Latest Odisha News

BREAKING NEWS

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି।

ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହେଲାଣି। ବିଜେପିକୁ କର୍ଣ୍ଣାଟକରେ ମୂଳଦୁଆ ପକାଇବାଠୁ ଆରମ୍ଭ କରି ଦୃଢ଼ କରିଥିବା ଜଗଦୀଶ ସେଟ୍ଟାର ଟିକେଟ ନ ପାଇ ଦଳ ଛାଡିଥିଲେ। କଂଗ୍ରେସରେ ସାମିଲ ହୋଇ ଏବେ ସେ ଲଢ଼ୁଛନ୍ତି।

ସେହିଭଳି ମଧ୍ୟପ୍ରଦେଶ ରାଜନୀତିର ପ୍ରମୁଖ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କ ପୁଅ ଦୀପକ ଯୋଶୀ ବିଜେପି ଛାଡିବେ ବୋଲି ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶରେ ଯୋଶୀଙ୍କ ପରିବାର ବିଜେପି ଓ ଆରଏସଏସ ପାଇଁ ଆରମ୍ଭରୁ କାମ କରି ଆସୁଛନ୍ତି। କିନ୍ତୁ ଯେବେଠୁ କଂଗ୍ରେସର ପୂର୍ବତନ ନେତା ତଥା ଏବେର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ସେବେଠୁ ବିବାଦ ଆରମ୍ଭ ହୋଇଛି।

କଂଗ୍ରେସର କମଳନାଥଙ୍କ ସରକାରକୁ ଭାଙ୍ଗି ଜ୍ୟୋତିରାଦିତ୍ୟ ବିଜେପି ସହ ହାତ ମିଳାଇବା ପରେ ତାଙ୍କ ମୁଖ୍ୟ ସମର୍ଥକ ମନୋଜ ଚୌଧୁରୀ ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ମଧ୍ୟପ୍ରଦେଶ ବିଜେପିର ପ୍ରମୁଖ ଚେହେରା ତଥା ଶିବରାଜଙ୍କ ସରକାରରେ ମନ୍ତ୍ରୀ ଭାବେ କାମ କରିଥିବା ଦୀପକ ଟିକେଟ ନ ପାଇବା ନେଇ ଚର୍ଚ୍ଚା ହେଉଛି।

ମଧ୍ୟପ୍ରଦେଶରେ ହାଟପିପଲିୟା ସିଟରୁ ଦୀପକ ଟିକେଟ ଦାବିଦାର ଅଛନ୍ତି। କିନ୍ତୁ ସେଠାରୁ ଦଳ ଦୀପକଙ୍କ ବଦଳରେ ସିନ୍ଧିଆଙ୍କ ସମର୍ଥକ ମନୋଜଙ୍କୁ ଟିକେଟ ଦେବା ନେଇ ଚିନ୍ତା କରୁଥିବା କୁହାଯାଉଛି। ଯାହାକୁ ନେଇ ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ମନୋଜ ସେହି ସିଟରେ କଂଗ୍ରେସ ବିଧାୟକ ଥିଲେ ଓ ଏବେ ବିଜେପି ବିଧାୟକ ଅଛନ୍ତି। ତେଣୁ ଏଥର ମଧ୍ୟ ବିଜେପି ମନୋଜଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଉଥିବା ବେଳେ ଦୀପକ କଂଗ୍ରେସକୁ ଯାଇପାରନ୍ତି। ଠିକ ଯେଭଳି ଢଙ୍ଗରେ କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳ ଛାଡିଥିଲେ ସେମିତି ଦୀପକ ଯୋଶୀ ଆସନ୍ତା ୬ ତାରିଖରେ କଂଗ୍ରେସରେ ମିସିପାରନ୍ତି।

ଦଳରେ ୫୦ ରୁ ୬୦ ବର୍ଷ ଧରି କାମ କରିଥିବା ନେତାଙ୍କୁ ଛାଡି ଦଳ ଅନ୍ୟ ନେତାଙ୍କ ଉପରେ ଭରଷା କରୁଥିବାରୁ ଏହାକୁ ସହ୍ୟ କରାଯିବନି ବୋଲି କହିଛନ୍ତି ଦୀପକ। ବିଜେପିର ପୁରୁଣା ନେତାଙ୍କୁ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ କରିବା ସହ ଦଳ ଉପରେ ବର୍ଷିଛନ୍ତି ଦୀପକ।

