Latest Odisha News

BREAKING NEWS

ଓଡ଼ିଶାର ଶୀତ ଲହରୀ ସମ୍ପର୍କରେ ପାଣିପାଗ ବିଭାଗ ଜାରି କଲେ ସତର୍କ ସୂଚନା

ଭୁବନେଶ୍ୱର: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ ବୃଦ୍ଧି ପାଇ ଚାଲିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରିରହିବ ବୋଲି ବୁଧବାର ଦିନ ସତର୍କ ସୂଚନା ଜାରି କରିଛନ୍ତି ।

ଶୀତ ଲହରୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବୈଜ୍ଞାନିକ ସୁଦର୍ଶନ ମିଶ୍ର କହିଛନ୍ତି, ହିମାଳୟ ପାର୍ବତ୍ୟାଞ୍ଚଳର ପୂର୍ବ ଭାଗରେ ଅନୁଭୁତ ହେଉଥିବା ଶୀତୋଷ୍ମ ପବନ ଯୋଗୁଁ ଓଡ଼ିଶାରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇ ଚାଲିଛି । ଏହାଫଳରେ, ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠୁଁ କମ୍ ରହିଥିବା ଜଣାପଡ଼ିଛି ।

ରାଜ୍ୟର ଭୁବନେଶ୍ୱର, ଅନୁଗୁଳ ଏବଂ ଟିଟିଲାଗଡ଼ରେ ଶୀର ପ୍ରକୋପ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା ରହିଛି ।

“ରାଜ୍ୟର ପାଣିପାଗ ସ୍ଥିତିକୁ ଲକ୍ଷ୍ୟ ରଖି ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାରେ ଶୀତ ଲହରୀ ଲାଗି ସତର୍କ ସୂଚନା ଜାରି କରିଛୁ । ଅବଶ୍ୟ ଏହି ଶୀତର ପ୍ରକୋପ ଆସନ୍ତା ଜାନୁଆରୀ ୫ ପରେ କ୍ରମେ ହ୍ରାସ ପାଇବାକୁ ଲାଗିବ । ତେବେ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ସାମାନ୍ୟ ତଳେ ରହିବା ସମ୍ଭାବନା ରହିଛି,” ବୋଲି କହିଛନ୍ତି ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁଦର୍ଶନ ମିଶ୍ର ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ବୁଧବାର ଦିନ ପ୍ରଦତ୍ତ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପାରଦ ସର୍ବନିମ୍ନ ୪ ଡ଼ିଗ୍ରୀ ରହିଥିବା ବେଳେ ଫୁଳବାଣୀରେ ସର୍ବନିମ୍ନ ୪.୫ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.