Latest Odisha News

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ ।

BjdElectrycity

ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ରେ ନିୟୋଜିତ ହେବାକୁ ଥିବା ଏହି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ନିର୍ବାଚନ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକମାନେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ନିର୍ବାଚନ ପର୍ଯ୍ୟବେକ୍ଷକମାନେ ମତଦାନ ପ୍ରକ୍ରିୟାବେଳେ ତୃଣାମୂଳ ସ୍ତରରେ କେଉଁ ସବୁ ଆହ୍ୱାନର ସାମ୍ନା କରିବାକୁ ପଡିବ ଓ ନିୟମ ଅନୁଯାୟୀ ସେମାନେ କିଭଳି ଭାବରେ ସେହି ସମସ୍ତ ବିଷୟକୁ କମିଶନଙ୍କ ଧ୍ୟାନକୁ ଆଣିବେ ସେ ସମ୍ପର୍କରେ ସବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ବୈଠକର ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପର୍ଯ୍ୟବେକ୍ଷକମାନଙ୍କୁ ସମ୍ବୋଧନ କରିଥିଲେ । ମୁକ୍ତ, ଅବାଧ, ନିରପେକ୍ଷ ଓ ସମ୍ପୂର୍ଣ୍ଣ ଭାବରେ ତ୍ରୁଟିଶୂନ୍ୟ ନିର୍ବାଚନ ସମ୍ପର୍କରେ ଆଲୋଚନା କରି ଏହି ପ୍ରକ୍ରିୟାରେ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ଭୂମିକା ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର ସୂଚିତ କରିଥିଲେ । ଇଭିଏମ୍‌, ଭିଭିପ୍ୟାଟ୍‌, ବୁଥ ପରିଚାଳନା, ପୋଷ୍ଟାଲ ବାଲାଟ, ଶାନ୍ତି ଶୃଙ୍ଖଳା ଓ ସମସ୍ତ ଦଳଙ୍କୁ ସମାନ ସୁଯୋଗ ଉପରେ ଗୁରୁତ୍ୱଦେଇ ପର୍ଯ୍ୟବେକ୍ଷକମାନେ କିଭଳି କାର୍ଯ୍ୟ କରିବେ ସେ ବିଷୟରେ ସମସ୍ତ ଆଲୋଚନା ହୋଇଥିଲା । ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଓ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ଏହି ଗଣତନ୍ତ୍ରର ଶକ୍ତି ।

ଏହି ନିର୍ବାଚନ ପ୍ରକ୍ରିୟା ଉପରେ ସମସ୍ତ ବିଶ୍ୱବାସୀଙ୍କ ନଜର ରହିଛି । ଏଭଳି ଭାବନକୁ ଧାରଣ କରି ନିଜ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମ୍ପନ୍ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ପ୍ରେରିତ କରିଥିଲେ । ଆଭାସୀ ମାଧ୍ୟମରେ ଭୁବନେଶ୍ୱରରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ, ଶତ୍ରୁଘ୍ନ କର, ମିହିର ମହାନ୍ତି ଓ ବିଭିନ୍ନ ନିର୍ବାଚନ ପର୍ଯ୍ୟବେକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.