ବାଗଲି ବିଧାନସଭା କ୍ଷେତ୍ରରେ ଦୀପକ ଯୋଶୀଙ୍କ ବାପା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଚନ୍ଦ୍ର ଯୋଶୀ ୧୯୬୨ ରେ ଭାରତୀୟ ଜନସଂଘର ବିଧାୟକ ଭାବେ ନିର୍ବାଚିତ ହେବା ପରେ ୧୯୬୭ ରୁ ୧୯୭୨ ଯାଏ ବିଧାୟକ ରହିଲେ। ତା ପରେ ୧୯୮୦ ରୁ ୧୯୯୩ ପର୍ଯ୍ୟନ୍ତ ଲଗାତର ବିଜେପିରୁ ବିଧାୟକ ଭାବେ ଜିତିଥିଲେ। ତା ପରେ ତାଙ୍କ ପୁଅ ଦୀପକ ଯୋଶୀ ନିର୍ବାଚନ ଜିତୁଥିଲେ। କିନ୍ତୁ ୨୦୧୮ ରେ ସେ ନିର୍ବାଚନ ହାରିଥିଲେ।

ଏବେ ମଧ୍ୟପ୍ରଦେଶ ରାଜନୀତିରେ ଚିତ୍ର ବଦଳୁଛି। ଯେଉଁ ନେତାମାନେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବିଜେପିକୁ ଯାଇଛନ୍ତି ତାଙ୍କୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ସିନ୍ଧିଆ ଗୋଷ୍ଠୀ ଓ ବିଜେପିର ପୁରୁଣା ଗୋଷ୍ଠୀ ବର୍ତ୍ତମାନ ବିଜେପି ଟିକେଟ ଦାବିଦାର ଭାବେ ଛିଡା ହୋଇଛନ୍ତି।

ତେଣୁ ଏବେ ବିଜେପି ନିଜ ନେତା ଓ କାର୍ଯ୍ୟକର୍ତାଙ୍କୁ ସନ୍ତୁଷ୍ଟ କରିବ କିମ୍ବା ସିନ୍ଧିଆ ଗୋଷ୍ଠୀଙ୍କୁ ତାକୁ ନେଇ ଧର୍ମ ସଂକଟରେ ପଡିଥିବା କୁହାଯାଉଛି। ସେପଟେ ଦୀପକ ଯୋଶୀଙ୍କ ଭଳି ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ଚିନ୍ତା କରୁଥିବା ଆଲୋଚନା ହେଉଛି।

୨୦୧୮ ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ସିନ୍ଧିଆ ନିଜର ୨୨ ବିଧାୟକଙ୍କ ସହ ଦଳ ଛାଡିଥିଲେ। ତେଣୁ ଉପନିର୍ବାଚନରେ ୨୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୭ ଜଣ ହାରି ଥିଲେ।

ତେଣୁ କଂଗ୍ରେସରୁ ବିଜେପିକୁ ଯାଇଥିବା ଏହି ୨୨ ଜଣଙ୍କ ମଧ୍ୟରୁ ୧୫ ବିଧାୟକ ନିଶ୍ଚିତ ଦାବିଦାର ଓ ଅନ୍ୟ ୭ ଜଣ ମଧ୍ୟ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ତେଣୁ ବହୁ ବିଜେପି ନେତା ବିଦ୍ରୋହ ପାଇଁ ସଜବାଜ ହେଉଥିବା କୁହାଯାଉଛି। ମଧ୍ୟପ୍ରଦେଶ ନିର୍ବାଚନ ଆଉ ବେସି ଦୂର ନ ଥିବାରୁ ବିଜେପି ଏ ସବୁର ସମାଧାନ କିଭଳି କରିବ ତା ଉପରେ ନଜର।

Leave A Reply

Your email address will not be published.