Latest Odisha News

BREAKING NEWS

IIT ଭୁବନେଶ୍ୱରର ଗବେଷଣା: ଓଡ଼ିଶାରେ ତୀବ୍ର ହେଉଛି ପୃଷ୍ଠ ଉତ୍ତାପ, ଜଳବାୟୁ ପଦକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର: ଚିନ୍ତା ବଢାଇଛି ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ଦ୍ରୁତ ସହରୀକରଣ ଏବଂ ଭୂମି ଅବକ୍ଷୟ ଯୋଗୁଁ ସମଗ୍ର ରାଜ୍ୟରେ ପୃଷ୍ଠ ଉତ୍ତାପ ତୀବ୍ର ଗତିରେ ବୃଦ୍ଧି ପାଉଛି। ଅଣାୟତ୍ତ ହେବାରେ ଲାଗିଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ପୃଥିବୀ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ସ୍କୁଲର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ସମଗ୍ର ଓଡ଼ିଶାରେ ଭୂମିପୃଷ୍ଠ ତାପଜ ହଟସ୍ପଟ୍‌ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯାହା ରାଜ୍ୟର ଜଳବାୟୁ ଉପରେ ଦ୍ରୁତ ସହରୀକରଣ ଏବଂ ଭୂମି-ବ୍ୟବହାର ପରିବର୍ତ୍ତନର ବଢ଼ୁଥିବା ପ୍ରଭାବକୁ ଉଲ୍ଲେଖ କରିଛି। ଏହି ଗବେଷଣା ରୟାଲ ସୋସାଇଟି ଅଫ୍ କେମେଷ୍ଟ୍ରିର ଏକ ପ୍ରତିଷ୍ଠିତ ଜର୍ଣ୍ଣାଲ, ଏନଭାରମେଣ୍ଟାଲ୍ ସାଇନ୍ସ: ଆଡ଼ଭାନ୍ସେସରେ ପ୍ରକାଶିତ ହୋଇଛି।

ସୁଶ୍ରୀ ଦୀକ୍ଷୀକା ମହାପାତ୍ର ଏବଂ ଡକ୍ଟର ଦେବଦତ୍ତ ସ୍ୱାଇଁଙ୍କ ନେତୃତ୍ୱରେ କରାଯାଇଥିବା ଏହି ଗବେଷଣାରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ କିପରି ତାପଜ ହଟସ୍ପଟ୍ ବିକଶିତ ହୋଇଛି, ତାହା ଅନୁଧ୍ୟାନ କରିବା ପାଇଁ ଦୀର୍ଘ ୨୦ ବର୍ଷର ସାଟେଲାଇଟ୍ ତଥ୍ୟର ବିଶ୍ଳେଷଣ କରାଯାଇଛି। ଅଧ୍ୟୟନର ନିଷ୍କର୍ଷରୁ ଜଣାପଡ଼ିଛି ଯେ ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ ଏବଂ ଶିଳ୍ପାଞ୍ଚଳ, ବିଶେଷକରି ଖୋର୍ଦ୍ଧା, ଗଞ୍ଜାମ, କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପୃଷ୍ଠ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ଅନେକ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପଜ ହଟସ୍ପଟ୍ କଭରେଜ୍ ବାର୍ଷିକ ୨ ପ୍ରତିଶତରୁ ୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ରେକର୍ଡ କରାଯାଇଛି।

ତେବେ ଏହି ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ, ବୃଦ୍ଧି ପାଉଥିବା ଏହି ଉତ୍ତାପ ଆଉ କେବଳ ସହରଗୁଡ଼ିକ ମଧ୍ୟରେ ସୀମିତ ହୋଇ ରହିନାହିଁ। ଓଡ଼ିଶାର ଆଭ୍ୟନ୍ତରୀଣ ଏବଂ ପାହାଡ଼ିଆ ଅଞ୍ଚଳ ଯେପରିକି ବଲାଙ୍ଗୀର, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲା ମଧ୍ୟ ଏବେ କ୍ରମାଗତ ଉତ୍ତାପର ଚାପ ଅନୁଭବ କରୁଛନ୍ତି। ଏହି ଅଞ୍ଚଳଗୁଡ଼ିକରେ ଉଦ୍ଭିଦ ହ୍ରାସ, ବ୍ୟାପକ ଜଙ୍ଗଲ କ୍ଷୟ ଏବଂ ଜମି କ୍ରମାଗତ ଭାବେ ଅନୁର୍ବର ହେବା ଯୋଗୁଁ ତାପଜ ହଟସ୍ପଟ୍ ସୃଷ୍ଟି ହେଉଛି।

