Latest Odisha News

BREAKING NEWS

Sri Jagannath land: ମନ୍ତ୍ରୀଙ୍କ ନାଁରେ ଅଛି କି ମହାପ୍ରଭୁଙ୍କ ଜମି? ଉଠିଲା ପ୍ରଶ୍ନ, କଡା ଜବାବ ରଖିଲେ ଆଇନମନ୍ତ୍ରୀ…

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଶ୍ରୀଜଗନ୍ନାଥ ମନ୍ଦିରର ଜମି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କିମ୍ବା ତାଙ୍କ ପରିବାରର ନାଁରେ ରହିଛି କି ନାହିଁ? ଏହି ପ୍ରଶ୍ନକୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହି ପ୍ରସଙ୍ଗ ଉଠାଇ ଆଇନମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ଆହ୍ୱାନ ଦେଇଥିଲେ । ମନ୍ତ୍ରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାଁରେ ମହାପ୍ରଭୁଙ୍କ ଜମି ପଞ୍ଜୀକୃତ ଅଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ କାନୁନଗୋ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଏବେ କଡା ଜବାବ ରଖିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏହାର ଜବାବରେ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ତାଙ୍କ ନାଁରେ କିମ୍ବା ତାଙ୍କ ପରିବାରର ନାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଏକ ଇଞ୍ଚ ମଧ୍ୟ ନାହିଁ। ଯଦି କେହି ଏହାର ପ୍ରମାଣ ଦେଇପାରିବେ ଯେ ତାଙ୍କ ନାଁରେ ମହାପ୍ରଭୁଙ୍କ ଜମି ରହିଛି, ତେବେ ସେ ରାଜନୀତି ଛାଡ଼ିଦେବେ ବୋଲି ଦୃଢୋକ୍ତି ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ଓ ରାଜ୍ୟ ସରକାର ମହାପ୍ରଭୁଙ୍କ ସେବା ଓ ଶ୍ରୀମନ୍ଦିରର ବିକାଶ ପାଇଁ କାମ କରୁଛନ୍ତି। ପୁରୀ ଶ୍ରୀମନ୍ଦିରକୁ ଦେଶର ପ୍ରମୁଖ ତୀର୍ଥକ୍ଷେତ୍ର ଭାବେ ବିକଶିତ କରିବା ଦିଗରେ ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି। ଏହାସହ କିଛି ଲୋକ ସରକାରଙ୍କ ପଦକ୍ଷେପକୁ ନେଇ ଜାଣିଶୁଣି ଭୁଲ ତଥ୍ୟ ପ୍ରଚାର କରୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ତେବେ କେବଳ ଜମି ପ୍ରସଙ୍ଗ ନୁହେଁ, ତାଙ୍କ ବିରୋଧରେ ଯଦି କୌଣସି ଦୁର୍ନୀତି ଅଭିଯୋଗ ରହିଛି, ତାହାର ମଧ୍ୟ ପ୍ରମାଣ ଦେବାକୁ ମନ୍ତ୍ରୀ ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ସେ ପରିଣାମ ଭୋଗିବାକୁ ପ୍ରସ୍ତୁତ ବୋଲି କହିଥିବା ବେଳେ, ମିଥ୍ୟା ଅଭିଯୋଗ ଓ ଭୁଲ ତଥ୍ୟ ପ୍ରଚାର ଜାରି ରହିଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ।

ତେବେ କହିରଖୁଛୁ, ଶ୍ରୀଜଗନ୍ନାଥଙ୍କ ଜମିର ପରିଚାଳନା ଓ ସୁରକ୍ଷାକୁ ନେଇ ସରକାର ପଦକ୍ଷେପ ନେଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାର ୨୪ଟି ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ନାଁରେ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଛି। ଏହା ବ୍ୟତୀତ ଅନ୍ୟ ୬ଟି ରାଜ୍ୟରେ ମଧ୍ୟ ୩୯୫.୨୫୨ ଏକର ଜମି ଥିବା ତଥ୍ୟ ସାମ୍ନାକୁ ଆସିଛି। ଏମିତିକି ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମହାପ୍ରଭୁଙ୍କ ଜମି ଥିବା ସୂଚନା ମିଳିଛି । ଜମି ଚିହ୍ନଟ, ଯାଞ୍ଚ, ସୁରକ୍ଷା ଓ ବିବାଦର ସମାଧାନ ପାଇଁ ନୂଆ ନିୟମ ମଧ୍ୟ ଅଣାଯାଇଛି। କିପରି ମହାପ୍ରଭୁଙ୍କ ଜମି ତାଙ୍କ ମାଲିକାନାକୁ ଫେରିବ ସେନେଇ ଦୃଢ ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।

ଏହି ସମୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ନାଁରେ ମହାପ୍ରଭୁଙ୍କ ଜମି ଥିବା ନେଇ ଉଠିଥିବା ପ୍ରଶ୍ନରେ ତାଙ୍କର ଏହି ଦୃଢ଼ ଜବାବ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

Leave A Reply

Your email address will not be published.