ ମୁକ୍ତ କରିବା ଲାଗି ସମଗ୍ର ବିଶ୍ୱ ସମୁଦାୟରୁ ପାକିସ୍ତାନ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା । ଏପରିକି ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନୀ ଗଣମାଧ୍ୟମ ତାଙ୍କର ବୀରତ୍ୱ ଓ ଦେଶପ୍ରେମକୁ ଭୁରି ଭୁରି ପ୍ରଶଂସା କରିବାକୁ ପଛାଇନଥିଲେ ।

ଆଜି ଅଭିନନ୍ଦନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଏହା ଭାରତର ଏକ ବିରାଟ କୁଟନୈତିକ ବିଜୟ ବୋଲି କୁହାଯାଉଛି । ଭାରତୀୟ ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପରୋକ୍ଷ ଭାବେ ଚାପ ସୃଷ୍ଟି କରାଯାଇଥିଲ । ଆଜି ଅଭିନନ୍ଦନ ଫେରିଥିଲେ ମଧ୍ୟ ଆତଙ୍କବାଦ ବିରୋଧର ଭାରତ ତା’ର ଆଭିମୁଖ୍ୟ ବଳବତ୍ତର ରଖିଛି ।

ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବାକୁ ଭାରତ ବଦ୍ଧପରିକର ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆତଙ୍କବାଦକୁ ବନ୍ଦ କରିବାକୁ ଭାରତ ଯେକୌଣସି ପଦକ୍ଷେପ ନେଇପାରେ ବୋଲି ଭାରତର ନୀତିକୁ ଆମେରିକା, ଇସ୍ରାଏଲ, ଫ୍ରାନ୍ସ, ଜାପାନ, ବ୍ରିଟେନ ସମର୍ଥନ କରିଛନ୍ତି । ଏପରିକି ଚୀନ ମଧ୍ୟ ପାକିସ୍ତାନର ଆତଙ୍କବାଦୀଙ୍କୁ କରୁଥିବା ତୁଷ୍ଟିକରଣକୁ ନିନ୍ଦା କରାଯାଇଛି । ଏନେଇ ଚୀନ ପାକିସ୍ତାନକୁ ଭତ୍ସନା କରିବାକୁ ପଛାଇନାହିଁ ।

Leave A Reply

Your email address will not be published.