Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗିରଫ ପରେ ଜାମିନରେ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଛନ୍ତି ଗିରଫଦାରୀ ପରେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଇନାହିଁ କି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନି । ନିୟମ ଅନୁସାରେ, ପ୍ରଶାସନ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଡାକିବା କଥା କିନ୍ତୁ ଡାକୁ ନାହାନ୍ତି ।

ଗୁରୁବାର ଗଞ୍ଜାମ ସିନ୍ଧି ଗାଁ ଟାଟା କଲୋନୀ ପରିସରରେ ଅନୁଷ୍ଠିତ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ମୁଁ ଏବେବି ବିଜେଡିରେ ଅଛି । ଯଦି ଦଳରୁ ମୋତେ ବହିଷ୍କାର କରାଯାଇଥାନ୍ତା ତ  ନବୀନ ବିଧାନସଭାକୁ ଲିଖିତ ଭାବେ ଜଣାଇଥାନ୍ତେ । ଯେହେତୁ ବିଧାନସଭା ୱେବସାଇଟରେ ମୋ ନାଁ ଅଛି, ଆଇନଗତ ଭାବେ ମୁଁ ଦଳରେ ଅଛି । ପ୍ରଦୀପ ପାଣିଗ୍ରାହୀ ବିଜେଡିରେ ଥିବା ଦାବି କରୁଥିବା ବେଳେ ଏନେଇ ଦଳୀୟ ନେତୃତ୍ୱଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନା ଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଓଡ଼ିଶା ଭିଜିଲାନ୍ସ ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା । ଟାଟା କମ୍ପାନୀରେ ନିଯୁକ୍ତି ପାଇଁ କେତେକ ଯୁବକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲା । ଏହି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ ।

ବିଜେଡି ମଧ୍ୟ ପ୍ରଦୀପଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଗିରଫ ପରେ ବିଭିନ୍ନ ମାମଲାରେ ଛନ୍ଦି ହୋଇଯାଇଥିଲେ ପ୍ରଦୀପ । ଏପରିକି ଜାମିନରେ ଜେଲରୁ ମୁକୁଳିବା ପରେ ମଧ୍ୟ ସକ୍ରିୟ ରାଜନୀତିରୁ ଦୂରରେ ରହୁଥିଲେ । ଏବେ ହଠାତ୍ ପ୍ରଦୀପ ପାଣିଗ୍ରାହୀ ପୁଣି ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବା ପରେ ଗଞ୍ଜାମ ଜିଲ୍ଲାରେ ନାନା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.