Latest Odisha News

ବାତ୍ୟା ତିତିଲି: ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ – ଏସଆରସି

ଭୁବନେଶ୍ୱର: ବାତ୍ୟା ତିତିଲି ଦକ୍ଷିଣ-ପଶ୍ଚିମ ଗୋପାଳପୁର ଓ ପଲାସା ମଧ୍ୟବର୍ତ୍ତୀ ସ୍ଥଳଭାଗ ଦେଇ ସକାଳ ୪:୩୦ରୁ ୫:୩୦ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଗୋପାଳପୁରଠାରେ ୧୪୦ରୁ ୧୫୦ କିମି ରହିଥିବାର ସୂଚନା ପାଣିପାଗ ବିଭାଗ ସୂତ୍ରରୁ ମିଳିପାରିଛି ।

ବାତ୍ୟା ତିତିଲି ପ୍ରଭାବରେ ଗଜପତି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପବନର ପ୍ରକୋପ ଅଧିକ ନଥିଲେ ମଧ୍ୟ ଏହା ଫଳରେ ୧୧ ତାରିଖରେ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ବୃଷ୍ଟିପାତ ଜାରି ରହିବ । ଅତିକ୍ରମ କରିବାର ୩ ଘଣ୍ଟା ମଧ୍ୟରେ କ୍ରମେ ଏହାର ପ୍ରଭାବ ଦୁର୍ବଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି ।

ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, “ ବାତ୍ୟା ତିତଲି ଯୋଗୁଁ ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି, ତେବେ ଗଞ୍ଜାମ ଜିଲ୍ଲାରେ ବିଶେଷ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ, ” ।

“ଗଞ୍ଜାମ ଜିଲ୍ଲାରେ ଅଳ୍ପକିଛି କ୍ଷୟକ୍ଷତି ହୋଇଥିବାର ଖବର ମିଳିଥିଲେ ମଧ୍ୟ ସେମିତି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ବାତ୍ୟାର ପ୍ରକୋପ ଯୋଗୁଁ ପ୍ରାଣହାନୀ ଘଟିଥିବାର ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ । ଏବେ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ଗୋପାଳପୁରଠାରେ ବାତ୍ୟାର ପ୍ରଭାବ ସବୁଠୁ ଅଧିକ ରହିଥିବାର ସୂଚନା ମିଳିଛି,” ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

ସେହିପରି ଆହୁରିମଧ୍ୟ ସେ କହିଛନ୍ତି, ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବା ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି । ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳଙ୍କ ସୂଚନାନୁଯାୟୀ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଜିଲ୍ଲାର ମୋହନା ଓ ଗୋଷାଣୀ ରାସ୍ତାରେ ବଡ଼ ବଡ଼ ଗଛମାନ ରାସ୍ତାରେ ଭାଙ୍ଗିପଡ଼ିଥିବା ଯୋଗୁଁ ରାସ୍ତା ଅବରୋଧ ହୋଇ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି ।

“ଆମେ ଏପର୍ଯ୍ୟନ୍ତ ୩ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରିସାରିଛୁ । ସେମାନଙ୍କ ମଧ୍ୟରେ ଗଞ୍ଜାମର ୧୦୫ ଜଣ ଏବଂ ଜଗତସିଂହପୁରର ୧୮ଜଣ ଗର୍ଭବତୀ ମହିଳା ରହିଛନ୍ତି । ରାଜ୍ୟର ୧୧୧୨ଟି ବାତ୍ୟା ନିରାପଦ ସ୍ଥଳୀରେ ସେମାନଙ୍କୁ ଗତକାଲିଠାରୁ ଥଇଥାନ କରାଯାଇଛି । ”

ବାତ୍ୟା ତିତଲିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ଟୋଲ ଫ୍ରି ଫୋନ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି । ସେଥିଲାଗି କଣ୍ଟ୍ରୋଲରୁମ ହେଲ୍ପଲାଇନ ନଂ – ୧୦୭୦ ରହିଥିବା ବେଳେ ଜିଲ୍ଲା କଣ୍ଟ୍ରୋଲରୁମ ନମ୍ବର ୧୦୭୭ ରେ ଜନସାଧାରଣ ଯୋଗାଯୋଗ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.