Latest Odisha News

ଛତିଶଗଡ଼ରେ ହାତ ମୋଡ଼ିଦେବ ଝାଡୁ !

ଭୁବନେଶ୍ୱର: ବଦଳୁଛି କଂଗ୍ରେସର ନିର୍ବାଚନ ଲଢ଼ିବା ଷ୍ଟାଇଲ। ପାରମ୍ପରିକ ଢାଞ୍ଚା ଛାଡି ଅତ୍ୟାଧୁନିକ ଶୈଳୀ ଆପଣାଉଛି ଦଳ। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଗକୁ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳ ନିଜର ସର୍ଭେ କରିବା ସହ ଏହି ଆଧାରରେ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି।

BjdElectrycity

କିଛି ଦିନ ତଳେ ରାଜସ୍ଥାନରେ ଦଳ ସର୍ଭେ କରି ଲୋକପ୍ରିୟତା କମିଥିବା ବିଧାୟକ, ମନ୍ତ୍ରୀଙ୍କୁ ଚେତାଇ ଦେଇଥିଲା। ଏବେ ଛତିଶଗଡ଼ରେ ସେଭଳି ଢଙ୍ଗରେ କାମ ଆରମ୍ଭ କରିଛି ଦଳ। ଉଭୟ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଅଛି। ତେଣୁ ରାଜ୍ୟ ଦାୟିତ୍ବରେ ଥିବା ଏଆଇସିସି ନେତାମାନେ ଏ ନେଇ ଦଳୀୟ ବିଧାୟକଙ୍କୁ ଜଣେଇ ଦେଉଛନ୍ତି।

ଛତିଶଗଡ଼ରେ କଂଗ୍ରେସ ଆଉ ଥରେ କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ଏପରିକି ତିନି ଦିନ ତଳେ ବିଜେପି ର ପ୍ରମୁଖ ନେତା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିଛନ୍ତି। ତେଣୁ ଦଳ କୌଣସି କ୍ଷେତ୍ରରେ ରିସ୍କ ନେବାକୁ ଚାହୁଁ ନ ଥିବା କୁହାଯାଉଛି।

ସର୍ଭେ ଅନୁଯାୟୀ ଯେଉଁ ବିଧାୟକ ଲୋକପ୍ରିୟତା ହରାଇଥିବେ ବା ଆଉଥରେ ବିଧାନସଭାକୁ ନିର୍ବାଚିତ ହୋଇପାରିବେନି ତାଙ୍କୁ ଟିକେଟ ମିଳିବନି ବୋଲି ସ୍ପଷ୍ଟ ଭାବେ ଦଳ ପକ୍ଷରୁ ଜଣାଇ ଦିଆଯାଉଛି। ନିଜର ପରଫରମାନ୍ସ,ସଂଗଠନ ସହ ତାଳମେଳ ଆଦି ଠିକ ନ ଥିଲେ ବିଧାୟକଙ୍କୁ ଟିକେଟ ମିଳି ନ ପାରେ ବୋଲି ଆଲୋଚନା ହେଉଛି।

ଏଆଇସିସିର ବରିଷ୍ଠ ନେତା ବିଜୟ ଜାଙ୍ଗିଡ଼ ଛତିଶଗଡ଼ ଗସ୍ତରେ ଯାଇ ଏଭଳି କହିବା ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ଏହାକୁ ନେଇ ଜୋରଦାର ଆଲୋଚନା ହେଉଛି। ସେପଟେ ଏଥର ଛତିଶଗଡ଼ ନିର୍ବାଚନରେ ଆମ ଆଦମୀ ପାର୍ଟିର ଜୋରଦାର ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ଭାବେ ମାନ୍ୟତା ପାଇବା ପରଠୁ ସେଠି କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହେଉଛି।

ଏଥର ଆପ କିନ୍ତୁ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବାରେ ଲାଗିଛି। ଏପରିକି କିଛି ଦିନ ତଳେ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଛତିଶଗଡ଼ ଗସ୍ତ କରିଛନ୍ତି। ଦଳ ପକ୍ଷରୁ ରାଜ୍ୟରେ ୯୦୦ ରୁ ଅଧିକ କାର୍ଯ୍ୟକର୍ତାଙ୍କୁ ନୂତନ ଭାବେ ସାମିଲ କରାଯାଇଛି। ଏପରିକି ଦଳ ପକ୍ଷରୁ ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯାଇଛି।

କିନ୍ତୁ ଦଳ ୨୦୧୮ ନିର୍ବାଚନରେ ଏଠାରେ ଲଢ଼ିଥିଲେ ମଧ୍ୟ ଦଳର ଭୋଟ ପ୍ରତିଶତ ଏକ ପ୍ରତିଶତରୁ ବି କମ ରହିଥିଲା। କିନ୍ତୁ ଗୁଜୁରାଟ ନିର୍ବାଚନରେ ଆପ ଯୋଗୁ ବିରୋଧୀ ଭୋଟ ବିଭାଜନ ହେବା ସହ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା ଓ ବିଜେପି ବହୁ ଭଲ ବିଜୟ ପାଇଥିଲା।

ଛତିଶଗଡ଼ରେ ସେମିତି କିଛି ହେବ ନାହିଁ ତ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ପଟେ ସରକାରରେ ଥିବା କଂଗ୍ରେସ କିଛି ବିଧାୟକଙ୍କ ଟିକେଟ କାଟିବା ନେଇ ଯୋଜନା କରୁଥିବା ବେଳେ ଆପର ଏଣ୍ଟ୍ରି ଛତିଶଗଡ଼ ନିର୍ବାଚନକୁ କିଭଳି ରୁପ ଦେବ ତା ଉପରେ ନଜର।

Leave A Reply

Your email address will not be published.