Latest Odisha News

BREAKING NEWS

ବାତ୍ୟା ‘ତିତଲି’ର ପ୍ରଭାବ: ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶର ପଲାସା ଓ ଗୋପାଳପୁର ମଧ୍ୟବର୍ତ୍ତୀ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ତିତିଲି ଓଡ଼ିଶା ଉପକୂଳ ଦେଇ ଘଣ୍ଟାପ୍ରତି ୧୦୦ରୁ ୧୨୦କିମି ବେଗରେ ଗତି କରୁଥିବାର ସୂଚନା ମିଳିଛି । ଏହା କ୍ରମେ ଦୁର୍ବଳ ହୋଇ ଉତ୍ତର-ପଶ୍ଚିମ ଦିଗ ମୁହାଁ ହୋଇ ପଶ୍ଚିମବଙ୍ଗ ଗାଙ୍ଗେୟ ଅତିକ୍ରମ କରିବ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସୂଚନାନୁଯାୟୀ, ବାତ୍ୟା ତିତଲି ସ୍ଥଳପଥ ଛୁଇଁଲାମାତ୍ରେ ଏହା କ୍ରମେ ଦୁର୍ବଳ ହୋଇ ଉତ୍ତର-ପଶ୍ଚିମ ଦିଗ ମୁହାଁ ହୋଇ ପଶ୍ଚିମବଙ୍ଗ ଗାଙ୍ଗେୟ ଅତିକ୍ରମ କରିବ କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳବର୍ତ୍ତୀ ଜିଲ୍ଲାର ଅଧିକାଂଶ ସ୍ଥାନମାନଙ୍କରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ବାତ୍ୟା ତିତଲି ଯୋଗୁଁ ଯେଉଁ ଜିଲ୍ଲା ଗୁଡ଼ିକରେ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି, ସେହି ଜିଲ୍ଲା ଗୁଡ଼ିକ ହେଲା – ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ।

ତେବେ ଆଗାମୀ ୪୮ ଘଣ୍ଟା ଧରି ଏହିସବୁ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଇଏମଡ଼ି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କେତେକ ପ୍ରମୁଖ ନଦୀ ଯଥା – ଋଷିକୂଲ୍ୟା, ମହାନଦୀ, ବଂଶଧାରା, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଥିବାର ସୂଚନା ମିଳିଛି ।

ଇତିମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବୃଷ୍ଟିପାତ ରେକର୍ଡ଼ କରାଯାଇଛି । ବାଲେଶ୍ୱରରେ ସକାଳ ୫.୩୦ ସୁଦ୍ଧା ୧୧୨ ମିଲିମିଟର ଓ ପାରାଦୀପରେ ୧୧୧ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି ।

ବିଶେଷସୂତ୍ରରୁ ଜଣାପଡ଼ିଛି, ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ଅରଖକୁଦା ଗ୍ରାମପଞ୍ଚାୟତର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି । ଗୁରୁବାର ସକାଳେ ଏହି ଗ୍ରାମ ନିକଟବର୍ତ୍ତୀ ସ୍ଥାନେରେ ଚିଲିକା ହ୍ରଦରେ ଏକ ନୂଆ ମୁହାଣ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏହି ନୂଆ ମୁହାଣଟି ସୃଷ୍ଟି ହେବା ଫଳରେ ଚିଲିକା ତଟର ପ୍ରାୟ ୧୧୫ଟି ଗ୍ରାମ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.