Figure: ଓଡ଼ିଶାରେ ସ୍ଥାୟୀ ତାପଜ ହଟସ୍ପଟ୍ (ଲାଲ ରଙ୍ଗରେ) ର ଭୌଗୋଳିକ ବିଭାଜନ। ଏହି ଚିତ୍ରଟି ଦୃଶ୍ୟମାନ କରେ ଯେ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ, କେନ୍ଦ୍ରୀୟ ନଦୀ ଅବବାହିକା, ପୂର୍ବ ପାହାଡ଼ ଏବଂ ଉତ୍ତର ମାଳଭୂମି ଅଞ୍ଚଳର ଜିଲ୍ଲାଗୁଡ଼ିକରେ ବିସ୍ତୃତ ବିବିଧ ଭୂମିପୃଷ୍ଠ ବର୍ତ୍ତମାନ କିପରି ଗୁରୁତର ଏବଂ ସ୍ଥାୟୀ ଭୂମିପୃଷ୍ଠ ଉତ୍ତାପ ଅନୁଭବ କରୁଛି।

ଗବେଷକମାନଙ୍କ କହିବା ଅନୁଯାୟୀ, ଏପରି ଥର୍ମାଲ୍ ହଟସ୍ପଟ୍‌ରେ ଦୀର୍ଘ ସମୟ ଧରି ରହିବା ଦ୍ୱାରା ଜନସ୍ୱାସ୍ଥ୍ୟ ବିପନ୍ନ ହେବା ସହ ବିଦ୍ୟୁତ ଶକ୍ତିର ଚାହିଦା ବୃଦ୍ଧି ପାଇବ ଏବଂ ପରିବେଶଗତ ସ୍ଥାୟୀତ୍ୱ ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବ। ଏହି ଅଧ୍ୟୟନଟି ଦର୍ଶାଉଛି ଯେ କିପରି ଉପଗ୍ରହ-ଆଧାରିତ ନିରୀକ୍ଷଣ ମାଧ୍ୟମରେ ଦୁର୍ବଳ ଓ ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇପାରିବ ଏବଂ ଜଳବାୟୁ ସ୍ଥିରତା ପାଇଁ ପ୍ରମାଣ-ଆଧାରିତ ଯୋଜନା ପ୍ରସ୍ତୁତ କରାଯାଇପାରିବ।

ଏହି ବଡ଼ ଜଳବାୟୁ ଆହ୍ୱାନର ମୁକାବିଲା ପାଇଁ ଗବେଷଣା ପତ୍ରରେ କେତେକ ଅଞ୍ଚଳ-ନିର୍ଦ୍ଦିଷ୍ଟ ସମାଧାନର ସୁପାରିଶ କରାଯାଇଛି। ସେଗୁଡ଼ିକ ମଧ୍ୟରେ ସହରାଞ୍ଚଳରେ ସବୁଜ ସ୍ଥାନ ବା ଗ୍ରୀନ୍ ସ୍ପେସ୍‌ର ବିସ୍ତାର, ତାପ-ପ୍ରତିରୋଧୀ ଭିତ୍ତିଭୂମିର ବିକାଶ, ମାଙ୍ଗ୍ରୋଭ୍ ଏବଂ ନଦୀକୂଳ ଉଦ୍ଭିଦର ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ। ଏହାସହିତ ଆଗାମୀ ଦିନରେ ସହରାଞ୍ଚଳ ଯୋଜନା ଏବଂ ପରିବେଶ ପରିଚାଳନାରେ ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ତଥ୍ୟକୁ ଏକୀକୃତ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକାଶନଟି ଆଇଆଇଟି ଭୁବନେଶ୍ୱରର ପରିବେଶଗତ ସମସ୍ୟାର ସମାଧାନ କରିବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ଥାୟୀ ବିକାଶ ଦିଗରେ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Leave A Reply

Your email address will not be published.